ସରିଲା ନୂଆଖାଇ, ଆଜି ବାସି ପର୍ବ

ଭୁବନେଶ୍ବର,୪/୯ : ଭାଦ୍ର ଶୁକ୍ଲ ପଞ୍ଚମୀ ତିଥିରେ ଅବିଭକ୍ତ କଳାହାଣ୍ଡି (ଅଂଶ), ବଲାଙ୍ଗିର, କୋରାପୁଟ(ଅଂଶ), ସମ୍ବଲପୁର, ବୌଦ, ସୁନ୍ଦରଗଡ ସମେତ ପଡ଼ୋଶୀ ଛତିଶଗଡ ଓ ଝାରଖଣ୍ଡର କେତେକ ଅଞ୍ଚଳରେ ମହାପାର୍ବଣ ନୂଆଖାଇ ସମ୍ପନ୍ନ ହୋଇଯାଇଛି ଓ ଆଜି ନୂଆଖାଇ ବାସି ପାଳିତ ହେଉଛି । ତେବେ କଳାହାଣ୍ଡିର ଭବାନୀପାଟଣା, ଲାଞ୍ଜିଗଡ, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା ଆଦି ଗଡଜାତ ଅଞ୍ଚଳମାନଙ୍କରେ ଦଶମୀ ତିଥିରେ ନୂଆଖାଇ ପାଳନ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ, ଶିକାରଜୀବୀ ସମାଜରେ ଅରଣ୍ୟଦେବୀ ଭାବେ ଉପାସିତା ଧରିତ୍ରୀମାତା ବା ଧର୍ନୀଦେବୀ କୃଷିଜୀବୀ ସମାଜରେ କୃଷି ଆଧାରର ଦେବୀ ଭୂଦେବୀ ବା ଧର୍ନୀଦେବୀ ଭାବେ ପରିବର୍ତ୍ତିତ ହେଲେ । ଧର୍ନୀ ତତ୍ତ୍ୱରୁ ପରବର୍ତ୍ତୀ ସମୟରେ ମାତୃଦେବୀ / ଉପଦେବୀମାନଙ୍କର ବିବର୍ତ୍ତନ ହୋଇଥିଲା ।

Udyog Nursery
Udyogi Nursery

 

ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ କୃତଜ୍ଞତା ସ୍ୱରୂପ କୃଷିଜୀବୀ ସମାଜ ଶସ୍ୟଦାୟିନୀ ଧର୍ନୀଦେବୀଙ୍କଠାରେ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଅର୍ପଣ ପୂର୍ବକ ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ ।

ତେଣୁ ନୂଆଖାଇ ପୂର୍ବଦିନ ଧର୍ନୀ ପୀଠମାନଙ୍କରେ ପାରମ୍ପାରିକ ଖେଡଶୁଆ କାର୍ଯ୍ୟକ୍ରମ ଗୌନ୍ତିଆ, ଝାଙ୍କର, ଗଣା ଆଦିଙ୍କ ତତ୍ତ୍ୱାବଧାନରେ ସଂପନ୍ନ ହେବାପରେ, ପଞ୍ଚମୀ ତିଥିରେ ଗୃହରେ ପିତୃ ଓ ଇଷ୍ଟ ଦେବାଦେବୀମାନଙ୍କ ପାଖରେ ନବାନ୍ନ ଲାଗି ହେବାପରେ ପରିବାରର ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ ।

ସମ୍ବଲପୁରରେ ସମଲେଶ୍ବରୀ, ସୋନପୁରରେ ସୁରେଶ୍ବରୀ, ବଲାଙ୍ଗିରରେ ପାଟଣେଶ୍ବରୀ, ଜୁନାଗଡରେ ଲଙ୍କେଶ୍ବରୀ ଆଦି ଦେବୀପୀଠମାନଙ୍କରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପାରମ୍ପାରିକ ବିଧିବିଧାନ ଅନୁସାରେ ନୂଆଲାଗି ହୋଇଥିଲା ।

