ଚେତାବନୀ ସାହିତ୍ୟ ସଂସଦର ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ଵତ ସମ୍ମାନ ପାଇବେ ଡ. ଭଗବାନ ଜୟସିଂହ, କେଦାର ମିଶ୍ରଙ୍କୁ ମିଳିବ ଚେତାବନୀ ପ୍ରଜ୍ଞା ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସରକାରୀ ଉଚ୍ଚ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ନଭେମ୍ବର ୩୦ରେ ୩୭ତମ ରାଜ୍ୟସ୍ତରୀୟ ଶିଳ୍ପୀ ସମ୍ବର୍ଦ୍ଧନା, ସମାରୋହ ଓ ପୁଷପୁନି ଭେଟଘାଟ ହେବା ପାଇଁ ସ୍ଥିର ହୋଇଛି।

ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସେମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ସମ୍ମାନିତ କରାଯିବ। ବିଶିଷ୍ଟ କବି ଓ ଅନୁବାଦକ ଡ଼. ଭଗବାନ ଜୟସିଂହଙ୍କୁ ତାଙ୍କର ଜୀବନ ବ୍ୟାପି ସାହିତ୍ୟ ସାଧନା ପାଇଁ ସମ୍ମାନଜନକ ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ସ୍ଵରୂପ ବିଶିଷ୍ଟ ସମାଜସେବୀ ତଥା ମଲ୍ଟି କମ୍ପାନୀର ନିର୍ଦ୍ଦେଶକ ଚାଟାର୍ଡ ଆକାଉଟେଣ୍ଟ ସନ୍ଦୀପ ବିଶ୍ଵାଳ ଏବଂ ଅନୁଷ୍ଠାନର ବରିଷ୍ଠ ସଦସ୍ୟା କବି ନର୍ମଦା ନୀଳୋତ୍ପଳାଙ୍କ ମାଆଙ୍କ ସ୍ମୃତିରେ ତାଙ୍କ ଦ୍ଵାରା ପ୍ରଦତ୍ତ ୧୦ ହଜାର ଟଙ୍କା ନଗଦ ଅର୍ଥରାଶି ଓ ଉପଢ଼ୌକନ ପ୍ରଦାନ କରାଯିବ।

ପ୍ରବନ୍ଧ ସାହିତ୍ୟ ପାଇଁ ଡକ୍ଟର ଚିତ୍ତ ରଞ୍ଜନ ମିଶ୍ର, କାବ୍ୟକବିତା ପାଇଁ ଯୁବକବି କେଦାର ମିଶ୍ର ଓ କଥାସାହିତ୍ୟ ପାଇଁ ସୁଖ୍ୟାତ ଗାଳ୍ପିକା ଲକ୍ଷ୍ମୀ ଚାନ୍ଦଙ୍କୁ ‘ଚେତାବନୀ ପ୍ରଜ୍ଞା ସମ୍ମାନ’ରେ ସମ୍ମାନିତ କରାଯିବ। ସେହିପରି ସମାଲୋଚିକା ଓ କବି ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ ପାଇବେ ଜ୍ୟୋତି ମିଶ୍ର ଯୁବ ପ୍ରତିଭା ସମ୍ମାନ l

ଗୀତ କବିତା ପାଇଁ କବି ସୁରଞ୍ଜନ ପାତ୍ରଙ୍କୁ ପାର୍ଥ ବିଶି ଗୀତି କବିତା ସମ୍ମାନ, ଶିକ୍ଷାବିତ ଇଂ ଅଜୟ କୁମାର ପଣ୍ଡାଙ୍କୁ ଚେତାବନୀ ଶିକ୍ଷା ସମ୍ମାନ, ଯୁବ କବୟତ୍ରୀ ଐଶର୍ଯ୍ୟା ପ୍ରଧାନଙ୍କୁ କବି ଲକ୍ଷ୍ମୀକାନ୍ତ ସ୍ମୁତି ସମ୍ମାନ, ସମାଜସେବା କ୍ଷେତ୍ରରେ ବୈଦ୍ୟ ସଦାନନ୍ଦ ପୁଟେଲଙ୍କୁ ଚେତାବନୀ ସମାଜସେବା ସମ୍ମାନ ପାଇଁ ମନୋନୀତ କରାଯାଇଛି।

ସେହିପରି ଭାବେ ଜୀବନ ବ୍ୟାପି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚେତାବନୀ ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ବିପିନ ବିହାରୀ ବିଶିଙ୍କୁ ଚେତାବନୀ ସୁହୃଦ ସମ୍ମାନରେ ସମ୍ମାନିତ କରିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ସାହିତ୍ୟ ସଂସଦର ସଭାପତି ଯାଜ୍ଞସେନୀ ସାହା, ସମ୍ପାଦକ ରଞ୍ଜନ ପଣ୍ଡା ଏବଂ ସାଙ୍ଗଠନିକ ସମ୍ପାଦକ ପ୍ରକାଶ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.