ସୋନପୁର : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ଅବସରରେ ପରିବାରରେ ଗହଳ ଚହଳ ହୋଇଥିବା ବେଳେ ବୁଧବାର ପାଳିତ ହୋଇଥିଲା ଛାଡଖାଇ ଅର୍ଥାତ ନୂଆଁଖାଇ ବାସି । ଯୋଗକୁ ବାର ବି ବୁଧବାର । ତେଣୁ ଲୋକଙ୍କୁ ମାଛ, ମାଂସ କରିବାର ଅପୂର୍ବ ସୁଯୋଗ ରହିଥିଲା । ସେଥିାଇଁ ସକାଳୁ ସହରର ବିଭିନ୍ନ ମାଛ ବଜାର ଓ ମାଂସ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବନ୍ୟା ପ୍ରଭାବିତମାନଙ୍କ ମନରେ ସରସ ନଥିଲେ ବି ପରମ୍ପରା ପାଳିତ ହୋଇଥିଲା । ସମୟର ବ୍ୟସ୍ତତା ଓ କାର୍ଯ୍ୟ କ୍ଷେତ୍ରର ବନ୍ଧନ ପରିବାର ସହ ମିଶେଇ ଦେଉ ନଥିଲା । ହେଲେ ନୂଆଁଖାଇ ଏହି ଅଭାବକୁ ପୂରଣ କରିବାରେ ସକ୍ଷମ ହୋଇଥିଲା । ଯିଏ ଯେଉଁଠି ଥାଉନା କାହିଁକି, ସମସ୍ତେ ରାଗ, ଦ୍ୱେଷ ଭୁଲି ଏକତ୍ରିତ ହେବା ସହ ନୂଆଁ ଖାଇଥିଲେ । ଜୁହାର ଭେଟ ହୋଇଥିଲେ । ଯୌଥ ପରିବାର ପରମ୍ପରଙ୍କ ନଥିଲେ ବି ନୂଆଁଖାଇ ଦିନ ସମସ୍ତେ ଏକାଠି ହେବାର ଭାବ ବିନିମୟ କରିଥିଲେ । ଆଉ ଏହି ମଉକାକୁ ଅପୂର୍ବ ସୁଯୋଗ ଦେଇଥିଲା ନୂଆଁଖାଇ ବାସି । ତେବେ ସହରରେ ଔଷଧ ଦୋକାନ ଓ କିଛି ଚା’ ଦୋକାନ ସହ ଜଳଖିଆ ଦୋକାନ ଖୋଲାଥିବା ବେଳେ ଦିନ ୧୨ଟା ବେଳକୁ ସବୁ ଶୂନଶାନ ହୋଇ ଯାଇଥିଲା ସହରର ରାସ୍ତାଘାଟରେ ଅଦିନିଆ ବନ୍ଦ ଦେଖିବାକୁ ମିଳିଥିଲା । ଦୂରରେ ରହୁଥିଲେ ସମସ୍ତେ । ଏକଜୁଟ ବାସିର ମଜା ବି ଉଠାଇଥିଲେ ପରିବାର ଲୋକେ । ଏଥି ପାଇଁ ସହରର ଛକ, ଗଳିମାନଙ୍କୁ ବିଶେଷ ଭିଡ ଦେଖିବାକୁ ମିଳି ନଥିଲା । ଲୋକଙ୍କ ଲାଇନ୍ ସକାଳୁ ଲାଗିଥିଲା କୁକୁଡ଼ା, ମାଛ ଓ ମାଂସ ଦୋକାନରେ । ଦୋକାନିମାନଙ୍କର ଦିନ ତମାମ ଫୁରସତ ନଥିଲା । ତେବେ ସୁବର୍ଣ୍ଣପୁର କାହିଁକି, ଜିଲାର ବିଭିନ୍ନ ଅଞ୍ଚଳରେ ନୂଆଁଖାଇ ବେଶ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଥିଲା ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in