ଜିଲ୍ଲା ପ୍ରଶାସନ ପାଳନ କଲା ‘ଓଡ଼ିଆ ପକ୍ଷ’ର ଦ୍ଵିତୀୟ ଦିନ : ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ କଲେ ସରକାରୀ ଅଧିକାରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ପକ୍ଷ’ର ଦ୍ଵିତୀୟ ଦିନକୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅତି ଉତ୍ସାହର ସହିତ ପାଳନ କରାଯାଇଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨ ଓ ୩ ତାରିଖ ‘ଓଡ଼ିଆ ପକ୍ଷ’କୁ ‘ପାରମ୍ପରିକ ପୋଷାକ ପରିଧାନ ଦିବସ – ଆମ ପୋଷାକ ଆମ ପରିଚୟ’ ଦିବସ ଭାବେ ପାଳନ କରାଯିବାକୁ ସ୍ଥିର କରାଯାଇଥିବାରୁ ଏହାକୁ ପାଳନ କରାଯାଇଥିଲା। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ୱର ଜିଲ୍ଳାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଏ ବିଷୟରେ ଅବଗତ କରାଇଥିଲେ ।

ଏହି ଅବସରରେ ଆଜି ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ କୁମାର ସିଂହ, ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ସାମନ୍ତରାୟ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପୂର୍ବାହ୍ନ ୧୧.୦୦ ଘଟିକାରେ ଓଡ଼ିଶାର ପାରମ୍ପରିକ ପୋଷାକ ପରିଧାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ।

ଏହାପରେ ସମସ୍ତେ ଏକତ୍ର ହୋଇ ଓଡ଼ିଶାର ଗୌରବମୟ ହସ୍ତତନ୍ତ ପରମ୍ପରାକୁ ପ୍ରସାର କରିବାକୁ ସମସ୍ତ ଅଧିକାରୀ/ଅଧିକାରିଣୀ ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ମହୋଦୟ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତଙ୍କ ତତ୍ତ୍ୱାବଧାନରେ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.