ହୋଇ ପାରିଲାନି ଚିକିତ୍ସା : ଭଙ୍ଗା ଗୋଡ଼, ଭଗ୍ନ ମନୋରଥ ନେଇ ଘରକୁ ଫେରିଲେ ଦୁଇ ରୋଗୀ

ଲାଞ୍ଜିଗଡ଼,୨୮/୬: ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ମେଡିକାଲ କଲେଜ ହେବାକୁ ଯାଉଛି । ଏହି ଚିକିତ୍ସାଳୟକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉଦାହରଣ ଭାବେ ପେଶ୍ କରୁଛି । କିନ୍ତୁ ଏଠାରେ ଅସ୍ଥିଶଲ୍ୟ ଚିକିତ୍ସା ସମ୍ଭବ ହୋଇପାରୁନି । ଲାଞ୍ଜିଗଡ଼ ବ୍ଲକର ଦୁଇ ଜଣ ଦୁର୍ଘଟଣାଗ୍ରସ୍ତ ଗୋଡ ଭଙ୍ଗା ରୋଗୀଙ୍କ ଚିକିତ୍ସା ଏହି ଡାକ୍ତରଖାନାରେ ହୋଇ ନ ପାରିବା ଓ ସେମାନେ ଘରକୁ ଫେରିଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଭାଲୁଚଞ୍ଚରା ଗାଁର କଳାକାହ୍ନୁ ହରିଜନ(୬୮) ଓ ଦ୍ରୋଣ ହରିଜନ (୨୦) ଗତ ସପ୍ତାହକ ତଳେ ଏକ ବାଇକ୍ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦେଖିବା ପରେ କଳାକାହ୍ନୁଙ୍କ ବାମଗୋଡ ଆଣ୍ଠୁ ଓ ଦ୍ରୋଣର ବାମ ଜଙ୍ଘର ହାଡ ଭାଙ୍ଗିଥିବା ଜଣାପଡିଥିଲା । ଚିକିତ୍ସା କରୁଥିବା ଡାକ୍ତର ସେମାନଙ୍କୁ ପାଞ୍ଚଦିନ ପକାଇ ରଖିବା ପରେ ଏଠାରେ ଚିକିତ୍ସା ସମ୍ଭବ ନୁହେଁ ବୁର୍ଲା ନିଅ ବୋଲି କହିଥିଲେ । ଫଳରେ ଏଇ ଗରିବ ଓ ଅସହାୟ ଲୋକେ ବୁର୍ଲାକୁ ନନେଇ ଉଭୟଙ୍କୁ ସିଧା ଘରକୁ ନେଇ ଆସିଛନ୍ତି । ଏବେ ଘରେ ସେମାନଙ୍କର ଚେରୀମୂଳି ଚିକିତ୍ସା ଚାଲିଥିବା ଜଣାପଡିଛି ।ସରକାରୀ ଚିକିତ୍ସାଳୟରେ ଚିକିତ୍ସା ନପାଇ ଭଙ୍ଗା ଗୋଡ ଓ ଭଙ୍ଗାମନ ସହ ଦୁଇଜଣ ଗୁରୁତର ଭାବେ ଜୀବନ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଏଣୁ ସେମାନଙ୍କୁ ଉଦ୍ଧାର ସହିତ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟପଟେ ଏହି ଘଟଣା ପରେ କଳାହାଣ୍ଡି ଜିଲ୍ଲା ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିକିତ୍ସା ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପକ୍ଷରେ ରାଜ୍ୟ ସରକାର ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇ ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ଭିତ୍ତିଭୂମି ଠାରୁ ଆରମ୍ଭ କରି ସ୍ବଚ୍ଛତା, ଅତ୍ୟାଧୁନିକ ଯନ୍ତ୍ରପାତି, ଆବଶ୍ୟକୀୟ କର୍ମଚାରୀ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିଛନ୍ତି ତେବେ କିପରି ସରକାରୀ ଚିକିତ୍ସାଳୟ ମାନଙ୍କୁ ଯାଇ ରୋଗୀ ନିରାଶ ହୋଇ ଫେରିଆସୁଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.