ମୌଳିକ ସୁବିଧାରୁ ବଞ୍ଚିତ କୁମ୍ଭାର ସାହି ବାସିନ୍ଦା : ରାସ୍ତା ଓ ପାନୀୟ ଜଳ ମୁଖ୍ୟ ସମସ୍ୟା; ପ୍ରତିକାର ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କୁମ୍ଭାରସାହି ବାସିନ୍ଦା ମାନେ ସକାଳ ପାଇଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ ନୁହଁ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଗୋଟିଏ ନଳକୂପ ହିଁ ଭରସା ପୁଣି ଲମ୍ବା ଧାଡ଼ିରେ ଠିଆ ହୋଇ ପାଣି ସଂଗ୍ରହ ନ କଲେ କିଛି ସମୟ ପରେ ଗୋଳି ପାଣି ବାହାରୁଛି। ଫଳରେ ଚିନ୍ତା ବଢ଼ିବାରେ ଲାଗିଛି l ପ୍ରକାଶ ଯେ, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ ଶହ ମିଟର ଦୂରତା ରେ ରହିଛି ଏହି କୁମ୍ଭାରସାହି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା ଦୀର୍ଘ ବର୍ଷ ଧରି ମରଣଯନ୍ତା ପାଲଟିଥିବା ବେଳେ ସାହିରେ ରହିଥିବା ଅଙ୍ଗନାୱାଡି କେନ୍ଦ୍ର କୁ ମଧ୍ୟ ଭଲ ସବୁଦିନିଆ ରାସ୍ତା ଟିଏ ନାହିଁ, ସେହିପରି ସବୁଠାରୁ ବଡ଼ ସମସ୍ୟା କହିଲେ ଗୋଟିଏ ନଳକୂପ ରହିଛି। ଯେଉଁଠି ଲୌହଯୁକ୍ତ ପାଣି ଓ ନଳକୂପ କିଛି ସମୟ ପାଣି ବାହାରିବା ପରେ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକ ବାଧ୍ୟ ହୋଇ ଗାଁ ବାହାରେ ରହିଥିବା ଚୁଆରୁ ପାଣି ବୋହି ଆଣି ପିଉଛନ୍ତି। ସେହିପରି ଲମ୍ବା ଧାଡି ପାଇଁ ମହିଳା ମହିଳାଙ୍କ ମଧ୍ୟରେ ପାଣି ପାଇଁ ନଳକୂପ ନିକଟରେ ଏକାଧିକ ଥର ଝଗଡା ସୃଷ୍ଟି ହେଉଥିବା କହିଛନ୍ତି ଖୋଦ ମହିଳାମାନେ। ଗାଁକୁ ବସୁଧା ଯୋଜନାରେ ପାଣି ପାଇପ ବିଛାଯାଇଛି। କିନ୍ତୁ ଏହା କରାଯିବାର ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଆସୁନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଗାଁର ବରୁଣ ବେହେରା, ସୁରୁଚି ବେହେରା, ରାଜଲଷ୍ମୀ ବେହେରା, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ଅଙ୍ଗନୱାଡିକୁ ସବୁଦିନିଆ ରାସ୍ତା ସହ ପିଇବାପାଣି ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ସମେତ ସାହିରେ ପିଇବା ପାଣି ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ସାହି ଲୋକ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସବୁ ସମସ୍ୟାର ଶୀଘ୍ର ସମାଧାନ କରାଯିବ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.