ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ତିଦୀପ ଆଦିତ୍ୟ): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ (ଏଓଏସସିଏଫ) କଳାହାଣ୍ଡି ଜିଲ୍ଲାରେ ମାସ ତମାମ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଜୁନାଗଡ ଶାଖା ତରଫରୁ ବୁଡିଦର ଠାରେ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଜୁନାଗଡ ବ୍ଳକର ହାରାହାରି ୧୦ଟି ପଞ୍ଚାୟତରୁ ଶହ ଶହ ଛାତ୍ରଛାତ୍ରୀ ମହିଳା ଯୁବକ ବାଜାଗାଜା ସହ ନାଚ ଗୀତ କରି ବିଶାଲ ଶୋଭାଯାତ୍ରା ବାହାରି ବୁଡିଦର ଗାଁ ପରିକ୍ରମା କରିଥିଲେ।ବାବାସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା। ଧନୁର୍ଯୟ ନାଏକ, ଡଃ ବିବେକାନନ୍ଦ ମହାନନ୍ଦ, ଡଃ ଆବର୍ତ୍ତ ତାଣ୍ଡି, ଡଃ ବିରେନ୍ଦ୍ର ସୁନା, ଅଜିତ ଭୋଇ, ଚିତ୍ତରଞ୍ଜନ ନିଆଲ, କାନ୍ଚନ ବାଗ, ବିଜୟ ଛତ୍ରୀଆ, ପ୍ରମୋଦ ଛତ୍ରୀଆ, ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ ଅତିଥି ଭାବରେ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ବାସୁଦେବ ତାଣ୍ଡି। ଅବହେଳିତ ଶୋଷିତ ବଞ୍ଚିତ ସମାଜ କେମିତି ଶିକ୍ଷା ସମାଜିକ ଆର୍ଥିକ ବ୍ୟବସ୍ଥାରେ ସମାନତା ଆଣିବା ସହ ଦେଶକୁ ଜାତି ଧର୍ମ ଉର୍ଦ୍ଧ୍ଵରେ ଏକତ୍ରୀତ ହୋଇ ମାନବବାଦ ପ୍ରତିଷ୍ଠା କରିବା ବାବାସାହେବ ଆମ୍ବେଦକରଙ୍କ ସ୍ଵପ୍ନ କୁ ସାକାର କରିବା ଦେଶର ସମସ୍ତ ନାଗରିକଙ୍କ ଦାୟିତ୍ବ ବୋଲି ସମସ୍ତ ବକ୍ତା କହିଥିଲେ। ଏହି କାର୍ଯ୍ୟକ୍ରମକୁ ବୁଡିଦର ଗାଁର ଆମ୍ବେଦକରବାଦୀ ମାନେ ଆୟୋଜନ କରିଥିଲେ।





