ଏଆଇ ପ୍ରସ୍ତୁତ ଭିଡ଼ିଓରେ ପ୍ରଥମ ଥର ପାଇଁ ଫକୀରମୋହନ ଗାଇଲେ ‘କେନେ କିସ ଜିଲ୍ଲାର ଛୁଆ ଆମେରେ’ ସଂଗୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବର୍ତ୍ତମାନ ସମୟକୁ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଧୀରେ ଧୀରେ କବଳିତ କରିବାକୁ ବସିଛି। କଳା, ସାହିତ୍ୟ, ଭାଷା, ଦାପ୍ତରିକ କାର୍ଯ୍ୟ ସବୁ କଥାରେ ଏଆଇର ସାହାଯ୍ୟ ନେଇ ମଣିଷ ସବୁକିଛିକୁ ଅଚିରେ କମ୍ ସମୟ ମଧ୍ୟରେ କରିପାରୁଛି। ଏବେ ଦିବଙ୍ଗତ ମହାପୁରୁଷଙ୍କ ଚଳମାନ ଭିଡିଓ ମଧ୍ୟ ତିଆରି କରାଯାଇ ସମସ୍ତଙ୍କୁ ଚକିତ କରୁଛି ଏଆଇ। ସଂପ୍ରତି ସୋସିଆଲ ମିଡିଆରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗୀତ ଗାଇବାର ଏକ ସୁନ୍ଦର ଓ ଉତ୍କଣ୍ଠା ସୃଷ୍ଟିକାରୀ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓଟିରେ ଶିଳ୍ପୀ କେଶୁ ଦାସଙ୍କ ରଚିତ ବହୁ ପ୍ରଶଂସିତ ୬ ମିନିଟର ଏକ ସଂଗୀତ ‘କେନେ କିସ ଜିଲ୍ଲାର ଛୁଆ ଆମେରେ’କୁ ୧୦ ସେକେଣ୍ଡରେ ସୁନ୍ଦର ଢଙ୍ଗରେ ଗାଉଛନ୍ତି ଫକୀରମୋହନ। ଏହି ଏଆଇ ପ୍ରସ୍ତୁତ ଭିଡ଼ିଓକୁ ଶିଳ୍ପୀ କେଶୁଦାସ ପ୍ରଯୋଜନା କରିଥିବା ବେଳେ ଯୁବ ଶିଳ୍ପୀ ଆୟୁଷ୍ମାନ ଯାଦବ ଜୀବନ୍ତ ଭାବରେ ଏଡିଟିଙ୍ଗ୍ କରିଛନ୍ତି। ଓଡ଼ିଶାର ଦିବଙ୍ଗତ ମହାପୁରୁଷଙ୍କୁ ନେଇ ଏହା ପ୍ରଥମ ଏଆଇ ଭିଡ଼ିଓ ବୋଲି ଶିଳ୍ପୀ କେଶୁଦାସ ଦାବୀ କରିଛନ୍ତି। “କେନେ କିସ ଜିଲ୍ଲାର ଛୁଆ ଆମେରେ” ଗୀତଟି ସମ୍ପୂର୍ଣ୍ଣ ୬ ମିନିଟରେ ପ୍ରସ୍ତୁତ କରାଯିବ, ଯେଉଁଥିରେ ଟୀକାକାର ଶ୍ରୀଧର ସ୍ବାମୀ, କବି ଦୀନକୃଷ୍ଣ ଦାସ, କଥା ସମ୍ରାଟ ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, କଥାଶିଳ୍ପୀ ମନୋଜ ଦାସ, ଐତିହାସିକ ମନ୍ମଥ ଦାସ, ଶାନ୍ତି ଦାସ, ଗୋଦାବରୀ ଦେବୀ ପ୍ରମୁଖ ଗୀତଟି ଗାଇବାର ଦୃଶ୍ୟାଙ୍କନ ରହିବ ବୋଲି ଶିଳ୍ପୀ କେଶୁ ଦାସ ଜଣାଇଛନ୍ତି। ଏହା ଏବେ ବେଶ୍ ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.