ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସ୍ତରୀୟ ମାଣ୍ଡିଆ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଖବାହିଲି ପଞ୍ଚାୟତ ତାଲବୋରା ଗ୍ରାମର ମହିଳା ଚାଷୀ ସାଇବେନି ମାଝୀ ଓ ବେନଗାଁ ପଞ୍ଚାୟତ ପଦ୍ମଥପା ଗାଁର ବାସନ୍ତୀ ହରିଜନଙ୍କୁ ରାଜ୍ୟର ଶ୍ରେଷ୍ଠ ମହିଳା ଚାଷୀ ଭାବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ସୂଚନା ଅନୁସାରେ ଲାଖବାହିଲି ପଞ୍ଚାୟତ ତାଲବୋରା ଗ୍ରାମର ମହିଳା ଚାଷୀ ସାଇବେନି ଜୈବିକ ଓ ଆଧୁନିକ ପଦ୍ଧତି ଦ୍ୱାରା ମାଣ୍ଡିଆ ଚାଷରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ସେ ୨ ହେକ୍ଟର ଜମିରୁ ହାରାହାରି ୩୧ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିଥିଲେ।ସେ ଏମଏସପି ଦରରେ ମଣ୍ଡିରେ ବିକ୍ରି କରିଥିଲେ। ଅବଶିଷ୍ଟ ବିହନ ସେ ଏଫପିଓ “ଆପକଲ” ଲାଞ୍ଜିଗଡ଼କୁ ଯୋଗାଇଥିଲେ। ୧.୫ କ୍ୱିଣ୍ଟାଲ ବିହନ ବିହନ ବ୍ୟାଙ୍କ ପାଇଁ ସଂରକ୍ଷଣ କରିଥିଲେ। ମାଣ୍ଡିଆ ସହିତ ସେ କୋସଲା, ବାଜରା, କାଙ୍ଗୁ, କୋଦୋ ଓ ଖେଡଜନା ଭଳି ବିଭିନ୍ନ କ୍ଷୁଦ୍ରଶସ୍ୟ ଚାଷ କରି ଅତିରିକ୍ତ ଆୟ ସୃଷ୍ଟି କରିଥିଲେ।ନିଜ ସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ସଫଳତାରେ କଳାହାଣ୍ଡି ସ୍ଵେଚ୍ଛାସେବୀ ସଂସ୍ଥା ଜନସାହାଜ୍ୟର ତାଲିମ ଓ ପ୍ରେରଣା ଯୋଗାଇ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କର ଏହି ଉଲ୍ଲେଖନୀୟ କାମ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ତାଙ୍କୁ “ଶ୍ରେଷ୍ଠ କ୍ଷୁଦ୍ରଶସ୍ୟ ଚାଷୀ” ପୁରସ୍କାରରେ ସମ୍ମାନିତ କରିଛନ୍ତି।ସେହିପରି ପାରମ୍ପରିକ ଫସଲ ସଂରକ୍ଷଣରେ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗ୍ରାମ ବାସନ୍ତୀ ହରିଜନ ଦେଶୀ ବିହନ ସଂରକ୍ଷଣ ଓ ପାରମ୍ପରିକ ଫସଲ ଚାଷରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିଛନ୍ତି।ସେ ୫.୨୦ ଏକର ଜମିରେ ମାଣ୍ଡିଆ,୧ଏକରରେ କୋସଲା, ଏବଂ ୨ ଏକରରେ ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟ ଚାଷ କରୁଛନ୍ତି। ସେହିପରି ୬ ଏକର ଅଞ୍ଚଳରେ ପନିପରିବା, ଡାଲି, ତୈଳବୀଜ, ମସଲା ଓ ବିଭିନ୍ନ ପ୍ରଜାତିର ଦେଶୀ ଧାନ (ବାସ୍ନା ଧାନ ସହିତ) ଚାଷ କରିଛନ୍ତି। ତାଙ୍କ ସଂଗ୍ରହିତ ଦେଶୀ ବିହନ ଅନ୍ୟାନ୍ୟ ଚାଷୀଙ୍କୁ ଉପଲବ୍ଧ ହୋଇ ଅଞ୍ଚଳରେ ବିହନ ସଂରକ୍ଷଣ ଓ ପ୍ରଚାରରେ ସହାୟକ ହେଉଛି। ସ୍ଥାୟୀ କୃଷି ଓ ଜୈବ ବିବିଧତା ପ୍ରତି ତାଙ୍କ ଅନୁରାଗ ତାଙ୍କୁ “ସଂଗ୍ରହିତ ବିହନ ରାଣୀ” ଭାବେ ପରିଚିତ କରିଛି। ତାଙ୍କ ଏହି ଅବଦାନ ପାଇଁ ମହାମହିମ ରାଜ୍ୟପାଳ ତାଙ୍କୁ “ପାରମ୍ପରିକ ଫସଲ ସଂରକ୍ଷଣରେ ଶ୍ରେଷ୍ଠ ଚାଷୀ” ଭାବରେ ସମ୍ମାନିତ କରିଛନ୍ତି। ଏହି ସମାରୋହରେ ଜନସାହାଜ୍ୟ ସଂସ୍ଥାର ସମ୍ପାଦିକା ଶ୍ରୀମତୀ ଅନ୍ୱେଷିତା ସାମଲ, ପ୍ରକଳ୍ପ ପରିଚାଳକ ଶ୍ରୀ ପୂର୍ଣ୍ଣେନ୍ଦୁ ପଣ୍ଡା, ଉପ ପ୍ରକଳ୍ପ ପରିଚାଳକ ଶ୍ରୀ ସୁବାସ ନାଏକ ସହିତ ଜିଲ୍ଲା ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ। ସମସ୍ତେ ଉଭୟ ଚାଷୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା କଳାହାଣ୍ଡି ଜିଲ୍ଲାରେ ମହିଳା ଚାଷୀଙ୍କ ଉଦ୍ୟମ, ସ୍ୱାଭିମାନ ଓ ସ୍ଵାବଳମ୍ବନାର ଗର୍ବନିୟ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହା ରାଜ୍ୟରେ ସ୍ଥାୟୀ କୃଷି ଓ ମିଲେଟ ଆନ୍ଦୋଳନକୁ ନୂତନ ଦିଗ ଦେଇଛି।





