କବି ବଂଶୀଧର ଚୌଧୁରୀଙ୍କ ଦେହାନ୍ତ: ଆଉ ସାହିତ୍ୟର ଶ୍ୟାମଳ ବନରେ ଶୁଭିବ ନାହିଁ କବିଙ୍କ ‘ଧୂନ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଲାଲପତ୍ର ସବୁଜ ସକାଳେ’, ‘ନକ୍ସା’ ତିଆରି କରି ‘ରକ୍ତାକ୍ତ ନୀଳଜହ୍ନ’ରେ ଯିଏ ‘ଚଷା ପୁଅ କୁଜ’ର ‘ଚିତ୍ରାଙ୍କନ କରି ‘ଗୁମସୁମ ଗୁମଡୁହା’ରେ ‘ପକ୍ଷୀ ଗାଉଥାଉ ଗୀତ’ର ‘ଧୂନ’ ସୃଷ୍ଟି କରି ଏକ ସବୁଜ ପୃଥିବୀର ପରି କଳ୍ପନା କରିଥିଲେ, ସେଇ ମାନବବାଦୀ କବି ଡକ୍ଟର ବଂଶୀଧର ଚୌଧୁରୀ ଆଉ ଆମ ଗହଣରେ ନାହାଁନ୍ତି।ଡିସେମ୍ବର ୯ ତାରିଖ ଭୋର୍ ଚାରିଟା ବେଳେ ଥଣ୍ଡା ଜନିତ କଫ ଓ ହୃଦଘାତରେ ପରଲୋକ ଗମନ କରିଛନ୍ତି। ଡକ୍ଟର ଚୌଧୁରୀ ଏକାଧାରରେ ଜଣେ କବି, ପ୍ରାବନ୍ଧିକ ଏବଂ ଆଲୋଚକ ଭାବେ ସମଗ୍ର ରାଜ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ଭ୍ରମଣ ସାହିତ୍ୟ ଉପରେ ଗବେଷଣା କରି ସର୍ଵ ପ୍ରଥମ ପି.ଏଚ.ଡି ହାସଲ କରିଥିଲେସେ। ନୀଳଗିରି, ରୁପ୍ସା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟ କରି ବାଲେଶ୍ଵର ମହିଳା କଲେଜରୁ ୨୦୧୬ ମସିହାରେ ଅବସର ଗ୍ରହଣ କରି ସେ ମେଘଡମ୍ବରୁ ସ୍ଥିତ ତାଙ୍କ ନିଜ ଘରେ ସାହିତ୍ୟ ସାଧନାରେ ଥିଲେ। ଗତ କିଛି ମାସ ଧରି ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ। ଏଇ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଅସୁଥିଲା ବେଳେ ହଠାତ ଆଜି ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କ ଭିତରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର କନିଷ୍ଠା କନ୍ୟା ରୁପାଲୀ ଚୌଧୁରୀ, ପତ୍ନୀ ସବିତା କୁଣ୍ଡୁ, ସାନ ଭାଇ ଏବଂ ବନ୍ଧୁ ଆତ୍ମୀୟମାନେ ଉପସ୍ଥିତ ଥିଲେ। ସ୍ୱର୍ଗତଃ ଚୌଧୁରୀଙ୍କ ମର ଶରୀରକୁ ଶେଷ ଦର୍ଶନ ନିମନ୍ତେ ବାଲେଶ୍ଵରର ବହୁ ଅଧ୍ୟାପକ, ବୁଦ୍ଧିଜୀବୀ, ସମାଜ ସେବୀ, ସାହିତ୍ୟିକ, ରାଜନେତା ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ଶେଷ କୃତ୍ୟ କବିଙ୍କ ଇଚ୍ଛାନୁସାରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ଅନ୍ତିମ କରାଯାଇଛି। ପ୍ରକାଶ ଯେ ସ୍ୱର୍ଗତ ବଂଶୀଧର ଚୌଧୁରୀଙ୍କ ଜନ୍ମ ୧୯୫୬ ମସିହା ଡିସେମ୍ବର ମାସ ୨୫ ତାରିଖ,ବାଲେଶ୍ଵର ଜିଲ୍ଲା ରାଜବ୍ରହ୍ମପୁର, ନୀଳଗିରିରେ ହୋଇଥିଲା। ମାତ୍ର ସମୟ କ୍ରମେ ବାଲେଶ୍ଵର ମେଘଡମ୍ବରୁରେ ଘର ନିର୍ମାଣ କରି ରହୁଥିଲେ। ମୃତ୍ୟୁ ବେଳକୁ ତାଙ୍କର ୬୯ ବର୍ଷ ବୟସ ହୋଇଥିଲା। ତାଙ୍କର କେବଳ ଦୁଇ କନ୍ୟା ଅଛନ୍ତି। ବଡ଼ ଝିଅ ବାଙ୍ଗାଲୋରରେ ରହୁଥିଲା ବେଳେ ସାନ ଝିଅ ତାଙ୍କ ପାଖରେ ରହୁଥିଲେ। ସ୍ୱର୍ଗତଃ ବଂଶୀଧର ଚୌଧୁରୀଙ୍କ ଅକାଳ ଵିୟୋଗରେ ବାଲେଶ୍ଵର ସାରସ୍ୱତ ଜଗତ ସ୍ତବ୍ଧ ହୋଇ ଯାଇଛି। ଜଣେ ବହୁ ପ୍ରତିଷ୍ଠିତ ସାରସ୍ୱତ ସାଧକଙ୍କ ପରଲୋକ ଗମନ ସାହିତ୍ୟ ସଂସାର ପାଇଁ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ତାଙ୍କର ମୃତ୍ୟୁରେ ସବୁଠି ଶୋକର ଛାୟା ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.