ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ପାଣି ସଂରକ୍ଷଣ, ଶୁଦ୍ଧ ଓ ସୁଚିତ ପାଣି ବ୍ୟବହାର ଏବଂ ଜିଲ୍ଲା ସ୍ତରରେ ପାଣି ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାରେ ୨୦୨୬ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ପାଣି ପଞ୍ଚାୟତ ସଦସ୍ୟ ମାନଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ, ଠିକ ସମୟରେ ପାଣି ଯୋଗାଣ, ନାଳ ଓ କ୍ୟାନାଲର ସଠିକ୍ ରକ୍ଷାଣା ବେକ୍ଷଣ ଏବଂ ପାଣିର ସମବଣ୍ଟନ ସୁନିଶ୍ଚିତ ହେଲେ ଚାଷୀ ମାନଙ୍କ ଅନେକ ସମସ୍ୟା ସମ୍ପୂର୍ଣ ଦୂର ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏସ୍.କେ. ଏହେଶାନ, କ୍ଷୁଦ୍ର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ମଲ୍ଲିକ, ପାରଳାଖେମୁଣ୍ଡିର ବୃହତ ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଯୋଷ ନାୟକ, ଓ.ସି.ସି.ର ବରିଷ୍ଠ ପରିଚାଳକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାଥୁଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦୁର୍ଯ୍ୟଧନ ଜାନି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଓ.ସି.ସି.ର ପରିଚାଳକ ଶ୍ରୀ ଯଜ୍ଞ ପ୍ରସାଦ ପ୍ରଧାନ ଓ ଗୁଣୁପୁର ଉଠା ଜଳସେଚନ ସହକାରୀ ଯନ୍ତ୍ରୀ ଶ୍ରୀ ମୋହନ ବେହେରା ଉପସ୍ଥିତ ଥିଲେ । ଅତିଥିମାନେ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଜଳସେଚନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ । ସେମାନେ କହିଥିଲେ ଯେ, ପୃଥିବୀର ତିନିଭାଗ ଜଳ ଥିବା ସତ୍ତ୍ୱେ ଉପଯୁକ୍ତ ପରିଚାଳନା ଅଭାବରୁ ଚାଷୀମାନେ ଆବଶ୍ୟକ ଅନୁଯାୟୀ ପାଣି ପାଇ ପାରୁନାହାନ୍ତି ଯାହା ଚାଷ ଉତ୍ପାଦନରେ ବଡ଼ ବାଧା ସୃଷ୍ଟି କରୁଛି । ଜଳ ସଂରକ୍ଷଣ ଓ ଉଚିତ ବ୍ୟବହାର ମାଧ୍ୟମରେ ସରକାର ଚାଷୀଙ୍କ ନିକଟରେ ପାଣି ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସୁଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ ପାଣି ପଞ୍ଚାୟତ ମାଧ୍ୟମରେ ଚାଷୀ ମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ତାଙ୍କ ଅଭିଯୋଗ ଓ ଆବଶ୍ୟକତାକୁ ଗୁରୁତ୍ୱ ସହ ବିଚାର କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ । ଚାଷୀଙ୍କ ହିତ ସୁରକ୍ଷା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଅତ୍ୟାବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଆୟୋଜିତ କୁଇଜ୍, ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ଛାତ୍ର ଛାତ୍ରୀ ଯଥା ନମିତା ଶବର, ବ୍ରଜରାଜ ଶବର, ରମାକାନ୍ତ ବେହେରା, ଦେବକୀ ଗୋହିରି, ଆଶୀର୍ବାଦ ଦୋରା, ଲିପି ପୃଷ୍ଟି, କୃଷ୍ଣରାଣୀ ରଣା, ଶ୍ରାବଣୀ ପ୍ରଧାନ, ଶୁଭଶ୍ରୀ ପରିଡା, ଶିରଶା କୁମ୍ଭାର, ଚାନ୍ଦିନୀ ଶବର, ଜଗନ୍ ପାଲକା, ମାନସ ସାମଲ, ସ୍ୱର୍ଣ୍ଣ ରୂପା ମହାପାତ୍ର ଓ ଲିକି ଶବରଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ, ପାଣି ପଞ୍ଚାୟତ ସଦସ୍ୟ ଓ ସରକାରୀ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ ହେବା ସହ ଆଗାମୀ ଦିନରେ ଜଳ ସଂରକ୍ଷଣ ଓ ଉଚିତ ବ୍ୟବହାର ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଛି ।





