ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଭାଗୁଡ଼ି ଘାଟିର ଏକ ବୁଲାଣିରେ ଏକ ଧାନ ବୋଝେଇ ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ମୁକୁନ୍ଦପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ କୋଲନରା ସ୍ଥିତ ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ସୂଚନା ମୁତାବକ କାଲି ଅପରାହ୍ନ ପ୍ରାୟ ସାଢେ଼ ଦୁଇ ଘଣ୍ଟା ସମୟରେ (ଓଡି ୦୭ ବିଏ ୧୪୨୧) ନମ୍ବର ବିଶିଷ୍ଟ ଏକ ମିନି ଟ୍ରକଟି ମୁକୁନ୍ଦପୁର ଠାରୁ ଧାନ ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଗୁରୁବାର ସାପ୍ତାହିକ ହାଟ ଥିବାରୁ ବିଷମକଟକ ବ୍ଲକ ସ୍ଥିତ ଦୁର୍ଗୀ ଅଞ୍ଚଳର କାଳିପଦର ଗ୍ରାମର ଦମ୍ପତି ହାଟକୁ ଆସିଥିଲେ । ପରେ ଉକ୍ତ ମିନି ଟ୍ରକ୍ ରେ ସେହି ଦମ୍ପତି ଲିଫ୍ଟ ମାଗି ତାଣ୍ଡିକଣା ଛକକୁ ଯାଉଥିବା ସମୟରେ ହାତୀଖମ୍ବା ଗାଁ ପାଖରେ ଥିବା ଭାଗୁଡି ଘାଟିର ଏକ ବୁଲାଣିରେ କୌଣସି କାରଣରୁ ହଠାତ୍ ଭାରସାମ୍ୟ ହରାଇ ମିନି ଟ୍ରକ୍ ଟି ଲୁହାର ବେରିକଡକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଘାଇକୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ବସିଥିବା କାଳିପଦର ଗ୍ରାମର ମହିଳା ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଓ ମୃତ ମହିଳାଙ୍କ ସ୍ଵାମୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ବଦାନ୍ୟ ବ୍ୟକ୍ତି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଉଭୟ ଡ୍ରାଇଭର ଓ ମୃତ ମହିଳାଙ୍କ ସ୍ୱାମୀକୁ ଉଦ୍ଧାର କରି ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ମୁକୁନ୍ଦପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ନିଜ ପୋଲିସ ଟିମ୍ ସହିତ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲେ | ଦୁର୍ଘଟଣା ଗ୍ରସ୍ତ ମିନି ଟ୍ରକର ଡ୍ରାଇଭର ଅଧିକ ଗୁରୁତର ହେବାରୁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। କେଉଁ କାରଣରୁ ଦୁର୍ଘଟଣା ଘଟିଲା ଫାଣ୍ଡି ଅଧିକାରୀ ଶ୍ରୀ ତ୍ରୀପାଠୀ ତଦନ୍ତ କରିଛନ୍ତି।





