ଯୁବଶକ୍ତିର ସୁବିନିଯୋଗ

✒️ସୁଧୀର କୁମାର ଧଙ୍ଗଡ଼ାମାଝୀ

● ଜାତୀୟ ଯୁବ ଦିବସ ଅବସରରେ

ଯେକୌଣସି ରାଷ୍ଟ୍ରର ସବୁଠୁ ବଡ଼ ଶକ୍ତି ହେଲା ତାହାର ଯୁବଶକ୍ତି । ଏହି ଦୃଷ୍ଟିରୁ ଭାରତ ଖୁବ୍ ଭାଗ୍ୟବାନ୍ । କାରଣ ଆମ ଦେଶ ଏବେ ସମଗ୍ର ବିଶ୍ୱରେ ଏକ ଯୁବ ଦେଶ ଭାବେ ଉଭା ହେଉଛି । ସମଗ୍ର ବିଶ୍ୱର ଯୁବ ଜନସଂଖ୍ୟାର ଷାଠିଏ ପ୍ରତିଶତ ଭାରତରେ ଅଛନ୍ତି । ଆଜି ଭାରତର ଜନସଂଖ୍ୟା ପ୍ରାୟ ୧୨୫ କୋଟି ଥିବାବେଳେ ଏହାର ଅର୍ଦ୍ଧେକ ଲୋକ ଯୁବକ ଯୁବତୀ । ବିଶ୍ୱର ଅନ୍ୟ କୌଣସି ଦେଶରେ ଏପରି ଯୁବଶକ୍ତି ନାହିଁ । ତେଣୁ ଆଗାମୀ ଅନେକ ବର୍ଷଧରି ସାରାବିଶ୍ୱରେ ଭାରତୀୟ ଯୁବଶକ୍ତିର ଗୁରୁତ୍ତ୍ୱ ବୃଦ୍ଧିପାଇବ ।

ଏକ ଆକଳନ ଅନୁଯାୟୀ ସଂପ୍ରତି ଭାରତୀୟମାନଙ୍କର ହାରାହାରି ବୟସ ୨୯ ବର୍ଷ ଥିବାବେଳେ ଚୀନୀମାନଙ୍କର ୩୭ ବର୍ଷ, ଆମେରିକୀୟମାନଙ୍କର ୪୫ ବର୍ଷ ଏବଂ ଜାପାନୀ ଓ ୟୁରୋପୀୟମାନଙ୍କର ହାରାହାରି ବୟସ ୪୮ ବର୍ଷ ରହିଛି ।

ଏଭଳି ସ୍ଥିତିରେ ଭାରତ ତାର ଯୁବପୁଞ୍ଜିର ନିବେଶ କିଭଳି କରୁଛି ତାହା ଦେଖିବାର କଥା- ଦେଶ ତାର ବିଶାଳ ଯୁବଗୋଷ୍ଠୀକୁ ବୋଝ ଭାବି ଦେଶର ଦୁର୍ବଳତା ଭାବେ ନିରୂପିତ କରୁଛି ନା ସଶକ୍ତ, ସମୃଦ୍ଧ, ଶକ୍ତିଶାଳୀ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ତାହାର ସଦୁପଯୋଗ କରୁଛି ।

ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀମାନଙ୍କ ମତରେ ଭାରତ ଆଜି ଆର୍ଥିକ ଓ ସାମରିକ ମହାଶକ୍ତି ହେବାକୁ ଯାଉଛି । ଇଣ୍ଟର୍‌ନେସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ୟୁରୋପୀୟାନ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ସିକ୍ୟୁରିଟି ଷ୍ଟଡିଜ୍‌ର ‘ଗ୍ଲୋବାଲ୍ ଗଭର୍ଣ୍ଣାନ୍ସ ରିପୋର୍ଟ୍ ୨୦୧୫’ରେ ଭାରତକୁ ଆମେରିକା ଓ ଚୀନ୍ ପରେ ସବୁଠୁ ଶକ୍ତିଶାଳୀ ଦେଶ ଭାବେ ଅଭିହିତ କରାଯାଇଛି ।

କହିବା ବାହୁଲ୍ୟ ଯେ ଉଚିତ ମାର୍ଗଦର୍ଶନ, ଉତ୍କୃଷ୍ଟ ପ୍ରବନ୍ଧନ ଓ ଅଦମ୍ୟ ଇଚ୍ଛାଶକ୍ତି ଯୁବସମାଜକୁ ସଠିକ୍ ରାସ୍ତାରେ ନେଇଯାଇପାରେ । ନଚେତ୍ ଅସ୍ପଷ୍ଟ ମାର୍ଗଦର୍ଶନ, ନିକୃଷ୍ଟ ପ୍ରବନ୍ଧନ ଓ ରାଜନୀତିକରଣ ଯୁବଶକ୍ତିର ଦୂରୁପଯୋଗ ହିଁ କରିବ । କାରଣ ଯୁବଶକ୍ତି ପରମାଣୁ ଶକ୍ତି ଭଳି, ଯାହାର ସଦୁପଯୋଗ ହେଲେ ଅନୁକୂଳ ଭର୍ଜା ପ୍ରକଟ କରିଥାଏ ଆଉ ଦୂରୁପଯୋଗ ହେଲେ ପରମାଣୁ ବୋମା ଭଳି ବିଧ୍ୱଂସକାରୀ ହୋଇଥାଏ ।

