କଳାହାଣ୍ଡି,୨୯/୭: ବୁଧବାର କଳାହାଣ୍ଡିରେ ୨୬ଜଣ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲାଞ୍ଜିଗଡ଼ ବେଦାନ୍ତ ଟାଉନସିପର ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜରୁ ଏହି ସୂଚନା ମିଳିଛି । ଅନ୍ୟପଟେ ଚିହ୍ନଟ ୨୪ କର୍ମଚାରୀ ବେଦାନ୍ତ କମ୍ପାନୀର କମର୍ସିଆଲ ବିଭାଗର ବୋଲି ଜଣାଯାଏ । କର୍ମଚାରୀମାନେ ଆକ୍ରାନ୍ତ ଚିହ୍ନଟ ହେବାପରେ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଏଠାରେ ପ୍ରକାଶ ଯୋଗ୍ୟ ଲକଡାଉନ ସମୟରେ ଦେଶର ଅନେକ କଳ କାରଖାନା ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଲା, କିନ୍ତୁ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ସ୍ବଭାବିକ ଭାବରେ ଚାଲିଥିଲା । ବେଦାନ୍ତ କମ୍ପାନୀ କଳାହାଣ୍ଡି ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଆଦେଶ ବଳରେ ଯଥାରୀତି ଚାଲିଥିଲା । ଏଥିପାଇଁ ଉଭୟ ପ୍ରଶାସନ ଓ କଂପାନୀ ପକ୍ଷରୁ ସଫେଇ ଦେଇ କୁହାଗଲା ଯେ, କଂପାନୀ କର୍ତ୍ତୃପକ୍ଷ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି କମ୍ ସଂଖ୍ୟକ କର୍ମଚାରୀରେ କାମ ଚାଲୁ ରଖିଛନ୍ତି ।
ଏହା ପରେପରେ କଂପାନୀ ସଂଲଗ୍ନ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ୭ ଜଣ କରୋନା ପଜିଟିଭ ବାହାରିଲାବେଳେ ବି ସେଇ ସମାନ କଥା କୁହାଗଲା । ସପ୍ତାହେ ତଳେ ପଡୋଶୀ ରାୟଗଡା ଜିଲ୍ଲା ମୁନିଗୁଡାଠାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଓ ମୁନିଗୁଡା ସହିତ ଲାଞ୍ଜିଗଡ ଓ କଂପାନୀର ସିଧାସଳଖ ଲିଙ୍କ୍ ଥିବାସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ । ଏହି ସମୟରେ ଆଗୁଆ ସତର୍କ ପଦକ୍ଷେପ ସ୍ୱରୂପ ଲାଞ୍ଜିଗଡ, ବିଶ୍ୱନାଥପୁର ଓ ବେଦାନ୍ତର ପ୍ରକଳ୍ପ ଥିବା ବସନ୍ତପଡା ପଞ୍ଚାୟତକୁ ସରପଞ୍ଚମାନେ ସଟଡାଉନ୍ ଘୋଷଣା କରିଥିବାବେଳେ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କ ନିର୍ଦ୍ଦେଶକୁ ମଧ୍ୟ କଂପାନୀ ବେଖାତିର କରିଥିଲା । ଏମିତି ସବୁ ପ୍ରକାର କଟକଣାକୁ ବେଖାତିର କରିବାର ଫଳ କଂପାନୀକୁ ଭୋଗିବାକୁ ପଡିଛି ବୋଲି ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ପଡୋଶୀ ରାୟଗଡା ଜିଲ୍ଲାରେ ସଂକ୍ରମଣର ଭୟାବହତା ଦେଖି ଦହିଖାଲ-ଲାଞ୍ଜିଗଡ ରାସ୍ତାକୁ ସିଲ୍ କରାଯାଇଥିଲେ ଆଜିର ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହା ସହିତ ବର୍ତ୍ତମାନ କଂପାନୀ ସିଲ୍ କରାଯିବ କି ନାହିଁ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବେଦାନ୍ତର ୨୪ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପର ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ ସିଂ ଲାଞ୍ଜିଗଡରେ ପହଞ୍ଚିଛନ୍ତି । ଅନ୍ୟପଟେ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା ଓ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି । ଆକ୍ରାନ୍ତ କଂପାନୀ କର୍ମଚାରୀମାନଙ୍କ ମୁନିଗୁଡା ଲିଙ୍କ ଥିବା ସନ୍ଦେହ କରାଯାଉଥିବାବେଳେ ଷ୍ଟାଫ୍ କଲୋନୀରେ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ବସନ୍ତପଡା, ଜଗନ୍ନାଥପୁର, ବଣ୍ଡେଲ ଠାରେ ମଧ୍ୟ ଲୋକଙ୍କ ସ୍କ୍ରିନିଂ କରାଯିବ ବୋଲି ଜଣାପଡିଛି ।