ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ବଜେଟ ଆଲୋଚନା ବେଳେ ପାଣି ପ୍ରସଙ୍ଗ ଉଠାଇଲେ ବସ୍ତା ବିଧାୟିକା ସୁବାସିନୀ ଜେନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ବଜେଟ ଆଲୋଚନାରେ ଅଂଶ ଗ୍ରହଣ କରି ବସ୍ତା ବିଧାୟିକା ସୁବାସିନୀ ପାଣି ପାଇଁ ଆଗାମୀ ଦିନରେ ଯୁଦ୍ଧ ହେବା ପ୍ରସଙ୍ଗ ଉଠାଇଥିଲେ। ଶ୍ରୀମତୀ ଜେନା କହିଥିଲେ ଯେ ମହିଳା ଓ ଜମିକୁ ନେଇ ପୁରାଣ ଯୁଗରେ ରାମାୟଣ ଓ ମହାଭାରତ ଯୁଦ୍ଧ ହୋଇଥିଲା ବୋଲି ଆମେ ଜାଣିଛୁ। କିନ୍ତୁ ବର୍ତ୍ତମାନ ଉପୁଜିଥିବା ପାଣି ସମସ୍ୟାକୁ ସରକାର ଯଦି ତୁରନ୍ତ ସମାଧାନ ନକରିବେ ତାହେଲେ ଆଗାମୀ ଦିନରେ ହୁଏତ ପାଣି ପାଇଁ ଯୁଦ୍ଧ ଆମକୁ ଦେଖିବାକୁ ପଡିପାରେ। ବିଧାୟିକା ଜେନା ଆହୁରି କହିଥିଲେ ବିଭିନ୍ନ ତଥ୍ୟ ଅନୁସାରେ ଆମ ରାଜ୍ୟରେ ପ୍ରାୟ ୩୩ ହଜାର ଗ୍ରାମ ଭୟଙ୍କର ପାଣି ସମସ୍ୟା ଦେଇ ଗତି କରୁଛି ଏବଂ ୭୫ ପ୍ରତିଶତରୁ ଅଧିକ ନଳକୂପରେ ଭୂତଳ ଜଳର ସ୍ତର ଖସିଥିବା ରିପୋର୍ଟ ଆସିଲାଣି। ବହୁତ ଜାଗାରେ ପାଇପ ଅଛି, କିନ୍ତୁ ପାଣି ନାହିଁ। ବସ୍ତା ନିର୍ବାଚନମଣ୍ଡଳୀର ବାଲିଆପାଳ ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ୨୦୨୩ ମସିହାରେ ସରିବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସରିବାକୁ ନାଁ ନାହିଁ । ସେହିପରି ଖାଲି ପାଣିର ପରିମାଣ ନୁହଁ,ଗୁଣବତ୍ତାରେ ମଧ୍ୟ ଭୟଙ୍କର ଅବନତି ଘଟୁଛି। ଆମ ଜିଲ୍ଲା ରେମୁଣା ବ୍ଲକର ପତ୍ରିପାଳ ପଞ୍ଚାୟତରେ ଭୟାନକ ଭାବରେ ଫ୍ଲୋରାଇଡ ମାତ୍ରା ଅଧିକ ଥିବାରୁ ଲୋକମାନେ ଦନ୍ତ ଓ ସ୍କେଲିଟାଲ ଫ୍ଲୋରୋସିସ୍ ଭଳିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସହିତ ପରବର୍ତ୍ତୀ ପିଢ଼ି ମଧ୍ୟ ଏଥିରେ ଆକ୍ରାନ୍ତ ହେଲେଣି । ପାନୀୟ ଜଳ ସମସ୍ତ ଭାରତ ବର୍ଷ ସହିତ ଓଡିଶାରେ ମଧ୍ୟ ଏକ ଭୟାନକ ସ୍ଥିତି ଦେଇ ଗତି କରୁଛି । ଆମେ ‘ଏ.ଟି.ଏମ’କୁ ଟଙ୍କା ବାହାର କରିବା ପାଇଁ ବ୍ୟବହାର କରୁଛୁ କିନ୍ତୁ ଏବେ ଅନେକ ରାଜ୍ୟରେ ‘ଏ.ଟି.