ଚିନ୍ତା ବଢାଉଛନ୍ତି ବାହାର ରାଜ୍ୟ ଫେରନ୍ତା ପ୍ରବାସୀ : ଏକାଥରକେ ୧୬ ନୂଆ କରୋନା ପଜିଟିଭ୍‌

ରାୟଗଡ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ପଂହଚିଲା ୩୮

ରାୟଗଡ,୨୭/୬ : ଶନିବାର ଦିନ ରାଜ୍ୟରେ ୧୭୦ଜଣ ନୂଆ କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ରାୟଗଡ ଜିଲ୍ଳାର ୧୬ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ରାୟଗଡ ସହରର ୨ଜଣ ରହିଥିବା ବେଳେ ରାମନାଗୁଡା ବ୍ଳକ ଗୁଗୁପାଡୁ ଗ୍ରାମର ଜଣେ ଓ ସର୍ବାଧିକ ୧୩ଜଣ ଗୁଣପୁର ବ୍ଳକ ଅଧିନସ୍ଥ ବିଜୟପୁର ଗ୍ରାମର ବୋଲି ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଆଶା କର୍ମୀ ମଧ୍ୟ ରହିଥିବା ନେଇ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୧୬ ଜଣ ଚିହ୍ନଟ ହେବା ପରେ ବର୍ତମାନ ଜିଲ୍ଳାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୩୮ରେ ପଂହଚିଛି । ଏମାନଙ୍କ ମଧ୍ୟରେ ୧୨ଜଣ ସୁସ୍ଥ ହୋଇଥିବା ବେଳେ ୪ଜଣ ଗୁଣପୁର କୋଭିଡ କେୟାରେ ଓ ଜେକେପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୨ଜଣ ଚିକିତ୍ସିତ ହେଉଛନ୍ତି । ତେବେ କଂଟେନମେଂଟ ଜୋନ ଭିତରୁ କଂଟାକ୍ଟ ଟ୍ରେସିଂ ବାହାରି ଥିବାରୁ ଜିଲ୍ଳାବାସୀ ଭୟଭୀତ ନହୋଇ ରାଜ୍ୟ ବାହାରୁ ଫେରନ୍ତା ପ୍ରବାସୀ ତଥା ବ୍ୟକ୍ତିମାନଙ୍କ ସହ ଅଯଥାରେ ମିଳାମିଶା ନ କରିବା ଏବଂ ଯଦି କଥାବାର୍ତା ହୁଅନ୍ତି ତେବେ ୨ମିଟର ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି କଥାବାର୍ତା ହୁଅନ୍ତୁ ଏବଂ ଆବଶ୍ୟକ ନ ଥିଲେ ସେମାନଙ୍କ ସଂସ୍ପର୍ଶକୁ ଯାଆନ୍ତୁ ନାହିଁ ଓ କୋଭିଡ-୧୯ ସରକାରଙ୍କ ମାର୍ଗଦର୍ଶିକାକୁ ମାନି ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ନିବେଦନ କରିଛନ୍ତି ।

