ଆଧୁନିକ ଯୁଗରେ ଜଳପୁରୁଷ କାର୍ଜୀ ମାଝୀଙ୍କ ଅବଦାନ ଅବିସ୍ମରଣୀୟ
ଦଳିତ ଆଦିବାସୀ ମହାସଂଘ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସହିଦ ରେଣ୍ଡୋ ମାଝୀଙ୍କ ଅତୁଳନୀୟ ଯୋଗଦାନ ରହିଥିଲା। ସାରା ଦେଶରେ ଆଦିବାସୀଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭିକ ସମୟରେ ଯେଉଁ ଆଦିବାସୀ ଗୋଷ୍ଠୀ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହର ବିଗୁଲ ବଜାଇଥିଲେ, ସେମାନଙ୍କ ମଧ୍ୟରେ ସହିଦ ରେଣ୍ଡୋ ମାଝୀଙ୍କ ସଶସ୍ତ୍ର ବିପ୍ଳବ ପ୍ରମୁଖ ଥିଲା। ତାଙ୍କ ସମ୍ପର୍କରେ ଯେତିକି ଚର୍ଚ୍ଚା ଓ ଆଲୋଚନା ହେବାର କଥା ସେତିକି ହୋଇପାରିନି। ତାଙ୍କ ବିପ୍ଳବର ରଣହୁଙ୍କାର ବ୍ରିଟିଶ ସରକାରର ମୂଳଦୁଆ ଦୋହଲାଇ ଦେବାକୁ ଯଥେଷ୍ଟ ଥିଲା। ସେଇ ଅଗ୍ନିସ୍ଫୁଲିଙ୍ଗରେ ଝାସ ଦେଇ ରେଣ୍ଡୋଙ୍କ ସହଯୋଗୀ ସହିଦ ଅନ୍ଧାରୁ ଡମ୍ବ, ପଦି ଡମ୍ବ, ଟଡ଼ ଡମ୍ବ, ବସଟା ଡମ୍ବ, ଡାକି ଡମ୍ବ, ଲିଆଭାଜୁ ଡମ୍ବଙ୍କ ସହିତ ମାରନା ମାଝୀ, ଆବନ ମାଝୀ, ବିୟ ମାଝୀ, ପଟା ମାଝୀ ଓ ଆମୋଷ ପାତ୍ର, ବଳରାମ ପାତ୍ର, ଗୁହାଲୁ ପାତ୍ର, ଦୁଃଖିଆ ପାତ୍ର ପ୍ରମୁଖଙ୍କ ଭୂମିକା ରହିଥିଲା। ସେଇ ଇତିହାସକୁ ପୁନର୍ଲିଖନ ସହିତ ସେମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବାର ଆବଶ୍ୟକତା ରହିଛି। ସେହିପରି ପାରମ୍ପରିକ ଜଳସେଚନ ବ୍ୟବସ୍ଥାରେ ନିଜସ୍ୱ ଜ୍ଞାନ କୌଶଳର ଉପଯୋଗ କରି ପାହାଡ଼ ଉପରେ ବହି ଯାଉଥିବା ଝରଣା ପାଣିକୁ କ୍ଷେତକୁ ବାଟ କଢେଇ ନେବାର ଉପାୟ ଜାଣିଥିଲେ ଜଳପୁରୁଷ କାର୍ଜୀ ମାଝୀ। ପାହାଡିଆ ଢିପ ଜମିରେ ବାଉଁଶ ଜରିଆରେ ଜଳସେଚନ ଓ ଏହାର ସନ୍ତୁଳନ ରଖିବାରେ ସେ ସିଦ୍ଧହସ୍ତ ଥିଲେ।ତାଙ୍କର ଜ୍ଞାନ କୌଶଳ ଦ୍ୱାରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରେ ୪୨ଗୋଟି କେନାଲ ଖନନ ଓ ଜଳସେଚନର ସୁବ୍ୟବସ୍ଥା ହୋଇପାରିଥିଲା। ଏଣୁ ଆଜିର ଦିନରେ ଜଳପୁରୁଷ କାର୍ଜୀ ମାଝୀଙ୍କ ସମ୍ପର୍କରେ ଉଚ୍ଚତର ଗବେଷଣା ସହିତ ତାଙ୍କ ନାମରେ କଳାହାଣ୍ଡି କୃଷି ମହାବିଦ୍ୟାଳୟକୁ ନାମିତ କରିବା, ତାଙ୍କ ଦ୍ୱାରା ନିର୍ମିତ କେନାଲଗୁଡ଼ିକର ରକ୍ଷଣାବେକ୍ଷଣ, ମରଣୋତ୍ତର ଭାବେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୁଦ୍ଧିଜୀବୀ ସଂଗଠନ ଦଳିତ ଆଦିବାସୀ ମହାସଂଘ ତରଫରୁ ରେଣ୍ଡୋ ମାଝୀ ସହିଦ ସପ୍ତାହ ଓ କାର୍ଜୀ ମାଝୀ ବର୍ଷ ପାଳନ ଅବସରରେ ଆଜି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅମଲାଭବନରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିସିଏସ ଗ୍ରୁପ ଅଫ ଏଜୁକେସନର ପରିଚାଳନା ନିର୍ଦ୍ଦେଶକ ଡ. ସୁରେଶ କୁମାର ପ୍ରଧାନ ଯୋଗ ଦେଇଥିଲେ। ସହିଦ ରେଣ୍ଡୋ ମାଝୀଙ୍କ ସମ୍ପର୍କରେ ଡ. ଭବାନୀଶଙ୍କର ନିଆଲ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ଜଳପୁରୁଷ କାର୍ଜୀ ମାଝୀଙ୍କ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ଓ ଗବେଷକ ଦେବେନ୍ଦ୍ର ବିଶି ତଥ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ମହାସଂଘର କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ମହାସଚିବ ଦେବୀ ପ୍ରସାଦ ସିନ୍ଦୁର, ନଗର ସଭାପତି ଚକ୍ରଧର ସେଠୀ ମଞ୍ଚାସୀନ ଥିଲେ। ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ମହେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିସ ଅନୁଷ୍ଠାନର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପ୍ରଧାନ, ନଗର କାର୍ଯ୍ୟକାରୀ ସଭାପତି ଅଭୟ ଚରଣ ନାଏକ, ନଗର ଉପଦେଷ୍ଟା ନାଦରାଜ ନାଏକ, ପ୍ରକାଶ ମଙ୍ଗରାଜ, ବରିଷ୍ଠ ସାମ୍ବାଦିକ ରାଜକୁମାର ସିଂଦେଓ, ସମାଜସେବୀ ତ୍ରିଲୋଚନ ପାଣିଗ୍ରାହୀ, ଯତୀନ୍ଦ୍ର କରଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।




