ଘୁପ୍‌ଟି ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ସ୍ଥିତି

ଦୁଇଗୋଟି ଶ୍ରେଣୀ ଗୃହରେ ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି ୬ ଗୋଟି କ୍ଲାସର ୮୫ ପିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନିଶାଣପୁର ଗ୍ରାମ ପଞ୍ଚାୟତର ଘୁପଟି ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ବିଦ୍ୟାଳୟରେ ମୋଟ ୪ ଗୋଟି କୋଠରୀ ରହିଥିବା ବେଳେ ଦୁଇଗୋଟି କୋଠରୀ ଶ୍ରେଣୀ ଗୃହ ଭାବରେ ବ୍ୟବହୃତ ହେଉଛି। ଆଉ ଗୋଟିଏ କୋଠରୀ ରୋଷେଇ ଶାଳା ଭାବରେ ବ୍ୟବହୃତ ହେଉଥିବା ବେଳେ ଆଉ ଗୋଟିଏ କୋଠରୀ ପରିତ୍ୟକ୍ତ ହୋଇ ପଡିଛି। ଉକ୍ତ କୋଠରୀର ଛଡ ସବୁ ଫୁଟିକି ପଦାକୁ ବାହାରି ପଡିଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ରହିଛି କୋଠରୀଟି। ଏଣୁ ଏହାକୁ ଷ୍ଟୋର ରୁମ ଭାବରେ ବ୍ୟବହାର କରାଯାଇ ଭଙ୍ଗା ଭଙ୍ଗି ସାମଗ୍ରୀ ଓ ବାସନ କୁସନ ଭରି ରଖାଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ବାଟିକା ଶ୍ରେଣୀରେ ରହିଛନ୍ତି ୧୫ ଜଣ ଛାତ୍ରଛାତ୍ରୀ। ଏଵଂ ତୃତୀୟ ଶ୍ରେଣୀରେ ସର୍ବାଧିକ ୧୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଶିଶୁ ବାଟିକାକୁ ମିଶାଇ ବିଦ୍ୟାଳୟରେ ପଞ୍ଚମ ଯାଏଁ ୬ ଗୋଟି ଶ୍ରେଣୀ ରହିଛି। ସମସ୍ତ ୮୫ ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ କୋଠରୀରେ ୩ ଗୋଟି ଲେଖାଏଁ ଶ୍ରେଣୀ ହିସାବରେ ଦୁଇ ଗୋଟି କୋଠରୀରେ ସମସ୍ତ ଛାତ୍ରଛାତ୍ରୀ ଖୁନ୍ଦା ଖୁନ୍ଦି ହୋଇ ବସୁଥିବା ଦେଖିବାକୁ ମିଳିଛି। ୩୦ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ହିସାବରେ ତିନି ଜଣ ଶିକ୍ଷକ ବିଦ୍ୟାଳୟରେ ରହିବା କଥା ହେଲେ ମାତ୍ର ଦୁଇ ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ପ୍ରଧାନ ଶିକ୍ଷକ ଦାଇତ୍ୱରେ ରହିଥିବା ସୁବାସ ଚନ୍ଦ୍ର ଦାସ କହିଛନ୍ତି ଆଉ ଜଣେ ଶିକ୍ଷକ ଦେବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର କହୁଛି। ହେଲେ ଆଜି ଯାଏଁ ଆଉ ଜଣେ ଶିକ୍ଷକ ଦିଆଗଲା ନାହିଁ। ସହକାରୀ ଶିକ୍ଷକ ଭାଗିରଥି ପିଲା ତିନିଗୋଟି ଶ୍ରେଣୀ ସମ୍ଭାଳୁଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଅଫିସ କାର୍ଯ୍ୟ ସହ ବାକି ତିନି ଗୋଟି କ୍ଲାସକୁ ସମ୍ଭାଳୁଥିବା କହିଛନ୍ତି। ବିଦ୍ୟାଳରେ ପାନୀୟ ଜଳ ଉପଲବ୍ଧ ରହିଥିବା ବେଳେ ପାଣି ଟାଙ୍କିର ବ୍ୟବସ୍ଥା ନାହିଁ। ହେଲେ ଏହି ବିଦ୍ୟାଳୟ ପାଇଁ ଗାଁ ମୁଣ୍ଡରେ ନୂଆ ସ୍କୁଲ ଭବନ ନିର୍ମାଣ ଚାଲିଛି। ସ୍ଲାବ ପଡି ସାରିଲାଣି, କିଛି ମାସ ମଧ୍ୟରେ ନୂଆ ଭବନରେ ବିଦ୍ୟାଳୟ ଚାଲିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.