କେବେ ସଂପୂର୍ଣ୍ଣ ହେବ ଛତ୍ରପୁର-ବାତେଲଲିମା ବଂଶୀଧାରା ନଦୀର ବ୍ରିଜ ନିର୍ମାଣ କାର୍ଯ୍ୟ ?

ଆର୍ଡି ବିଭାଗର ଉଦାସୀନତା : ଯନ୍ତ୍ରୀଙ୍କ ବିବାଦୀୟ ପ୍ରତିକ୍ରିୟା

ହନ୍ତସନ୍ତ ଛତ୍ରପୁର ଓ ବାତେଲଲିମା ପଞ୍ଚାୟତବାସୀ, ପ୍ରଶାସନ ନୀରବଦ୍ରଷ୍ଟା

କଳାହାଣ୍ଡି/ଲାଞ୍ଜିଗଡ,୨୩/୭: ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୁଆଡେ ରାଜ୍ୟ ସରକାରଙ୍କ ବିକାଶଧାରାରେ ଆଗକୁ ବଢି ଚାଲିଛି । ୨୦ବର୍ଷ ମଧ୍ୟରେ ବ୍ଲକ ବେଶ ଅଗ୍ରଗତି କରିଛି । ଜାତୀୟ ସ୍ତରରେ ୨୦୧୯ ମସିହାରେ ବ୍ଲକ ପୁରସ୍କୃତ ମଧ୍ୟ ହୋଇଛି। ତେବେ ଏକ ବିକାଶଶୀଳ ବ୍ଳକରେ ୧ ବର୍ଷରୁ ଉର୍ଦ୍ଧ ସମୟ ହେବ ଆର୍ଡି ବିଭାଗର ବ୍ରିଜ ନିର୍ମାଣ କାର୍ଯ୍ୟ ଗୁଡିକ ଶେଷ ହେଉ ନ ଥିବା ବେଳେ ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ଲକବାସୀ ପାଇଁ ଏହା କି ପ୍ରକାର ବିକାଶ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

ଲାଞ୍ଜିଗଡ଼ ବ୍ଲକର ଛତ୍ରପୁର-ବାତେଲଲିମା ରାସ୍ତାରେ ରହିଥିବା ବଂଶୀଧାର ନଦୀ ଉପରେ ଆର୍ଡି ବିଭାଗ ଦ୍ୱାରା ନିର୍ମାଣଧୀନ ବ୍ରିଜ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।

ଛତ୍ରପୁର-ବାତେଲଲିମା ବ୍ରିଜ ନିର୍ମାଣର ଗାଥା

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଲାଞ୍ଜିଗଡ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ୩୮୨.୬ ମିମି ବର୍ଷା ରେକର୍ଡ ହୋଇଥିଲା। ବ୍ଲକର ୨୦ ହଜାର ଲୋକ ଓ ୨୧୨ ଗାଁ ପ୍ରଭାବିତ ହୋଇ ବ୍ଲକ ବାସୀଙ୍କ ବହୁ ପରିମାଣରେ କ୍ଷୟ କ୍ଷତି ହୋଇଥିଲା। ଏହି ବର୍ଷାରେ ଛତ୍ରପୁର-ବାତେଲଲିମା ବଂଶୀଧାର ନଦୀ ଉପରେ ଥିବା ପୋଲ ଭାଙ୍ଗି ଯାଇଥିଲା। ହଜାର ହଜାର ଲୋକଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ବଂଶୀଧାର ନଦୀ ଉପରେ ୩୬ ଫୁଟ ଲମ୍ବ ଓ ୧୮ ଫୁଟ ଓସାର ବିଶିଷ୍ଟ ବ୍ରିଜ ନିର୍ମାଣ ପାଇଁ କଳାହାଣ୍ଡି ଆର୍ଡି ବିଭାଗ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜଣେ ଠିକାଦାର ୨୦୧୯ ମସିହା ଅଗଷ୍ଟ ମାସରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ୨୦୨୦ ମାର୍ଚ୍ଚ ମାସର ସମୟ ସୀମା ମଧ୍ୟରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବା କଥା କିନ୍ତୁ ବ୍ରିଜରେ ରଡ଼ ବାଇଡିଂ କରି ୨ ମାସ ଧରି ପଡିରହିଥିବା ବେଳେ ଆଜି ପର୍ଯ୍ୟନ୍ତ ବ୍ରିଜ କାର୍ଯ୍ୟ ଶେଷ ହୋଇନାହିଁ। ଏହି କାର୍ଯ୍ୟ ଦାଇତ୍ୱରେ ଥିବା ଅଧିକାରୀଙ୍କ ଉଦାସୀନତା ଯୋଗୁଁ ବ୍ରିଜ କାର୍ଯ୍ୟ ବିଳମ୍ବ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଆର୍ଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ବିବାଦିୟ ମନ୍ତବ୍ୟ

