ନୀରଜ ଚୋପ୍ରାଙ୍କ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୫ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ନୀରଜ ଚୋପ୍ରା – ହିମାନୀ ମୋର ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦିଲ୍ଲୀର ଦି ଲୀଲା ପ୍ୟାଲେସରେ ଆୟୋଜିତ ବିବାହ ରିସେପ୍ସନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସୂଚନା ଅନୁଯାୟୀ, ବିବାହର ପ୍ରାୟ ଗୋଟିଏ ବର୍ଷ ପରେ ଅର୍ଥାତ୍ ଡିସେମ୍ବର ୨୬ରେ କର୍ଣ୍ଣାଲରେ ଏକ ରିସେପ୍ସନ ଆୟୋଜନ କରିଥିଲେ ଏବଂ ଦିଲ୍ଲୀର ଦି ଲୀଲା ପ୍ୟାଲେସରେ ଦ୍ୱିତୀୟ ରିସେପ୍ସନ ଆୟୋଜନ କରିଛନ୍ତି। ଶୁକ୍ରବାର କର୍ଣ୍ଣାଲରେ ହୋଇଥିବା ରିସେପ୍ସନରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସାଇନି ଯୋଗ ଦେଇଥିଲା ବେଳେ ଦିଲ୍ଲୀରେ ହୋଇଥିବା ରିସେପ୍ସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦମ୍ପତିଙ୍କୁ ଆଶୀର୍ବାଦ ଦେଇନଥିଲେ ବରଂ ସେମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରିଥିଲେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଅନେକ ପ୍ରମୁଖ ବ୍ୟକ୍ତି ମଧ୍ୟ ସ୍ୱାଗତ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ସେମାନେ ଯୋଗ ଦେଇପାରିନଥିଲେ। ନୀରଜ ନିଜେ ଏହି ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ। ପାର୍ଟିରେ ମୋଟ ୧୫୦ ଜଣ ଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଜଣାପଡ଼ିଛି।

କିଛିଦିନ ପୂର୍ବରୁ ନୀରଜ ଏବଂ ହିମାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଉଭୟଙ୍କ ସହିତ ନିଜର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।

ନୀରଜଙ୍କ ପତ୍ନୀ ହିମାନି ପୂର୍ବରୁ ଟେନିସ୍ ଖେଳୁଥିଲେ ଏବଂ ନ୍ୟୁ ହାମ୍ପଶାୟାରର ଫ୍ରାଙ୍କଲିନ୍ ପିଅର୍ସ ବିଶ୍ୱବିଦ୍ୟାଳୟରୁ କ୍ରୀଡା ପରିଚାଳନାରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏଥିସହିତ ସେ ଦିଲ୍ଲୀର ମିରାଣ୍ଡା ହାଉସରୁ ରାଜନୀତି ବିଜ୍ଞାନ ଏବଂ ଶାରୀରିକ ଶିକ୍ଷା ମଧ୍ୟ ଅଧ୍ୟୟନ କରିଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.