ସଭ୍ୟତାର କ୍ରମବିକାଶ ଧାରା ସହିତ ଆଦିମ ଆଦିବାସୀ ସଂସ୍କୃତିରେ ଆର୍ଯ୍ୟ ଗୋଷ୍ଠୀର କେତେକ ତତ୍ତ୍ୱର ସମ୍ମିଶ୍ରଣ ଘଟିଛି । ସେହି ଆଧାରରରେ ଆଦିବାସୀ ଚେତନାର ଅନେକ ଦେବାଦେବୀ ଆର୍ଯ୍ୟମାନଙ୍କ ଦ୍ୱାରା ମହାନ ଦେବାଦେବୀର ରୂପ ନେଇଛନ୍ତି । ସମୟଚକ୍ରରେ ପ୍ରକୃତି ଓ ପିତୃପୁରୁଷଙ୍କ ଉପାସନା କରୁଥିବା ଆଦିବାସୀ ମୂର୍ତ୍ତିତତ୍ତ୍ୱର ମଧ୍ୟ ଆଶ୍ରୟ ନେଇଛି ।

 

ତେବେ କେଉଁଏକ ସ୍ମରଣାତୀତ କାଳରୁ ଆରମ୍ଭ ହୋଇଥିବା ନୂଆଖାଇ ପାର୍ବଣ ଆଜି ମଧ୍ୟ ପ୍ରାଚୀନ ରୀତିନୀତି, ପରମ୍ପରା ଓ ଧର୍ମ ବିଶ୍ୱାସ ଦ୍ୱାରା ପାଳିତ ହୋଇଥାଏ । ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟ ଓ ନୂତନ ପ୍ରସ୍ତର ଯୁଗର କୃଷିଜୀବୀ ମନୁଷ୍ୟର ମାନସପଟ୍ଟରେ ସୃଷ୍ଟି ହୋଇଥିବା ପ୍ରଥା, ପରମ୍ପରା, ଧାର୍ମିକ ରୀତିନୀତି ଓ ସାମାଜିକ ବ୍ୟବସ୍ଥାର ଏକ ସୁନ୍ଦର ଚିତ୍ର ନୂଆଖାଇ ପାର୍ବଣ ମାଧ୍ୟମରେ ଚିତ୍ରିତ ହୋଇଥାଏ ।

ନୂତନ ଶସ୍ୟ ଧର୍ନୀ ଦେବୀଙ୍କଠାରେ ଅର୍ପଣ କରି କୃଷକ ଭୂଦେବୀଙ୍କଠାରେ କୃତଜ୍ଞ ରହିବା ସହ ଏହି ମହାନ ପାର୍ବଣର ସୃଷ୍ଟି କରିଥିବା ପିତୃପୁରୁଷଙ୍କୁ ନୂଆଖାଇ ଅବସରରେ ଆବାହନ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ଧାନରୁ ତିଆରି ପ୍ରସାଦ ଅର୍ପଣ କରି ସେମାନଙ୍କଠାରେ କୃତଜ୍ଞ ରହିଥାଏ ।

ନୂତନ ପ୍ରସ୍ତରଯୁଗୀୟ ସଭ୍ୟତାରୁ ଆଜି ପର୍ଯ୍ୟନ୍ତ କୃଷିଜୀବୀ ମନୁଷ୍ୟ କୃଷିକର୍ମ ପାଇଁ ପରିବାର, ଗୋଷ୍ଠୀ ତଥା ସମାଜର ସାହାଯ୍ୟ ନେଇଆସିଛି । ସମସ୍ତଙ୍କ ସହଯୋଗରେ କୃଷକ ନୂତନ ଫସଲ ଉତ୍ପାଦନ କରିପାରୁଥିବାରୁ ସେ ତାର ଖୁସି ପରିବାର, ଗୋଷ୍ଠୀ ତଥା ସମାଜ ସହ ବ୍ୟକ୍ତ କରିବାର ଏକ ଅପୂର୍ବ ଅବସର ନୂଆଖାଇ ମାଧ୍ୟମରେ ପାଇପାରିଥାଏ ।

