ବସ୍ତା ନିର୍ବାଚନ ମଣ୍ଡଳୀର ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ପ୍ରସଙ୍ଗ ନେଇ ବିଧାନ ସଭାରେ ପ୍ରଶ୍ନ ଉଠାଇଲେ ବିଧାୟିକା ସୁବାସିନୀ ଜେନା

• ୩୦୦ ଜଣଙ୍କୁ ଫେରାଇ ଅଣାଯାଇଛି ଏବଂ ଆଉ ୨୯ ପିଲାଙ୍କୁ ଫେରାଇ ଅଣାଯିବ, କହିଲେ ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିବସରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ବସ୍ତା ବିଧାୟିକା ସୁବାସିନୀ ଜେନା ବସ୍ତା ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଡ୍ରପ ଆଉଟ୍ ସଂଖ୍ୟା ହାରାହାରି କେତେ ଏବଂ ବାଲେଶ୍ବର ଜିଲ୍ଲାରେ ଏହାକୁ ହ୍ରାସ କରିବା ପାଇଁ ସରକାରଙ୍କ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ।ଏଥିସହିତ ଆଉ ଦୁଇଟି ସପ୍ଲିମେଣ୍ଟାରୀ ପ୍ରଶ୍ନରେ ବର୍ତ୍ତମାନ ରାଜ୍ୟରେ ମାଧ୍ୟମିକ ଡ୍ରପ୍ ଆଉଟ୍ ହାର ୨୭.୩ ପ୍ରତିଶତ ଥିବା ବେଳେ, ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଛାଡୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଚିହ୍ନଟ କରାଯାଇଥିବା ପ୍ରମୁଖ କାରଣ କଣ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଗତ ଦୁଇବର୍ଷ ମଧ୍ୟରେ ବାଲେଶ୍ବର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପାଠପଢ଼ା ବା ସ୍କୁଲ ଛାଡ଼ିଥିବା କେତେ ସଂଖ୍ୟକ ପିଲାଙ୍କୁ ଚିହ୍ନଟ କରି ପୁଣି ସ୍କୁଲରେ ନାମ ଲେଖା ଯାଇଛି ଏବଂ ସମଗ୍ର ରାଜ୍ୟରେ ଆଦିବାସୀ ଏବଂ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଯେଉଁଠାରେ ଡ୍ରପ୍ ଆଉଟ୍ ହାର ତୁଳନାତ୍ମକ ଭାବରେ ଅଧିକ, ସେଠାରେ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ କ’ଣ ବିଶେଷ ପଦକ୍ଷେପ ନିଆଯାଉଛି, ତାହା ଜଣାଇବା ପାଇଁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଥିଲେ । ଚାଇଲ୍ଡ ଟ୍ରାକିଂ ସର୍ଭେ ମାଧ୍ୟମରେ, ଆସ ସ୍କୁଲ ଯିବା ଅଭିଯାନ, ପିଲାମାନଙ୍କ ଅଭିଭାବକ ମାନଙ୍କ ସହ ଆଲୋଚନା ଏବଂ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ପିଲାମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି ବୋଲି କହିଥିଲେ । ସେହିପରି ଆଦିବାସୀ ଏବଂ ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଡ୍ରପ୍ ଆଉଟ୍ ହାର ତୁଳନାତ୍ମକ ଭାବରେ ଅଧିକ ବୋଲି ମନ୍ତ୍ରୀ ସ୍ବୀକାର କରିବା ସହ ଏଥିପାଇଁ ମଧୋ ସିଂ ଯୋଜନା ଲାଗୁ କରାଯାଇଛି ବୋଲି କହିଥିଲେ। ଏଥିସହ ବସ୍ତା ନିର୍ବାଚନ ମଣ୍ଡଳୀର ୩୨୯ ଡ୍ରପ୍ ଆଉଟ୍ ପିଲାଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ଫେରାଇ ଅଣାଯାଇଛି ଏବଂ ବହୁ ଶୀଘ୍ର ଆଉ ୨୯ ପିଲାଙ୍କୁ ଫେରାଇ ଅଣାଯିବ ବୋଲି ଉତ୍ତର ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.