ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): କୋଲନରା ବ୍ଲକ ୩୨୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଗ୍ରାମ ମୁଖ୍ୟ ବଜାରର ବୁଲାଣୀ ନିକଟରେ ଏକ ପିକନିକ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି | ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇ ନ ଥିବା ବେଳେ ମୁକୁନ୍ଦପୁର ଫାଣ୍ଡି ପୁଲିସ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି | ସୂଚନା ମୁତାବକ, ବ୍ରହ୍ମପୁରରୁ ୨ ଶହ କିଲୋମିଟର ଦୂର ଏକ ଗ୍ରାମରୁ ୨୪ ଜଣ ଯାତ୍ରୀ (ଓଡି ୦୫ ଏ ଏସ୍ ୬୧୪୬) ନମ୍ବର ବିଶିଷ୍ଟ ଏକ ଟ୍ରାଭେଲାର ଭ୍ୟାନ ଯୋଗେ ପିକନିକ କରିବା ପାଇଁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଗ୍ରାମ ମୁଖ୍ୟ ବଜାର ବୁଲାଣୀ ନିକଟରେ ଭୋର ପ୍ରାୟ ସାଢେ ୪ ଘଣ୍ଟା ସମୟରେ ଉକ୍ତ ଗାଡିଟି କୌଣସି କାରଣରୁ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଡିମ୍ବିରି ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଫଳରେ ଗାଡ଼ିରେ ଥିବା ୨୪ ଜଣ ଯାତ୍ରୀ ଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି | ଦୁର୍ଘଟଣା ଗ୍ରସ୍ତ ଗାଡିର ଇନ୍ଧନ ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛି | ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ରେନ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଉଦ୍ଧାର କରି ତଦନ୍ତ କରିଛନ୍ତି |





