ରାୟଗଡ,୨୯/୭: ଭାରତୀୟ ମଜଦୁର ସଂଘ (ବିଏମଏସ) ସର୍ବଭାରତୀୟ ସ୍ତରରେ ଚଳିତ ଜୁଲାଇ ମାସ ୨୪ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ସରକାର ଜଗାଓ ସପ୍ତାହ ପାଳନ କରୁଅଛି । ଏହି ଅବସରରେ ଅଖିଳ ଭାରତୀୟ ନିର୍ମାଣ ମଜଦୁର ମହାସଂଘ ଆହ୍ୱାନ କ୍ରମେ ବିଏମଏସ ସହ ଅନୁବନ୍ଧିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଏବଂ ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ ମିଳିତରେ ବୁଧବାର ଦିନ ସ୍ଥାନୀୟ ପ୍ରଭାଗୀୟ ଶ୍ରମ ଆୟୁକ୍ତ,ରାୟଗଡଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବିପତ୍ର ଜିଲ୍ଳା ଶ୍ରମ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଗତ ମାର୍ଚ୍ଚ ୨୪ତାରିଖରୁ ସାରା ଦେଶରେ ତଥା ରାଜ୍ୟରେ ଲାଗୁ ହୋଇଥିବା ତାଲାବନ୍ଦ ଯୋଗୁଁ ରାଜ୍ୟରେ କୋଟି କୋଟି ସଂଖ୍ୟାରେ ନିର୍ମାଣ ଶ୍ରମିକମାନେ ଓ କୃଷି ଶ୍ରମିକମାନେ କର୍ମ ସଂସ୍ଥାନ ହରାଇଥିବା ବେଳେ ଅସଂଗଠିତ ଶ୍ରମିକମାନେ ନିଜର ଜୀବନଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ବର୍ତମାନ ତାଲାବନ୍ଦ ଆଶ୍ୱସ୍ତି କୋହଳ ହୋଇଥିଲେ ମଧ୍ୟ ଶ୍ରମିକମାନେ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛନ୍ତି । ତେଣୁ ସଂଘ ତରଫରୁ ଶ୍ରମିକମାନଙ୍କ ସମସ୍ୟାର ନିରାକରଣ ପାଇଁ କରିଥିବା ୭ଦଫା ଦାବି ମଧ୍ୟରେ ନିର୍ମାଣ ଶ୍ରମିକମାନଙ୍କୁ ସରକାର ୧୫୦୦ଟଙ୍କା ହିସାବରେ ତିନମାସର ଅଗ୍ରୀମ ପ୍ରଦାନ କରିବା,ପାଇ ନ ଥିବା ଶ୍ରମିକଙ୍କୁ ତୁରନ୍ତ ୧୫୦୦ଟଙ୍କା ପ୍ରଦାନ କରିବା,ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ୩ମାସ ମଧ୍ୟରେ ନବୀକରଣ ନିମନ୍ତେ ସୁଯୋଗ ଦେବା, ନୂତନ ଶ୍ରମିକମାନଙ୍କର ପଂଜୀକୃତ କରିବା, କୁଶଳତା ଅଭିବୃଦ୍ଧି ନିମନ୍ତେ ତାଲିମ ନେଇଥିବା ଶ୍ରମିକମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ୩ହଜାର ଟଙ୍କା ପ୍ରଦାନ କରିବା, ପଂଜୀକୃତ ଶ୍ରମିକମାନଙ୍କୁ ସମସ୍ତ ସହାୟତା ରାଶି ପ୍ରଦାନ କରିବା, ସମସ୍ତ ଅଣ ସଂଗଠିତ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା, ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଓ ଦକ୍ଷତା ଭିତିରେ କର୍ମ ନିଯୁକ୍ତି ପ୍ରଦାନ କରିବା ଦାବି ରହିଛି ।
ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଜଦୁର ସଂଘ ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା, ବିଏମଏସ ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ ଜିଲ୍ଳା ସଭାପତି ଧନଂଜୟ କଂଟାବଂଶ, ଇଷ୍ଟକୋଷ୍ଟ ରେଳ ଠିକା ମଜଦୁର ସଂଘ ସଭାପତି ଜେ.ଗୋବିନ୍ଦ ଓ ସଂପାଦକ କୃତିବାସ କରକରିଆ ପ୍ରମୁଖ ସାମିଲ ହୋଇଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in