ନର୍ଲା ଧାନମଣ୍ଡି ଉଦ୍ଗାଟିତ: ପ୍ରଥମ ଦିନରେ ୨୧୦ କ୍ୱିଣ୍ଟାଲ ଧାନ କ୍ରୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ -୨୦୨୫ ର ପ୍ରଥମ ଧାନ ମଣ୍ଡି ଭାବରେ ନର୍ଲା ଧାନ ମଣ୍ଡି ନର୍ଲା ବଜାର ଆରମ୍ଭ ମୁଣ୍ଡ ମୁଖ୍ୟ ରାସ୍ତା କଡରେ ବୁଧବାର ମଧ୍ୟାହ୍ନ ଗୋଟାଏ ବେଳେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ମଣ୍ଡି ସୁପରଭାଇଜିଂ ଅଫିସର ବିପିନ ବିହାରୀ ଦୀପ ଯୋଗଦାନ କରି ପୂଜାର୍ଚ୍ଚନା କରିଥିଲେ। ଓଜନ ମାପକ ଯନ୍ତ୍ର, ଆଦ୍ରତା ପରିମାପକ ଯନ୍ତ୍ର, ଧାନ ବସ୍ତାରେ ଧୂପ, ଦୀପ, ଫୁଲ ଚନ୍ଦନ ଦେଇ ନାରିକେଲ ଭାଙ୍ଗି ପୂଜା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନର୍ଲା ପ୍ୟାକ୍ସ ସଭାପତି ମଞ୍ଜୁଲତା ଗଉଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ନର୍ଲା ଅତିରିକ୍ତ ତହସିଲଦାର ଅମର ପାରାସେଠ, ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀ ଚନ୍ଦନ, ନୋଡାଲ ଅଫିସର ରସିକ ଶବର, ଆରଏମସି ଷ୍ଟାଫ୍ ଜ୍ୟୋତିପ୍ରଭା ସା, ସମବାୟ ସମିତି ଡାଇରେକ୍ଟର ଅଭୟ କୁମାର ଚାନ୍ଦ, ଅନିରୁଦ୍ଧ ବିଶ୍ୱାଳ, ଚିରଞ୍ଜିବୀ ଗୌଡିଆ, ଧନୁର୍ଦ୍ଧର ସେନାପତି, ସଂଗ୍ରାମ ଚାନ୍ଦ, ଚନ୍ଦ୍ର ବିଶ୍ୱାଳ, ଆରଏମସି କର୍ମଚାରୀ ଜଗତରାମ ନାଏକ, ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ନର୍ଲାର ଚାଷୀ ଲବ କୁମାର, ବୁଢିପଦର ରାମାନୁଜ ଏଗ୍ରୋ ମିଲର ପ୍ରତିନିଧି ବଣ୍ଟି ଖେତାନ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ। ନର୍ଲା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା କରିଥିଲେ। ନର୍ଲା ପ୍ୟାକ୍ସ ସଭାନେତ୍ରୀ ମଞ୍ଜୁଲତା ଗଉଡ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନର୍ଲା ମଣ୍ଡି କେମିତି ଶୃଙ୍ଖଳିତ ଓ ସୁରୁଖୁରୁରେ ଚାଲିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ବୋଲି ଚାଷୀ ଓ ଉପସ୍ଥିତ ପଦାଧିକାରୀଙ୍କୁ ଅନୁରୋଧ କରିଥିଲେ। ପ୍ୟାକ୍ସ କର୍ମଚାରୀ କେତନ ବଗର୍ତ୍ତି, ଆଏମସି କର୍ମଚାରୀ, ଉପସ୍ଥିତ ଚାଷୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଣ୍ଡି ଉଦ୍ଘାଟନୀ ଦିବସ ପ୍ରଥମ ଦିନରେ ଲବ କୁମାର, ଚଞ୍ଚଲ ବୁଦ୍ଧିଆ, ସବିତା ଚାନ୍ଦ, ନକୁଳ ସାହୁ, ନେତ୍ରାନନ୍ଦ ପୁଟେଲ ପ୍ରମୁଖ ୫ ଜଣ ଚାଷୀଙ୍କ ୨୧୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମ ଶେଷରେ ଚିରଞ୍ଜିବୀ ଗୌଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.