ବାଟ ମାରଣ ହେଉଛି ବାଲିପଡ଼ା ଗୋରୁବଜାର ଟିକସ ଅର୍ଥ

ଵବଜାରରେ ରହୁ ନାହାନ୍ତି ପ୍ରାଣୀ ଚିକିତ୍ସକ; ରହୁନି ଗୋରୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ପଞ୍ଚାୟତ ବାଲିପଡ଼ାରେ ଏକ ଗୋରୁବଜାର ରହିଛି। ଏହା ସପ୍ତାହର ସୋମବାର ଦିନ ଅନୁଷ୍ଠିତ ହୋଇଥାଏ। ଏଠାରେ କଳାହାଣ୍ଡି ଜିଲ୍ଲା ସହ ପଡ଼ୋଶୀ ବଲାଙ୍ଗୀର, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାର ଗୋରୁ ବେପାରୀମାନେ ହଜାର ସଂଖ୍ୟାରେ ଗୋରୁ ବିକ୍ରି କରିବା ପାଇଁ ଆଣିଥାନ୍ତି ଏହି ମାର୍କେଟକୁ। ବିକ୍ରୀ ପାଇଁ ୧୦,୦୦୦ ରୁ ଅଧିକ ସଂଖ୍ୟକ ଗୋରୁ, ମଇଁଷି, ଛେଳି ଓ ବୋଦା ଅଣା ଯାଇଥାଏ ଏହି ମାର୍କେଟକୁ। ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ତତଫରୁ ମାର୍କେଟରେ ଗୋରୁ କିଣାବିକା ହୋଇଥାଏ। ଏଠାରେ ନିୟୋଜିତ ଆର୍‌ଏମ୍‌ସି କର୍ମଚାରୀମାନେ ବଜାରକୁ ଆସୁଥିବା ବେପାରୀଙ୍କଠାରୁ ଟିକସ ଆଦାୟ କରନ୍ତି। ଏହା ବଦଳରେ ରସିଦ ଦିଅନ୍ତି। ହେଲେ ବିଗତ ଦିନରେ ଏହି ବଜାରରୁ ସାପ୍ତାହିକ ୧,୦୦,୦୦୦ ରୁ ୧,୨୦,୦୦୦ ଟଙ୍କା ଯାଏଁ ପ୍ରତି ସୋମବାର ଵଜାରରେ ଟିକସ ଆଦାୟ ହେଉଥିଲା। ହେଲେ ୬ ମାସ ପୂର୍ବରୁ ନୂଆ କର୍ମଚାରୀଙ୍କୁ ମାର୍କେଟର ଟିକସ ଆଦାୟ ଦାୟୀତ୍ୱ ଦିଆଯିବା ପରେ ଏବେ ଏହି ଟିକସ ଆଦାୟ ୪୦ ରୁ ୫୦,୦୦୦ ଟଙ୍କାକୁ ଖସି ଆସିଥିବା ଜଣାପଡିଛି। ଖବରରୁ ଜାଣିବାକୁ ମିଳିଛି ଯେ ଗୋରୁ ବ୍ୟବସାୟୀଙ୍କ ସହ ସଲା ସୁତୁରା ହୋଇ ବିନା ରସିଦ ରେ ହାତଗୁଞ୍ଜା ନେଇ ଗୋରୁ ଛାଡୁଥିବା କୁହାଯାଉଛି। ଏଵଂ ବିନା ରସିଦରେ ଆଦାୟ ଉକ୍ତ ଅର୍ଥକୁ ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀ ଓ ଆରଏମସି ମୁଖିଆଙ୍କୁ ସିଂହ ଭାଗ ଦେଇ ବାକି ନିଜେ ଚଳୁ କରୁଥିବା ଆଲୋଚନା ହେଉଛି। ଫଳରେ ୧,୨୦,୦୦୦ ଟଙ୍କା ଟିକସ ସରକାରଙ୍କୁ ଯିବା କଥା। ହେଲେ ମାତ୍ର ୪୦,୦୦୦ ଟଙ୍କା ଟିକସ ଦେଇ ବାକି ବାଟ ମାରଣ ହେଉଥିବା ଆଲୋଚନା ହେଉଛି। ଏଣୁ ପୁରୁଣା କର୍ମଚାରୀଙ୍କୁ ହଟାଇ ଦେଇ ନୂଆ କର୍ମଚାରୀଙ୍କୁ ଦାୟୀତ୍ୱ ଦେଇ କିଛି ଅଧିକାରୀ ଆରଏମସି କୁ ଟିକସ ଫାଙ୍କି କରି ନିଜ ପକେଟ ଗରମ କରି ମାଲାମାଲ ହେଉଥିବା ନାମ ଗୋପନ ରଖି କିଛି କର୍ମଚାରୀ ବଜାରର ଗୁମର କଥା କହିଛନ୍ତ। ଏହାବାଦ ଆରଏମସି ଗୋରୁ ବଜାର ପରିଚାଳନା କରୁଥିବା ବେଳେ ଗାଈ ଗୋରୁଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ବଜାରରେ ଭିଏସ ଉପସ୍ଥିତ ରହିବା କଥା, ପ୍ରାଣୀ ମାନଙ୍କ ପାଇଁ ପାନୀୟ ଜଳର ସୁବିଧା ରହିବା କଥା। ହେଲେ ବିଭାଗୀୟ ଅଧିକାରୀ ଏସବୁ କୁ ଗୁରୁତ୍ଵ ଦେଉନଥିବା କୁହାଯାଉଛି। ଏନେଇ ଆରଏମସି ସମ୍ପାଦକ ଜ୍ୟୋତି ରଞ୍ଜନ ଦାସଙ୍କ ମତାମତ ନେବାରୁ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ବାଲିପଡାରେ ଚାଲି ଆସୁଥିବା ଗୋରୁ ବଜାରରେ ହେଉଥିବା ଟିକସ ଫାଙ୍କି ଓ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ଉପରେ ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.