ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ନବଜାତ ଶିଶୁ ସପ୍ତାହ ଓ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି | ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଆକାଶ ପଧାନଙ୍କ ଅଧ୍ୟକ୍ଷତା ତଥା ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅମୀୟ ରାଜପଲିଆଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା | ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧା ବାର୍ଲା ମୁଖ୍ୟ ଅତିଥି, ୟୁନିସେଫ ପରାମର୍ଶଦାତା ସଞ୍ଜୟ କୁମାର ଶତପଥି, ସରକାରୀ ପରିଚାଳକ (ସୂଚନା, ଶିକ୍ଷା, ସଂଚାର ଓ ତାଲିମ) କଵୀନ୍ଦ୍ର ଜେନା, ସରକାରୀ ପରିଚାଳକ (ଏଲ.ଏ.ଆଇ.ସି) ପ୍ରକାଶ କୁମାର ପାତ୍ର, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମୀନାକୁମାରୀ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ନିମୋନିଆ ରୋଗର ଲକ୍ଷଣ, ଚିକିତ୍ସା ପଦ୍ଧତି ଏବଂ ନବଜାତ ଶିଶୁଙ୍କ ବିପଦ ସଂକେତ ଓ ଯତ୍ନ ସମ୍ବନ୍ଧରେ ବକ୍ତାଗଣ ଆଲୋକପାତ କରିଥିଲେ | ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଟିକ୍ରାପଡ଼ା ଅଧିନସ୍ଥ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ସିଏଚଓ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ୦ରୁ ୫ ବର୍ଷ ବୟସ୍କ ଶିଶୁ ଓ ସେମାନଙ୍କ ମାଆମାନେ ଉପସ୍ଥିତ ରହିଥିଲେ | ଆୟୁଷ ଡାକ୍ତର ଅଶୋକ ମେହେର ଧନ୍ୟବାଦ ଅର୍ପଣ କରିଥିଲେ | ଅକ୍ଷୟ ପଧାନ, କମଳ ମେହେର, ବଳରାମ ବାଗ ତଥା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ସହଯୋଗ କରିଥିଲେ |





