ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଉଛି ଗୁଡ୍ ଫ୍ରାଇଡେ। ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହି ଦିନକୁ ଅନେକ ଲୋକ ଏକ ଉତ୍ସବ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ତାହା ନୁହେଁ। ଗୁଡ୍ ଫ୍ରାଇଡେ’ ହେଉଛି ଏକ ଶୋକ ଦିବସ। ଏହି ଦିନ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇ ଶୋକ ପାଳନ କରାଯାଇଥାଏ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଗୁଡ ଫ୍ରାଇଡେ’କୁ ପବିତ୍ର ଫ୍ରାଇଡେ’, ଗ୍ରେଟ ଫ୍ରାଇଡେ’, ବ୍ଲାକ ଫ୍ରାଇଡେ’ ଏବଂ ଇଷ୍ଟର ଫ୍ରାଇଡେ’ ମଧ୍ୟ କୁହାଯାଏ। କୁହାଯାଏ ଯେତେବେଳେ ଯିହୁଦି ଶାସକମାନେ ଇସା ମସିହା ବା ଯୀଶୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ, ସେହି ଦିନ ଶୁକ୍ରବାର ଥିଲା। ଇସା ମସିହା ମାନବ ଜାତିର ମଙ୍ଗଳ ପାଇଁ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେ ଗୁଡ୍ ଫ୍ରାଇଡେ ଭାବେ ପାଳନ କରିଥାନ୍ତି। ଗୁଡ୍ ଫ୍ରାଇଡେରେ ସମସ୍ତ ଚର୍ଚ୍ଚ ଏବଂ ଚାପେଲ୍ସରେ ସାମୁହିକ ପ୍ରାର୍ଥନା ସଭାର ଆୟୋଜନ କରାଯାଏ। ଏହି ଦିନ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଉପବାସ କରନ୍ତି।