ଏନେଇ ଲାଞ୍ଜିଗଡ ଦାଇତ୍ୱରେ ଥିବା ଆର୍ଡି ବିଭାଗର ନିର୍ବାହୀ ଯନ୍ତ୍ରୀ ବସନ୍ତ ବେହେରାଙ୍କୁ ପଚାରିବାରୁ “ଆରଟିଆଇ ରେ ମାଗୁନ । ତମେ କ’ଣ ଅଥରିଟି ଯେ ତୁମକୁ କେତେ ଟଙ୍କାର କାମ, କେବେ ସରିବ କହିବି ? ୨୦୨୦ ମାର୍ଚ୍ଚ ମାସରେ କାର୍ଯ୍ୟ ଶେଷ ହେବା କଥା ହେଲେ କରୋନା ଲାଗିଲା, ସଟ୍ ଡାଉନ୍ ହେଲା, ଶ୍ରମିକ ନ ଆସିବାରୁ କାମରେ ବିଳମ୍ବ ହେଲା । ବୁଧବାର ଛାତ ପଡିବ । ବର୍ଷା ହେଲେ ଆମେ ହଇରାଣ ହେବୁ । ବର୍ଷାଦିନେ କିଏ ଛାତପକାଏକି କୁହ । ଯୋରରେ ବର୍ଷା ହେବ, ଛାତକୁ ବର୍ଷା ନେଇଯିବ ତାପରେ ଆମେ ଫଶିବୁକି ନାହିଁ । ତାପରେ ପେପରରେ ବାହାରିବ ଛାତ ଭଷେଇ ନେଇଗଲା କାହା ଅନୁମତିରେ ବର୍ଷା ଦିନରେ ଛାତ ପକାଇଲ ? ଲୋକେ ପଚାରିବେ କି ନାହିଁ କୁହ” ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ଛାତପକା କାମ ଆରମ୍ଭରୁ ଛେଚୁଚି ବର୍ଷା : ସଂପୂର୍ଣ୍ଣ ହୋଇ ପାରିନାହିଁ ଛାତପଡିବା କାର୍ଯ୍ୟ

ମାର୍ଚ୍ଚ ମାସ ସୁଦ୍ଧା ତ କାମ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ଗତକାଲି (ବୁଧବାର) ବ୍ରିଜର ଛାତ ପଡିବା ଆରମ୍ଭ ହୋଇଛି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ ଚାଲିଥିବାବେଳେ ଛାତପକା କାମ ଅସଂପୂର୍ଣ୍ଣ ହୋଇଥିଲା । ଏପଟେ ରାତିସାରା ବର୍ଷା ଛେଚିଛି । ବାକିଥିବା ଛାତପକା କାମ ବର୍ଷା ଛାଡିଲେ ହେବବୋଲି ଜଣାପଡିଛି । ଆଗରୁ ଛାତପକା କାମ ନସାରି ବର୍ଷାଦିନେ ଏହା କରୁଥିବାରୁ ବ୍ରିଜର ସ୍ଥାୟିତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା

ଏଠାରେ ପ୍ରଶ୍ନ ଉଠୁଛି ଯେ, ମାର୍ଚ୍ଚ ମାସ ଅଗରୁ କରୋନାର ଭୟାବହତାକୁ ନଥିଲା କିମ୍ଵା ସଟ୍ ଡାଉନ୍ ହେଉନଥିଲା । ଜାନୁଆରୀ, ଫେବୃଆରୀ, ମାର୍ଚ୍ଚରେ ଶ୍ରମିକ ଅଭାବ ନଥିଲା । ଯଦି ଆଗରୁ କାର୍ଯ୍ୟ ତ୍ବରାନ୍ବିତ ହୋଇଥାନ୍ତା ତେବେ କରୋନା ସଂକଟ ଆଗରୁ ଅର୍ଥାତ ଏହି ବ୍ରିଜର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆରାମରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିଥାନ୍ତା ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.