ଚୈତ୍ର ପୂର୍ଣ୍ଣିମା ଓଡ଼ିଶାର ଏକ ପାରମ୍ପାରିକ ପର୍ବ। ଏହି ପୂର୍ଣ୍ଣିମା ଚଇତି ପୁନେଇଁ ବା ଚଇତ ପୁନେଇଁ ଭାବେ ମଧ୍ୟ ଜଣା। ଏହି ପର୍ବ ଓଡ଼ିଶାର କୃଷି ଓ ଲୋକ ସଂସ୍କୃତି ସହ ନିବିଡ଼ ଭାବେ ଜଡ଼ିତ। ଏହା କେଉଟ ଜାତିର ଲୋକଙ୍କଦ୍ୱାରା ଚୈତ୍ର ମାସ ପୂର୍ଣ୍ଣମୀ ତିଥିରେ (ମାର୍ଚ୍ଚ-ଅପ୍ରେଲ ଭିତରେ) ପାଳିତ ହୋଇଥାଏ। କେଉଟ ଜାତିର ଲୋକମାନେ ଏହି ପର୍ବକୁ ବହୁ ଉତ୍ସାହର ସହ ପାଳନ କରନ୍ତି, ଯେଉଁଠାରେ ବାସୁଳୀ ଦେବୀଙ୍କ ଘୋଡ଼ା ମୁଖ ହୋଇ ପୂଜା ପାଆନ୍ତି। କେଉଟମାନେ ଘୋଡ଼ାର ଏକ ଖୋଳ କରି ସେଥିରେ ପଶି ଘୋଡ଼ା ଚଢ଼ିବାର ଅଭିନୟ କରିଥାନ୍ତି। ଏହା ଚଇତିଘୋଡ଼ା ନାଚ ନାମରେ ଜଣା। ପୂର୍ଣ୍ଣମୀର ପୂର୍ବ ଆଠ ଦିନ ଧରି “ଚଇତି ପର୍ବ” ପାଳନ କରାଯାଏ। ଆଦିବାସୀମାନେ ଏହି ପର୍ବରେ ଦିନ ରାତି ବ୍ୟାପୀ ଭୋଜିଭାତ, ନାଚ, ଶିକାର ଆଦି କରିଥାନ୍ତି। ଘରର ମୁଖ୍ୟ ଏହିଦିନ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। ଘରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ ପୂର୍ବକ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଏହି ଦିନ ପଶୁବଳି ଦେବା ବିଧି ମଧ୍ୟ କିଛି ସମ୍ପ୍ରଦାୟରେ ରହିଛି। ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ “ଚଇତିଘୋଡ଼ା ନାଚ” ଅନୁଷ୍ଠିତ ହୋଇଥାଏ। ଅନ୍ୟପକ୍ଷରେ ସନାତନ ଧର୍ମରେ ଚୈତ୍ର ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁ ଏବଂ ଚନ୍ଦ୍ର ଦେବତାଙ୍କୁ ସମର୍ପିତ।





