ଅରବିନ୍ଦ ଦାସଙ୍କ ଗଳ୍ପ : ଖାସୀ

 

ଅରବିନ୍ଦ ଦାସ

ଭୀଷଣ ଭିଡ଼ ଥିଲା ମାଂସ ଦୋକାନ ସାମ୍ନାରେ। “ନୂଆଖାଇ ବାସି, ଘରେଘରେ ଖାସୀ” ସତେ ଯେମିତି ଏଇ ସ୍ଲୋଗାନ ପବନରେ ଉଡ଼ିବୁଲୁଥିଲା। ଗତକାଲି ନବାନ୍ନ ଓ ଅନ୍ୟ ପାରମ୍ପରିକ ଖାଦ୍ୟ ପରେ ଆଜି ଆଇଁଷର ତଡ଼କା।

ପଦନା କାନରେ ପଡୁଥିଲା ଲୋକଙ୍କ କଥାବାର୍ତ୍ତା,” ଶଳେ ମାଂସ ଦୋକାନୀ ଗୁଡାକ ଆଜି ଡକାୟତ ପାଲଟି ଯାଇଛନ୍ତି।ଦିନ ଦି ପହର ରେ ଖୋଲାଖୋଲି ଲୁଟ !ପାଣି ମିଶାଉଛନ୍ତି ଆଉ ସୁନା ଭାଉରେ ବିକୁଛନ୍ତି।”

ଖୁସି ହୋଇଗଲା ପଦନା।ଆଜି ତାହେଲେ ତାକୁ ଭଲ ଟଙ୍କା ମିଳିବ।ସାଇକେଲ ଆଗ ହ୍ୟାଣ୍ଡେଲ ରେ ଓହଳା ହୋଇଥିବା ବ୍ୟାଗରେ ପଶାଇଛି ଛେଳିକୁ।ସହରରେ ଅଧିକ ଦାମ ମିଳିବ।ଗାଁ’ରେ ରାଜାକ ପଠାଣ, ଛେଳିଟାକୁ ଶାଗ ମାଛ ମୂଲରେ କିଣିବାକୁ ଚାହୁଁଥିଲା।

ଆଠ କିଲୋମିଟର ସାଇକେଲ ଚଳାଇଆସିଲାଣି ସେ।ସାମ୍ନାରେ ଠାକୁରାଣୀ ମନ୍ଦିର।ହାତ ଯୋଡି ମାନସିକ କଲା ପଦନା।
– ମା,ଲୋ ଭଲ ରେଟରେ ଛେଳି ଗଲେ ଆଜି ଫେରିଲା ବେଳକୁ ନଡ଼ିଆ ବାଡେଇବି।

ବ୍ୟାଗ ଭିତରୁ କରୁଣ ଚାହାଣୀରେ ଅନାଇଥିଲା ଛେଳି।ଠାକୁରାଣୀ ମନ୍ଦିର ଆଡ଼କୁ ଅନାଇ ମେଁ କିନା ଚୋବାଇ ଉଠିଲା।

ସତେ ଯେମିତି ଆକୁଳ ପ୍ରାର୍ଥନା କରୁଥିଲା।ସମସ୍ତେ କୁହନ୍ତି ମା ଭାରି ପ୍ରତ୍ୟକ୍ଷ।ଡାକିଲେ ଓ ବୋଲି କୁହନ୍ତି।ତା ଡାକ କଣ ଶୁଣିବେ ମା ?
– ମୋ ଜୀବନ ଆଜି ବଞ୍ଚା ମା।”ମେଁ ମେଁ ସ୍ୱରରେ ସତେ ଯେମିତି କହୁଥିଲା।ହେଲେ ଆଜି ସେ ବଞ୍ଚିଲେ, ପ୍ରତିବଦଳରେ କଣ ଦେବ ମା’ଙ୍କୁ ?

ମାଂସ ହାଟରେ ପହଁଚିଲା ପଦନା।ଗୋଟିଏ ଦୋକାନରୁ ଆଉ ଗୋଟାଏ ଦୋକାନ।ସବୁଠି ସେଇ ଗୋଟିଏ ଉତ୍ତର ପାଉଥିଲା ପଦନା।
– ଆଜି ସମସ୍ତଙ୍କର ଖାସୀ ଦରକାର।ତୁ ତ ବୁଢ଼ୀ ଛେଳି ନେଇକି ଆସିଛୁ।ଖାସୀ ନେଇକି ଆସେ।
– ଖାସୀ କେଉଁଠୁ ଆଣିବି ?ଯାହା ଦାମ ଦେଉଛ ଦିଅ,ଏଇଟାକୁ ନିଅ।
– ପାଗଳ ହେଲୁକି ?ବୁଢ଼ୀ ଛେଳି କାଟିଛୁ ବୋଲି ଲୋକେ ଜାଣିଲେ, ଆମ ଦୋକାନ ମାଟି ମାଡିବେନି।ଯା ଏଠୁ।

ଖୁସି ହୋଇଗଲା ଛେଳି।ଭଲ ହୋଇଛି ସେ ଖାସୀ ହୋଇନି।

ହତାଶ ହୋଇ ଗାଁ ରାସ୍ତାରେ ଫେରୁଥିଲା ପଦନା।ବାଟରେ ପଡ଼ିଲା ଠାକୁରାଣୀ ମନ୍ଦିର।

ମୁଣ୍ଡରୁ ଝାଳ ପୋଛି ପଦନା ଧୀର ସ୍ୱରରେ କହିଲା,” ମାର୍କେଟ ରେ ଖାସୀଙ୍କ ଡିମାଣ୍ଡ ରଖି ମୋ ଡାକ ଶୁଣିଲୁନି ।କେହି ନେଲେନି।ନଡ଼ିଆ ଆଉ କଣ ବାଡେଇବି ?

ଛେଳିଟା କୃତଜ୍ଞତା ସ୍ୱରୂପ ଵୋବାଇ ଉଠିଲା,
– ମେଁ, ମେଁ।(ସତେ ଯେମିତି ଠାକୁରାଣୀଙ୍କୁ ଧନ୍ୟବାଦ ଦେଉଥିଲା ତା ଜୀବନ ବଞ୍ଚାଇଲେ ବୋଲି।)

ସାଇକେଲ ପେଡାଲ ମାରୁ ମାରୁ ପଦନା କହିଲା,” ମା ଲୋ, ସମସ୍ତଙ୍କର ତ ଖାସୀ ଦରକାର। ଦଶହରାରେ ତୋତେ ବଳୀ ଚଢ଼ାଇବି ଏଇ ବୁଢ଼ୀ ଛେଳିକୁ।”

ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ
ମୋ: 09177605105

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Join our WhatsApp group to get 24×7 news & views alerts👇

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.