ଆଦିମ କାଳରୁ ମାନବର ଧର୍ମ ବିଶ୍ୱାସ ସହ ଜଡ଼ିତ ହୋଇଆସିଥିବା ଧର୍ନୀ ଦେବୀ ସମେତ ଡଙ୍ଗରବୁଡ଼ା, ବୁଡାରଜା, ଗଙ୍ଗାଦି, ଦୂଲା, ଗବ୍ଡ଼ା, ମାଏଲି ଆଦି ଅସଂଖ୍ୟ ଦେବାଦେବୀଙ୍କୁ ଏହି ପାର୍ବଣ ସମୟରେ ସନ୍ତୁଷ୍ଟ କରିବା ପାଇଁ ପରମ୍ପରା ଅନୁକ୍ରମରେ ପୂଜା ଆରାଧନାର ବ୍ୟବସ୍ଥା ରହିଛି । କୃଷକ ଏହି ଅନୁଷ୍ଠାନ ମାଧ୍ୟମରେ ପାରମ୍ପରିକ ଦେବାଦେବୀମାନଙ୍କ ପାଖରେ କୃତଜ୍ଞ ରହିଥାଏ ।

ସାମାଜିକ ବ୍ୟବସ୍ଥାର ସଂରକ୍ଷକ ବୟୋବୃଦ୍ଧ ଜନତା ତଥା ଗ୍ରାମୀଣ ଜନତାର କୁଳପତି, ଦଳପତି, ଜାନୀ, ଝାଙ୍କର ଓ ଗଣାମାନେ ସମାଜକୁ ଶୃଙ୍ଖଳିତ କରି ରଖିବାରେ ପ୍ରମୁଖ ଭୂମିକା ନିଭାଉ ଥିବାରୁ କୃଷକ ସେମାନଙ୍କୁ ମଧ୍ୟ ଏହି ପାର୍ବଣ ମାଧ୍ୟମରେ ପ୍ରଣାମ ଓ ଭେଟି ଦେଇ କୃତଜ୍ଞ ରହିଥାଏ । ତେଣୁ ନୂଆଖାଇ କୃତଜ୍ଞତା ଜ୍ଞାପନ କରିବାର ଏକ ମହାନ ପର୍ବ ଭାବେ ସ୍ୱୀକୃତି ଲାଭ କରିଆସିଅଛି ।

ନୂଆଖାଇ ପ୍ରାଚୀନ କାଳରୁ ଅନୁସୃତ କେତେକ ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ । ଏହି ପ୍ରଥା ଓ ପରମ୍ପରା ମଧ୍ୟରେ ରହିଛି ରୁଗୀବଲା ଓ ପନାପାଏନ୍ ଢଲା, ଖେଡ଼ଶୁଆ, ଉପାସ ଓ ପିତୃ ଆବାହନ, ଜୁଗାର୍ ଭାର୍ ଇତ୍ୟାଦି । ପଞ୍ଚମୀ ତିଥି ପୂର୍ବରୁ ଏସବୁ କାର୍ଯ୍ୟକ୍ରମ ସରିବାପରେ ନୂଆଖାଇ ଦିନ ସକାଳୁ ଗୃହକର୍ତ୍ତା କ୍ଷେତକୁ ଯାଇ ପୂଜାର୍ଚ୍ଚନା କରି ଧାନ କେଣ୍ଡା ଆଣିଥିଲେ । ପରିବାରର ମହିଳାମାନେ ଏହାକୁ ପାହାରୁନ୍ କିମ୍ବା ଢେଙ୍କି ସାହାଯ୍ୟରେ କୁଟି ଚୁଡ଼ା ବାହାର କରିଥିଲେ । ମଶାନକୁନାକୁ ସୁନ୍ଦର ଭାବେ ଝୋଟି ଦେଇ ସଜାଇ ଦିଆଯାଇଥାଏ ।

