ଉନ୍ମୋଚିତ ହେଲା ମହାବୀର ସାଂସ୍କୃତିକ ଅନୁଷ୍ଠାନର ମୁଖପତ୍ର ଗିରିଝର

ଚନ୍ଦ୍ରଶେଖର ହୋତାଙ୍କୁ ସାହିତ୍ୟ, ସତ୍ୟ ପଟ୍ଟନାୟକଙ୍କୁ ସମାଜସେବା, ଉଷାରାଣୀ ବଡତ୍ୟାଙ୍କୁ କଳା ଓ ଗୋରାଚାନ୍ଦ ମହାପାତ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ୬୧ତମ ମହାବୀର ମହୋତ୍ସବର ଚତୁର୍ଥ ଦିବସ ଅପରାହ୍ନରେ ମୁଖ୍ୟ ଆକର୍ଷଣ ଥିଲା ଶାନ୍ତି, ମୈତ୍ରୀ ଓ ସଂହତି ଭଳି ମହତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ମଶାଲ ଶୋଭାଯାତ୍ରା। ସିଂ ବାଜା, ଘୁମୁରା ଓ ସଂକୀର୍ତ୍ତନର ତାଳେତାଳେ ଶହଶହ କଳାକାର ଓ ଉତ୍ସାହିତ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ସହର ପରିକ୍ରମା ପରେ ଏହା ମହୋତ୍ସବସ୍ଥଳରେ ପହଞ୍ଚିଥିଲା। ସନ୍ଧ୍ୟାରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପୂର୍ବତନ ସଭାପତି ଜୟନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଯୋଗଦେଇଥିଲେ। ଏଥିରେ ଓଡ଼ିଆ ସାହିତ୍ୟର ଅନେକ କବି, ଲେଖକ ଓ ସାହିତ୍ୟିକମାନଙ୍କ ଲେଖାକୁ ନେଇ ସମୃଦ୍ଧ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଗିରିଝର’ ଉନ୍ମୋଚିତ ହୋଇଥିଲା। ମୁଖପତ୍ରର ମୁଖ୍ୟ ସଂପାଦକ ଶାନ୍ତନୁ ବେହେରା, ସଂପାଦକ ସଞ୍ଜୟ କୁମାର, ପରିଚାଳନା ସଂପାଦକ ସତ୍ୟନାରାୟଣ ସିଂହ, ସହ ସଂପାଦକ ପଣ୍ଡିତ ମଙ୍ଗଳୁ ମିଶ୍ର, ପ୍ରତାପ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାହିତ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତାଙ୍କୁ ରାଜ୍ୟସ୍ତରୀୟ ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ସମାଜସେବାରେ ସ୍ବେଛାସେବୀ ସଂଗଠନ ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ଅରମାନ ଖାଁ ସ୍ମୃତି ଯୁବ କଳାକାର ସମ୍ମାନରେ ଉଷାରାଣୀ ବଡତ୍ୟା, ସ୍ୱତନ୍ତ୍ର ସମ୍ମାନରେ ଗୋରଚାନ୍ଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ପରମେଶ୍ୱର ମୁଣ୍ଡ, ପ୍ରଦୀପ ସିଂହ, ମଙ୍ଗଳୁ ମିଶ୍ର, ଆଲୋକ ସାହୁ ପ୍ରମୁଖ ମାନପତ୍ର ପାଠ କରିଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ସଭା ପରିଚାଳନା କରିଥିବାବେଳେ ଉପସଭାପତି ସଞ୍ଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ପରେ ନବରଙ୍ଗପୁର କଳାକାରମାନଙ୍କ ଦ୍ୱାରା ଶିଙ୍ଗବାଜା, ନୃତ୍ୟ ରସିକା ଅନୁଷ୍ଠାନ ଦ୍ୱାରା ମରାଠୀ ଲୋକନୃତ୍ୟ, ଜେକେ ଡ୍ୟାନ୍ସ ଗ୍ରୁପ, ସୋନି ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ୧୪ ବର୍ଷ ବୟସର କିଶୋର କିଶୋରୀମାନଙ୍କୁ ନେଇ ଦ୍ୱୈତ୍ୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଲୋକ ସାହୁ ପ୍ରତିଯୋଗିତାରେ ମଞ୍ଚ ପରିଚାଳନା କରିଥିଲେ। ପ୍ରବଳ ଶୀତ ସତ୍ତ୍ୱେ ଶହଶହ ଲୋକେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.