କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଶେଖର ବିହାରୀ ରାଜ୍ୟସ୍ତରୀୟ ‘କଳା ଉତ୍ସବ-୨୦୨୫’ ପାଳନ ଅବସରରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ମୂର୍ତ୍ତି କଳା (୩ଡି ଆର୍ଟ) ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ଦ୍ୱିତୀୟ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ତଥା କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଜି ମହାବିଦ୍ୟାଳୟରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଶେଖର ତାଙ୍କୁ ପ୍ରଶଂସାପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ଭାର୍ଗବ କୁମାର ସାହୁ, ନିମାଇଁ ଚରଣ ପାତ୍ର, ଶିବରାମ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଛାତ୍ରକୁ ସମ୍ବର୍ଦ୍ଧିତ କରିବା ସହିତ ଶେଖର ଭଳି ପ୍ରତିଭାବାନ ଛାତ୍ର ଠାରୁ ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରେରଣା ଲାଭ କରିବେ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବରୁ ଶେଖରଙ୍କ ଏଇ କୃତିତ୍ୱ ପାଇଁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ‘ସୁରଭି-୨୦୨୫’ ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଧର୍ମଗଡ଼ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଦେବ ରାଜଗଣ୍ଡ, ରାଜେଶ ସାହୁ, ମାଧବ ଲହଜଲ୍, ଦୀନବନ୍ଧୁ ବାଗ, ଅଧ୍ୟାପିକା ରୋଜାଲିନୀ ମୁଣ୍ଡ, ମନିଷା ସାହୁ, ବିଥିକା ଠାକୁର, ନିବେଦିତା ଡାକୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଆ ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଦୟ ପଧାନ ଧନ୍ୟବାଦ ଦେଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.