ପଥପ୍ରାନ୍ତ ସୁବିଧା କେନ୍ଦ୍ର ପୁନଃରୁଦ୍ଧାର ଦାବି: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ସମାଜସେବୀ ସୁଶୀଲ କୁମାର ବାଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ପଥ ପ୍ରାନ୍ତ ସୁବିଧା କେନ୍ଦ୍ର। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିକଟସ୍ଥ ଚଞ୍ଚରାଭାଡ଼ି, ଆମପାଣି, ଉର୍ଲାଦାନୀ ନିକଟସ୍ଥ ରଙ୍ଗାପଦର ଓ ଭବାନୀପାଟଣା ସଦର ବ୍ଲକ ବୋର୍ଡାଠାରେ ଗତ ଛଅ ବର୍ଷ ତଳେ ଏସବୁ ଉଦଘାଟିତ ହୋଇଥିଲା। ଜିଲ୍ଲା ଓ ଜିଲ୍ଲା ବାହାର ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଏହି ସୁବିଧା କେନ୍ଦ୍ର ଏକ ପ୍ରକାର ସାମୟିକ ଆଶ୍ରୟସ୍ଥଳୀ ଥିଲା। ଏଠାରେ ଶୌଚାଳୟ, ପିଇବା ପାଣି, ପାର୍କିଂ ବ୍ୟବସ୍ଥା, ଜଳପାନ ଆଦିର ସୁବିଧା ଥିଲା। ପୂର୍ତ୍ତ ବିଭାଗ ଦ୍ୱାରା ପ୍ରପର୍ଟି ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଏହାର ପରିଚାଳନା ଦାୟିତ୍ୱ ନେଇଥିଲା। ଏହି କେନ୍ଦ୍ର ଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରଥମେ ୧୩ ଜଣ ଓ ପରେ ଏହାକୁ କମାଇ ୬ ଜଣ ଲେଖାଏଁ କର୍ମଚାରୀଙ୍କୁ ଏଠାରେ ନିଯୁକ୍ତ କରାଯାଇଥିଲା। ସେମାନେ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରୁଥିଲେ। କିନ୍ତୁ ଛଅ ବର୍ଷ ପରେ ଗତ ୨୦୨୪ ଜୁନ ୩୧ ତାରିଖରୁ ଏହି ସଂସ୍ଥାର ଟେଣ୍ଡର ଅବଧି ଶେଷ ହେବା ପରେ ସେଦିନଠାରୁ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଗୁଡ଼ିକରେ ତାଲା ଝୁଲୁଛି। ଏବେ ପ୍ରାୟ ଦେଢ଼ ବର୍ଷ ପରେ ଏହି ଚାରୋଟି ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ଲଟାବୁଦାରେ ଭର୍ତ୍ତି ହୋଇଯାଇଥିବାବେଳେ ସଂପୂର୍ଣ୍ଣ ଭୁତକୋଠି ପାଲଟିଛି। ରକ୍ଷଣାବେକ୍ଷଣ ଅଭାବ ଓ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଠାରେ ଥିବା ଲାଇଟ, ଫ୍ୟାନ ଆଦି ଚୋରି ହେବାକୁ ଲାଗିଲାଣି। ଯେଉଁ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ଦିନେ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ଯୋଗାଉଥିଲା, ସେସବୁ ଆଜି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାଫଳରେ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରଗୁଡିକ କାହା କାମରେ ଲାଗୁନାହିଁ। ଏଣୁ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରର ପୁନଃରୁଦ୍ଧାର ସହିତ ପୂର୍ବ ପରି ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଉପଲବ୍ଧ ସୁବିଧା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ। ଶ୍ରୀ ବାଗ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଦାବି କରିଛନ୍ତି।  କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଜରିଆରେ ସେ ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.