ପ୍ରଶାସନର ଚରମ ଅବହେଳା : ମହିଳା ଆକ୍ରାନ୍ତ ହୋଇପାରନ୍ତି ସୁପର ସ୍ପ୍ରେଡର୍‌

ବଣ୍ଡେଲ ଗାଁ କଣ୍ଟେନ୍‌ମେଣ୍ଟ, ଅନ୍ୟ ୭ଟି ଗାଁ ବଫର ଜୋନ୍‌

ସାନିଟାଇଜ୍ ହେଲା ବିଶ୍ୱନାଥପୁର : ଲାଞ୍ଜିଗଡ଼କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଦାବି

ଲାଞ୍ଜିଗଡ଼,୨୧/୫: ସଙ୍ଗରୋଧ କେନ୍ଦ୍ରରେ ଥିବା ୬ ଜଣ ଓ ଜଣେ ମହିଳା କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଲାଞ୍ଜିଗଡ ବ୍ଲକର ବଣ୍ଡେଲ ଗାଁ କଣ୍ଟେନମେଣ୍ଟ ଓ ଅନ୍ୟ ୭ଟି ଗାଁ ବଫର ଜୋନ୍ ଘୋଷିତ ହୋଇଛି । ଗତକାଲି ଆକ୍ରାନ୍ତ ମହିଳାଙ୍କ ଗାଁ ବଣ୍ଡେଲକୁ ସିଲ୍ କରାଯାଇଥିବାବେଳେ ବିଳମ୍ବିତ ରାତିରେ ଜିଲ୍ଲାପାଳ ବସନ୍ତପଡା ଗ୍ରାମପଞ୍ଚାୟତର ବଣ୍ଡେଲ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷିତ କରିଥିବାବେଳେ ବନ୍ଧଗୁଡା, ବସନ୍ତପଡା, କଂସାରୀ, କୋଟଦ୍ୱାର, ଡେଙ୍ଗସର୍ଗି, ରେଙ୍ଗୋପାଲି, ସିନ୍ଧିବାହାଲି ଆଦି ସାତଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି । ଏହିସବୁ ଗାଁକୁ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର, କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ସିଲ୍ କରିଥିଲେ ।

ସୂଚନାଯୋଗ୍ୟ ବୁଧବାର ଏହି ବ୍ଲକର ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ସାତଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ଲୋକଙ୍କ ଭୟ ବଢିବାର କାରଣ ହେଉଛି ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ସାମିଲ ଥିବା ଓଡିଶା ଜୀବିକା ମିଶନର ମହିଳା କର୍ମଚାରୀଙ୍କର ପଜିଟିଭ ରିପୋର୍ଟ ଆସିବା । କାରଣ, ନମୁନା ସଂଗ୍ରହ ଓ ସ୍ୱାବ ରିପୋର୍ଟ ପଜିଟିଭ୍ ହେବା ପର୍ଯ୍ୟନ୍ତ ସେ ଖୋଲାଖୋଲି ଭାବେ ବୁଲୁଥିବା ଜଣାଯାଇଛି । ଏପରିକି ସଙ୍ଗରୋଧ କେନ୍ଦ୍ରରେ ନମୁନା ସଂଗ୍ରହ ପରେ ସେ କୌଣସି ସାମୁହିକ କାର୍ଯ୍ୟକ୍ରମରେ ସାମିଲ ନହେବା କଥା, କିନ୍ତୁ ସେ ନିଜ ସାଙ୍ଗସାଥୀ, ପରିବାର, ଗାଁ ଲୋକଙ୍କ ସହିତ ମିଳାମିଶା କରିବା ସହ ବିଶ୍ୱନାଥପୁର ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେବା, ବଜାରରେ କିଣାକିଣି କରିବା ସହ ଲାଞ୍ଜିଗଡ ସହରରେ ବି ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିଥିବା ଜଣାପଡିଛି ।

ଏ ସଂପର୍କରେ ପ୍ରଶାସନ ପାଖରେ ସବୁ ଖବର ଥିବା ସତ୍ତ୍ୱେ ବ୍ଲକ ପ୍ରଶାସନ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେବାରୁ ଏବେ ସଂପୃକ୍ତ ମହିଳା କର୍ମଚାରୀ ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଥିବାବେଳେ ବିଶ୍ୱନାଥପୁର ଓ ଲାଞ୍ଜିଗଡରେ ଆଜି ଭୟରେ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି । ସେହିପରି ଲାଞ୍ଜିଗଡ ସହରରେ ସେ ବୁଲାବୁଲି କରିଥିବାରୁ ଲାଞ୍ଜିଗଡ ସହରକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବାକୁ ସରପଞ୍ଚ ମଣି ମାଝୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ତେବେ ଲୋକଙ୍କ ଭୟକୁ ଦୂର କରିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁର ବ୍ଲକ କାର୍ଯ୍ୟାଳୟ, ମୁଖ୍ୟ ରାସ୍ତା ଓ ଦୋକାନ ବଜାରକୁ ବିଶୋଧନ କରାଯାଇଛି ।

ଅପରପକ୍ଷରେ ଆକ୍ରାନ୍ତ ମହିଳାଙ୍କ ସଂପର୍କରେ ଆସିଥିବା ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାମ କଣ୍ଟାକ୍ଟ ଟ୍ରେସିଂରେ ସାମ୍ନାକୁ ଆସିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ସ୍ୱାବ୍ ପରୀକ୍ଷା କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ତେବେ ମହିଳା ଜଣକ ବାହାରକୁ ଯାଇ ଲୋକଙ୍କ ସହ ମିଳାମିଶା କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ସହିତ ବୈଠକରେ ସାମିଲ ହୋଇଥିବା ଓଡିଶା ଜୀବିକା ମିଶନର ୨୭ଜଣ କର୍ମଚାରୀ ମଧ୍ୟ କ୍ୱାରେଣ୍ଟାଇନରେ ଯାଇଥିବା ଜଣାପଡିଛି । ଟିଏମସି ନୋଡାଲ ଅଫିସର (ପିଇଓ) ଓ ଗ୍ରାମପଞ୍ଚାୟତ ନୋଡାଲ ଅଫିସର (ଏମଆଇ) ସଂପୃକ୍ତ ମହିଳା କର୍ମଚାରୀଙ୍କ ସ୍ବାବ ନମୁନା ନେବାପରେ ତାଙ୍କୁ ହୋମ କ୍ବାରେନଟାଇନରେ ରହିବା ଏହି ପାଇଁ କହିଲେ ନାହଁ କାହିଁକି ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.