ଘରେ ସ୍ୱତନ୍ତ୍ର ଭାବେ ପିଠା ଓ କ୍ଷୀରି ତିଆରି କରି ମଶାନକୁନାରେ ପିତୃପୁରୁଷ ଓ ଇଷ୍ଟଦେବୀଙ୍କ ପାଖରେ ରଖିଥିଲେ । ପୂର୍ବରୁ ପ୍ରସ୍ତୁତ ନୂଆ ଧାନର ଚୁଡ଼ାରେ ନବାତ, କ୍ଷୀର, ଘିଅ ଆଦି ଦେଇ ସୁନ୍ଦର ଭାବେ ନବାନ୍ନ ତିଆରି କରିଥିଲେ । ଏହି ନବାନ୍ନକୁ କୁରେ ପତ୍ରରେ ମଶାନକୁନାରେ ବଢ଼ାଯାଇ  ପାରମ୍ପରିକ ରୀତିରେ କୁଳାଚାର ଭାବରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଗୁହାଳ ଘରକୁ ମଧ୍ୟ ନବାନ୍ନ ଯାଏ । ଏହାପରେ ପରିବାରର ସମସ୍ତେ ବଡ଼ରୁ ସାନ କ୍ରମରେ ନବାନ୍ନ ଭକ୍ଷଣ କରିଥିଲେ ।

ଏହାପରେ ସମସ୍ତେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିଥିଲେ । ପରିବାରର ଛୋଟଛୋଟ ଶିଶୁମାନଙ୍କୁ ଏକାଠି ବସାଇ ସେମାନଙ୍କୁ ଘରର ପୁରୁଷ ଓ ମହିଳାମାନେ ଚାଉଳ, ଫୁଲ, ଚନ୍ଦନ ଦେଇ ବନ୍ଦାଇ  ଗୋରସରେ ପାଦ ପ୍ରକ୍ଷାଳନ କରିଥିଲେ । ଏହାପରେ ସମସ୍ତେ ଏକାଠି ବସି ଘରେ ପ୍ରସ୍ତୁତ ହୋଇଥିବା ନାନା ପ୍ରକାର ବ୍ୟଞ୍ଜନ ଭୋଜନ କରି ବାହାରକୁ ବାହାରି ପାଖ ପଡ଼ୋଶୀମାନଙ୍କୁ ଜୁହାର୍ ଭେଟ୍ କରିଥିଲେ ।

ନୂଆଖାଇ ସନ୍ଧ୍ୟାରେ ହଲିଆ ତୁଲିଆ ଓ ବୟୋବୃଦ୍ଧମାନେ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଘରକୁ ଯାଇ ନୂଆଖାଇ ଟଙ୍କା ଆଣି ମଦ ପିଇଥିବା ଦେଖାଯାଇଥିଲା । ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିମାନେ ତାସ୍ ଖେଳିବା ସହ ଢାପ୍, ଘୁଡ଼କା, ଘୁମରା ଆଦି ମନୋରଞ୍ଜନଧର୍ମୀ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ ।

ଆଜି ନୂଆଖାଇ ପରଦିନକୁ ବାସି ଭାବେ ପାଳନ କରାଯାଉଛି । ଏହା ହେଉଛି ମଉଜ ମଜଲିସର ଦିନ । ଏହି ଦିନ ନୂଆ ଧାନ ଆସିବା ଖୁସିରେ ସମସ୍ତେ ମସଗୁଲ ହୋଇଯାଇଛନ୍ତି । ଘରେ ଘରେ ମାଂସ ରନ୍ଧାଯାଇ ସମସ୍ତେ ଖୁସି ମନରେ ଖାଉଛନ୍ତି ।

ନୂଆଖାଇର ସପ୍ତାହେ ମଧ୍ୟରେ ଗୃହକର୍ତ୍ତା କିମ୍ବା ପରିବାରର ସଦସ୍ୟମାନେ ଝିଅଜ୍ୱାଇଁ, ବନ୍ଧୁବାନ୍ଧବ ଘରକୁ ବୁଲିଯିବାର ମଧ୍ୟ ପରମ୍ପରା ରହିଛି ।

ବ୍ୟୁରୋ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.