ବାଲେଶ୍ବରରେ ପାଳିତ ହେଲା ପ୍ରଶାନ୍ତ ଦାସଙ୍କ ‘ଜରି ଗୋଟାଇବା ଝିଅ’ର ୨୮ତମ ଜନ୍ମଦିନ

• ଲେଖକର ବ୍ୟକ୍ତିଗତ ଜୀବନ ତା’ ସର୍ଜନାକୁ ପ୍ରଭାବିତ କରେ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ଵର ଦୁଃଖୀ ଓ ନିଷ୍ପେସିତ ସାଧାରଣ ମଣିଷଙ୍କୁ ସମର୍ପିତ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ’ର ୨୮ତମ ଜନ୍ମୋତ୍ସବ ଏକ କବିତାମୟ ପରିବେଶରେ ‘ଶ୍ରୀ’ ଶିକ୍ଷା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଭାଷାରେ ଅନୁବାଦିତ ହୋଇଥିବା ‘ଜରି ଗୋଟାଇବା ଝିଅ’ ପୁସ୍ତକର କବିତାକୁ ଅତିଥି ଓ ପାଠକମାନେ ପାଠ କରି ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଉକ୍ତ ଜନ୍ମୋତ୍ସବକୁ ‘ଜରି ଗୋଟାଇବା ଝିଅ’ର ସଂସ୍କୃତ ଅନୁବାଦକ ‘ଜରି ସଂଗ୍ରାହିକା ବାଲା’ରୁ ଏକ କବିତା ‘କାର୍ଯ୍ୟା ଇପ୍‌ସିତା’କୁ ପାଠ କରିଥିଲେ। ଏହି ଆସରକୁ ଅନୁବାଦକ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ ଉଦ୍‌ଘାଟନ କରିବା ସହ ପୁସ୍ତକ ବିଷୟରେ ନିଜର ଭାବଗର୍ଭକ ବକ୍ତବ୍ୟ ରଖୁଥିଲେ। ଅତିଥି ଭାବେ ବୈଷ୍ଣି ସ୍ଵାଇଁ ‘ଜରି ଗୋଟାଇବା ଝିଅ’ର ହିନ୍ଦୀ ଅନୁବାଦ ପୁସ୍ତକ ‘ଜରି ଚୁନ୍‌ନେ ବାଲୀ ଲଡ଼କି’ର ଏକ କବିତା ‘କବି ହୁଁ ମେଁ’ ଓ ଇଂରାଜୀ ଅନୁବାଦ ‘ପୋଲିସ୍କାର୍ପ ପିଙ୍କି ଗାର୍ଲ’ ପୁସ୍ତକରୁ ଏକ କବିତା ‘ଦି ମେଡ୍ ସର୍ଭେଣ୍ଟ୍’କୁ ରୁବିତା ନାୟକ ପାଠ କରିବା ସହ ନିଜ ନିଜର କଥା ରଖିଥିଲେ।ଅନ୍ୟତମ ବକ୍ତା ଭାବେ ଗାୟତ୍ରୀ ଆଚାର୍ଯ୍ୟ ଯୋଗଦାନ କରି ‘ଜରି ଗୋଟାଇବା ଝିଅ’ ପୁସ୍ତକରୁ ଏକ କବିତା ‘ଝିଅର ନାମ ଆଶା’ ପାଠ କରିବା ସହ ନିଜ ବକ୍ତବ୍ୟରେ ରେ କହିଲେ ଯେ ଲେଖକର ବ୍ୟକ୍ତିଗତ ଜୀବନ ତା’ର ସର୍ଜନାକୁ ପ୍ରଭାବିତ କରିଥାଏ ଓ ଲେଖକଟି ନିଜ ନିଜ ଅନୁଭବର କଥା କବିତାରେ ଲେଖି ଦେଇଥାଏ। ଉତ୍ସବରେ ‘ଜରି ଗୋଟାଇବା ଝିଅ’ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କମିଟିର ସଂପାଦକ ରାଜେଶ ଗିରି ପୌରୋହିତ୍ୟ କରିଥିଲେ। ପ୍ରଥମେ ଲେଖକ କବି ଶ୍ରୀ ପ୍ରଶାନ୍ତ ଦାସ ନିଜ କବିତା ପଛରେ ଥିବା ବାସ୍ତବତାକୁ ଅବତାରଣା କରିଥିବା ବେଳେ ବିପ୍ଳବ ଦାସ ମହାପାତ୍ର ସ୍ଵାଗତ କଥା ରଖିଥିଲେ। ରୌପ୍ୟଜୟନ୍ତୀ ବର୍ଷ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ମହାବିଦ୍ୟାଳୟରେ ‘ସମାଜ, ସାହିତ୍ୟ ଶ୍ରଦ୍ଧା ଓ ସମ୍ବେଦନଶୀଳତା’ ଶୀର୍ଷକ ଆଲୋଚନା ଚକ୍ର ୧୫ଟି ଆୟୋଜିତ ହୋଇ ସାରିଥିବା ବେଳେ ଚଳିତବର୍ଷ ଆଉ ୧୦ଟି ଆୟୋଜନ ହେବ ଓ ରୌପ୍ୟ ଜୟନ୍ତୀ ଉତ୍ସର ସମାପନ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଉତ୍ସବରେ ଅଂଶଗ୍ରହଣ କରି ପ୍ରେୟସୀ ମହାପାତ୍ର, ନନ୍ଦିତା ନାୟକ, ପ୍ରତିମା ତ୍ରିପାଠୀ, ସରସ୍ଵତୀ ଭୋଇ, ସୁପ୍ରଭା ଦଳେଇ, ଅମରଜିତ ଦାସ, ସୁକୁମାର ଘୋଷ, ରଂଜନା ଘୋଷ, ଅନୁପ ଦାସ ପ୍ରମୁଖ ନିଜ ନିଜର କଥା ରଖିଥିଲେ। ଶେଷରେ ପ୍ରତି ଉତ୍ସବ ଭଳି ଅଭିଜିତ୍ ମହାପାତ୍ର ଓ ରାଜେଶ ଗିରି ମିଳିତ ଭାବେ ଉପସ୍ଥିତ ଅତିଥିଙ୍କ ଗହଣରେ ‘ଜରି ଗୋଟାଇବା ଝିଅ’ର ଜନ୍ମଦିନ କେକ୍ କାଟିଥିଲେ ଓ ସନ୍ତୋଷ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.