ଏମ’ ମାଧ୍ୟମରେ ପାଣି ଯୋଗାଣ ହେଉଛି। ତାମିଲନାଡୁ ଭଳି ରାଜ୍ୟରେ ଟ୍ରେନରେ ପାଣି ବୁହା ଚାଲିଛି । ଓଡିଶାରେ ଯଦି ଆଜି ଦୃଢ ପଦକ୍ଷେପ ନିଆନଯିବ, ଆମ ରାଜ୍ୟରେ ମଧ୍ୟ ତଦୃପ ସ୍ଥିତି ଆସିବାକୁ ବେଶୀ ସମୟ ଲାଗିବ ନାହିଁ, ତେଣୁ ସରକାର ଏବାବଦରେ କଣ ପଦକ୍ଷେପ ନେଉଛନ୍ତି ତାହା ଗୃହରେ ଉତ୍ତର ରଖିବାକୁ ସେ ଦାବି କରିଥିଲେ । ସେହିପରି ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ବନ୍ଧରେ ବିଧାୟିକା ଜେନା କହିଥିଲେ ଏ ବିଭାଗ ଭାରତ ବର୍ଷର ହଜାର ହଜାର ବର୍ଷର ଇତିହାସ ସହିତ ଜଡିତ। ପଞ୍ଚାୟତରାଜ ବା ଗ୍ରାମସଭା ବିଷୟରେ ବାରମ୍ବାର ୧୨ ଶହ ଖ୍ରୀଷ୍ଟପୂର୍ବରୁ ଋଗ୍ବେଦରେ ଉଲ୍ଲେଖ କରାଯାଇଛି । ରାଜ୍ୟ ଉପରେ ଗୁରୁତ୍ବ ପାଇଁ ସ୍ଵାଧୀନତା ପରେ ମହାତ୍ମା ଗାନ୍ଧୀଙ୍କ ‘ଗ୍ରାମ ସ୍ବରାଜ’ ଦ୍ଵାରା ପଞ୍ଚାୟତରାଜ ବ୍ୟବସ୍ଥାରେ ନୂଆ ଜୀବନ ଆସିଲା ।ଏହା ପରେ ୧୯୫୯ ମସିହା ଅକ୍ଟୋବର ୨ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାର ଲାଲ ନେହେରୁ ଦେଶରେ ଆଧୁନିକ ପଞ୍ଚାୟତରାଜ ବ୍ୟବସ୍ଥା ଆରମ୍ଭ କରିଥିଲେ । ସେହିପରି ମହିଳା ସଶକ୍ତିକରଣ ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଚଳନ କରିଥିଲେ।ଏହାପରେ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ବଢାଇ ୫୦ ପ୍ରତିଶତ ସଂରକ୍ଷଣ କଲେ। ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତକୁ ସ୍ବାବଲମ୍ବୀ କରିବା ପାଇଁ ନିଜସ୍ୱ ରାଜସ୍ୱ(ଓ.ଏସ.ଆର୍) ଉପରେ ବହୁ ଗୁରୁତ୍ଵ ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଓଡିଶାରେ ଓ.ଏସ.ଆର୍ ହେଲା ମୁଣ୍ଡ ପିଛା ମାତ୍ର ୧୧ ଟଙ୍କା। ଯେଉଁଠି କି କେରଳରେ ମୁଣ୍ଡପିଛା ଓ.ଏସ.ଆର୍ ହେଲା ୨୯୬ ଟଙ୍କା ଏବଂ ଆନ୍ଧ୍ର ପ୍ରଦେଶରେ ୨୦୯ ଟଙ୍କା । ଏଥିରୁ ସ୍ପଷ୍ଟଯେ ଓଡିଶାର ପଞ୍ଚାୟତର ଅର୍ଥନୀତି କିଭଳି ଦୁର୍ବଳ ସ୍ଥିତିରେ ଅଛି । ଏହିପରି ବିଭିନ୍ନ ଉଦାହରଣ ଦେଇ ବିଧାୟିକା ଜେନା ସରକାର ତାଙ୍କର ସମସ୍ତ ଦାବୀ ଓ ଉଦବେଗକୁ ବିଚାର କରି ସମାଧାନ ପାଇଁ ସପ୍ଲିମେଣ୍ଟାରୀ ବଜେଟ୍ ରେ ସ୍ଥାନ ଦେବାକୁ ଦାବି କରିଥିଲେ।