ଏ ନେଇ ଜିଲ୍ଳାପାଳଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ୧୬ଜଣ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ରାୟଗଡ ସହରରୁ ଚିହ୍ନଟ ହୋଇଥିବା ୨ଜଣ ଭିତରୁ ରାଣିଗୁଡା ଫାର୍ମ ଅଂଚଳର ଏଲ ଏଣ୍ଡ ଟି ଅଫିସ ଲାଇନ୍‌ରେ ରହୁଥିବା ଜଣେ ୨୧ବର୍ଷୀୟ ଯୁବକ ଗତ ଜୁନ୍ ୧୧ତାରିଖରେ ମହାରାଷ୍ଟ୍ରରୁ ଫେରି ହୋମ କ୍ୱାରେନଟାଇନରେ ରହିଥିଲେ । ସେହିପରି ରାୟଗଡ ସହର ଉପକଣ୍ଠ ବାରିଝୋଲା ଗ୍ରାମର ୨୫ବର୍ଷିୟ ଅନ୍ୟ ଜଣେ ଯୁବକ ଗତ ଜୁନ୍ ୧୬ତାରିଖରେ ତାମିଲନାଡୁରୁ ଫେରି କୋଟଲାଗୁଡା ଟିଏମସି କେନ୍ଦ୍ରରେ ରହିଥିଲେ । ସେହିପରି ରାମନାଗୁଡା ବ୍ଳକର ଗୁଗୁପାଡୁ ଗ୍ରାମର ଅନ୍ୟ ଜଣେ ୨୫ବର୍ଷିୟ ଯୁବକ ଗତ ଜୁନ ୧୮ତାରିଖରେ ଆନ୍ଧ୍ର ପ୍ରଦେଶର ବିଜୟନଗରମରୁ ଫେରି ଗଗୁପାଡୁ କ୍ୱାରେନଟାଇନ କେନ୍ଦ୍ରରେ ରହିଥିଲେ । ଏମାନଙ୍କ ଠାରେ ଥଣ୍ଡାକାଶ,ଜ୍ୱର ଲକ୍ଷଣ ଦେଖା ଦେବା ପରେ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ୍ ଆସିଥିବାରୁ ସେମାନଙ୍କୁ ଜେକେପୁର କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିବା ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ସେହିପରି ଗୁଣପୁର ବ୍ଳକ ସିରିଝୋଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବିଜୟପୁର ଗ୍ରାମର ୧୩ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ୧୩ଜଣ ଉକ୍ତ ଗ୍ରାମରେ ପୂର୍ବରୁ ଚିହ୍ନଟ ହୋଇଥିବା ଗୋଟିଏ ପରିବାରର ସ୍ୱାମୀ,ସ୍ତ୍ରୀ ଏବଂ ୪ବର୍ଷର ଝିଅ ସଂସ୍ପର୍ଶରେ ଆସିଥିଲେ । ଉକ୍ତ ପରିବାରର ୩ଜଣଙ୍କ କଂଟାକ୍ଟ ଟ୍ରେସିଂ କରାଯିବା ପରେ ଏହି ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୧୩ଜଣଙ୍କ ମଧ୍ୟରେ ପୂର୍ବରୁ ଚିହ୍ନଟ ହୋଇଥିବା ପରିବାରର ଜଣେ ୮୦ବର୍ଷର ବାପା ଓ ୭୨ବର୍ଷିୟ ମା ରହିଛନ୍ତି । ଏତତ୍‌ବ୍ୟତିତ ଆଉ ୨ଜଣ ଷାଠିଏ ବର୍ଷରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଆଶାକର୍ମୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏହି ୧୩ଜଣଙ୍କ ମଧ୍ୟରେ ୫ଜଣ ମହିଳା ରହିଥିବା ବେଳେ ୮ଜଣ ପୁରୁଷ ରହିଛନ୍ତି । ବର୍ତମାନ ଚିହ୍ନଟ ହୋଇଥିବା ୧୬ଜଣଙ୍କ କଂଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ବେଳେ ବିଜୟପୁର ଗ୍ରାମ, କୋଟଲାଗୁଡା ଓ ଗଗୁପାଡୁ ଟିଏମସି କେନ୍ଦ୍ର ଅଂଚଳକୁ କନଟେମେଂଟ ଜୋନ ଘୋଷଣା କରାଯାଇଥିବା ବେଳେ ରାୟଗଡ ସହରରେ ଚିହ୍ନଟ ହୋଇଥିବା ରାଣୀଗୁଡା ଫାର୍ମ ଅଂଚଳର ଏଲଏଣ୍ଡଟି ଅଫିସ ରାସ୍ତା ସାହିକୁ ମଧ୍ୟ କନଟେମେଂଟ ଜୋନ ଭାବେ ଘୋଷଣା କରାଯାଇ ସମସ୍ତ କନଟେମେଂଟ ଅଂଚଳରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ସହ ଅନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡ ଜିଲ୍ଳାରୁ ଗତ ଜୁନ୍ ୨୨ତାରିଖରେ ୨୭ତମ ପର୍ଯ୍ୟାୟରେ ୩୭୪ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ନିମନ୍ତେ ଭୂବନେଶ୍ୱର ସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଇଥିବା ବେଳେ ସେଥିରୁ ୧୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଜିଲ୍ଳାରୁ ବର୍ତମାନ ସୁଦ୍ଧା ୩୦୩୧ଜଣଙ୍କ ରିପୋର୍ଟ ପଠାଯାଇଥିବା ବେଳେ ଏଥିରେ ୩୦୩୧ଜଣଙ୍କ ରିପୋର୍ଟ ନେଗେଟିଭ ଓ ୩୮ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.