ସାହିତ୍ୟ ଅକାଦେମି ଓ ଗଙ୍ଗାଧର ମେହେର ପ୍ରତିଷ୍ଠାନ ପକ୍ଷରୁ ‘ଗଙ୍ଗାଧର ମେହେର’ ଶୀର୍ଷକ ଆଲୋଚନାଚକ୍ର

ଗଙ୍ଗାଧରଙ୍କ କାବ୍ୟ ସଦା ଝରାଏ ଅମୃତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟଋ ଅମୃତ ଝରିଆସୁଛି। ତାଙ୍କ କବିତାର ମାଧୁର୍ଯ୍ୟ ସର୍ବଦା ପାଠକ ପ୍ରାଣକୁ ମୁଗ୍ଧ କରିଆସିଛି। ସ୍ବଭାବକବିଙ୍କ କାବ୍ୟକବିତା କାଳଜୟୀ। ସାହିତ୍ୟ ଅକାଦେମି ଓ ଗଙ୍ଗାଧର ମେହେର ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଗଙ୍ଗାଧର ମେହେର’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଅବସରରେ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟଠାରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ଗୌରହରି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନାଚକ୍ରକୁ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଉଦ୍ଘାଟନ କରି ଗଙ୍ଗାଧର ସାହିତ୍ୟର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ।

ପ୍ରାକ୍ତନ ରାଜ୍ୟ ନିର୍ବାଚନ ଆୟୋଗ ସଂଜୀବ ଚନ୍ଦ୍ର ହୋତା ମୁଖ୍ୟ ଅତିଥି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଙ୍ଗାଧର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିଦ୍ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ମୂଳ ଭାଷଣ ପ୍ରଦାନ କରି ଗଙ୍ଗାଧରଙ୍କ କାବ୍ୟକବିତାର ମୌଳିକତା ଉପରେ ଆଲୋପାତ କରିଥିଲେ।

ପ୍ରାରମ୍ଭରୁ ସାହିତ୍ୟ ଅକାଦେମି କୋଲକାତାର ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନାଚକ୍ରର ଦ୍ବିତୀୟ ଅଧିବେଶନରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ସଭାପତିତ୍ବ କରିଥିଲେ। ଏହି ଆଲୋଚନାଚକ୍ରରେ ଡକ୍ଟର ମନୋଜ କୁମାର ପଣ୍ଡା, ଡକ୍ଟର ଶୁକମୁନି ମେହେର, ବିଜୟିନୀ ଶତପଥୀ, ଡକ୍ଟର ସୁଶୀଳ କୁମାର ବାଗ୍ ଯୋଗଦେଇ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଏ ଅବସରରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ରଚିତ ‘ମୁଁ ଗଙ୍ଗାଧରଙ୍କ ଆତ୍ମଜ କହୁଛି’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ନିବେଦିତା ମହାନ୍ତି ପରିଚାଳନା କରିଥିଲେ। ଏହି ଆଲୋଚନାଚକ୍ରରେ ଲେଖିକା ଶକୁନ୍ତଳା ବଳିୟାରସିଂ, ଡକ୍ଟର ଅର୍ଚ୍ଚନା ନାୟକ, ଡକ୍ଟର ଅରବିନ୍ଦ ରାୟ, ଗାଳ୍ପିକ ଦେବପ୍ରସାଦ ଦାଶ, କବି ପ୍ରଦୀପ ବିଶ୍ବାଳ, ବଙ୍ଗାଳି ନନ୍ଦଙ୍କ ସମେତ ବହୁ ବିଶିଷ୍ଟ କବି, ଲେଖକ, ଗବେଷକ, ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.