ବଲାଙ୍ଗିର,୨୯/୬: ଖେଳିବା ବୟସରେ ଖଟିଆରେ ପଡିରହିଛନ୍ତି ଜଣେ ୧୫ ବର୍ଷର କିଶୋର । ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଏହି ଚଳିତଶକ୍ତି ହୀନ ଦିବ୍ୟାଙ୍ଗ ପାଖରେ ଅପହଞ୍ଚ ହୋଇ ରହିଛି ସରକାରୀ ଯୋଜନା । ବଲାଙ୍ଗିର ଜିଲ୍ଲା ମୂଖ୍ୟାଳୟ ଠାରୁ ୧୮ କିଲୋମିଟର ଦୂର ବାନ୍ଦନବାହାଲ ଗାଁରେ ରୁହନ୍ତି ସିଦ୍ଧାନ୍ତ । ସେ ଜନ୍ମରୁ ଦିବ୍ୟାଙ୍ଗ । ସେହି ଗାଁ ଠାରୁ କିଛି ଦୂର ମାଟି ରାସ୍ତାରେ ଯିବାପରେ ଏକ ପୋଖରୀ ହିଡରେ ବିଦ୍ୟୁତ ପୋଲ ସାହାଯ୍ୟରେ ଆମ ପ୍ରତିନିଧି ସିଦ୍ଧାନ୍ତ ପାଖରେ ପହଁଞ୍ଚିଥିଲେ । ସେହି ସମୟରେ ଘରେ ସିଦ୍ଧାନ୍ତଙ୍କ ମା’ ଦିବ୍ୟାଙ୍ଗ ପୁଅକୁ ସଫାସୁତୁରା କରୁଥିଲେ ।
ସିଦ୍ଧାନ୍ତ ଜନ୍ମ ହେଲା ଦିନୁ ଏପରି ଦୁଃଖ ପାଇ ଆସୁଛି । ସେ ଦିବ୍ୟାଙ୍ଗ ହୋଇଥିବାରୁ ତା’ର ଚିକିତ୍ସା କରିବା ପାଇଁ ବହୁ ଅଂଚଳ ଯାଇ ଶେଷରେ ନିରାଶ ହୋଇ ଘରେ ନିଜ ଭାଗ୍ୟକୁ ଆଦରି ରହିଛୁ ବୋଲି ସିଦ୍ଧାନ୍ତର ମା’ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି । ସିଦ୍ଧାନ୍ତ ଏକ ଖଟିଆରେ ଗୁରୁଣ୍ଡି ଗୁରୁଣ୍ଡି ଦିନପରେ ଦିନ ବିତାଉ ଥିବା ବେଳେ ତା’ ପାଇଁ ଗୁରୁଣ୍ଡୁ ଅଛି ସରକାରୀ ଯୋଜନା। ପୁଅକୁ ସୁସ୍ଥ କରିବାକୁ କଟକ ବଡ ମେଡିକାଳ ନେବା ପାଇଁ ଅର୍ଥ ସାଜିଲା ବାଧକ ଏବଂ ଚାଲିବା ବଦଳରେ ଦିବ୍ୟାଙ୍ଗ ପାଲଟିଛି ସିଦ୍ଧାନ୍ତ। ସେ ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କୁ ମିଳିପାରି ନାହିଁ ସରକାରୀ ସହାୟତା । ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇ ଥିଲେ ମଧ୍ୟ ସରକାରୀ ସହାୟତାକୁ ଅପେକ୍ଷା କରିଥିବା କୁନି ପୁଅର ଜୀବନ ବିତୁଛି ଏହି ପଲିଥିନ ଗୁଡା ଚାଲ ଘରର ଗରିବି ଭିତରେ । ତେଣୁ ସିଦ୍ଧାନ୍ତକୁ ଅତି ଶିଘ୍ର ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି ଗ୍ରାମବାସୀ ।