ଯୁବାବସ୍ଥା ଶକ୍ତିର ପ୍ରତୀକ, ଆଉ ଏହି ଶକ୍ତିର ସଦୁପଯୋଗ କରାଯିବା ଦରକାର । ଯୁବସମାଜ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହୋଇ ଅସହାୟଙ୍କ ସହାୟତା, ସମାଜସେବା ଓ ବିଶ୍ୱର ଉତ୍‌ଥାନ ନିମନ୍ତେ ସଂକଳ୍ପବଦ୍ଧ ହେବା ଉଚିତ । କାରଣ ଶକ୍ତିର ସର୍ବଶ୍ରେଷ୍ଠ ଉପଯୋଗ ଜନହିତରେ ହିଁ ହୋଇଥାଏ । ପ୍ରକୃତି ବା ପରମାତ୍ମାଙ୍କ ପ୍ରଦତ୍ତ ଶକ୍ତି କେବଳ ଏକ ଉପହାର ନୁହେଁ, ଦାୟିତ୍ୱ ମଧ୍ୟ । ଯୁବଗୋଷ୍ଠୀକୁ ଧନ, ବଳ, ବୁଦ୍ଧି, ବିଦ୍ୟା ଯାହା ବି ଶକ୍ତି ମିଳିଛି, ତାହା ଜନହିତରେ ଉପଯୋଗ ହେଲେ ହିଁ ସଫଳ ହେବ ।

ଶକ୍ତିଶାଳୀ ହେବା କୌଣସି ଉପଲବ୍ଧି ନୁହେଁ, ଶକ୍ତିର ସଦୁପଯୋଗ ହିଁ ସବୁଠୁ ବଡ଼ ଉପଲବ୍ଧି । ଶକ୍ତି ସାମର୍ଥ୍ୟର ସମ୍ମାନ କରିବାକୁ ଚାହୁଁଥିଲେ ଅନ୍ୟମାନଙ୍କ ପାଇଁ ବଞ୍ôଚବାର ଅଭ୍ୟାସ କରିବାକୁ ହେବ । ଶକ୍ତିର ଅହଂକାରରେ ସଭ୍ୟତା ଓ ବିନମ୍ରତାକୁ ନଜରଅନ୍ଦାଜ୍ କରାଯିବା ଅନୁଚିତ । ଯଦିଓ ଶକ୍ତି ଆଉ ବିନମ୍ରତା ବିପରୀତଧର୍ମୀ ଭଳି ଲାଗିଥାଏ, ତେବେ ଏ ଦୁଇଟି ଗୁଣ ଥିବା ବ୍ୟକ୍ତି ମହାନ ହୋଇଯାଏ ।

ଯୁବଗୋଷ୍ଠୀକୁ ଯୁବଶକ୍ତିରେ ରୂପାନ୍ତରିତ କରିବା ପାଇଁ ସର୍ବପ୍ରଥମେ ଯୁବସମାଜ କିପରି ନିଜ ସ୍ୱଭାବକୁ ଚିହ୍ନିବେ, ତାହାର ପ୍ରଶିକ୍ଷଣ ଦେବାକୁ ହେବ । ଅନ୍ୟମାନଙ୍କୁ ଅନୁସରଣ କରି ଜୀବିକା ଚୟନ କରିବା ବଦଳରେ ନିଜ ସ୍ୱଭାବ ଅନୁଯାୟୀ ଉଚ୍ଚଶିକ୍ଷା ଗ୍ରହଣ କରିବା ଓ ଜୀବିକାର୍ଜନ କରିବା ଦ୍ୱାରା ରାଷ୍ଟ୍ରନିର୍ମାଣର ସମସ୍ତ କ୍ଷେତ୍ରରେ ଆମେ ଯୋଗଦାନ କରିପାରିବା ।

ଯୁବଶକ୍ତି ଜାଗରଣର ପ୍ରଥମ ମନ୍ତ୍ର ହେଲା ‘ସ୍ୱଭାବରୁ ସ୍ୱାବଲମ୍ବନ’ । ଏଥିରେ ସଫଳତା ପାଇବା ପାଇଁ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଲା ‘ସଂକଳ୍ପ’ । ମନ ଓ ଇନ୍ଦ୍ରିୟମାନଙ୍କର ଅସୀମ ଶକ୍ତି ଗୋଟିଏ ଲକ୍ଷ୍ୟ ଉପରେ କେନ୍ଦ୍ରିତ କରିବାକୁ ସଂକଳ୍ପ କୁହାଯାଏ । ସଂକଳ୍ପବଦ୍ଧ ଯୁବଶକ୍ତି ହିଁ ନିଜ ସଂପୂର୍ଣ୍ଣ କ୍ଷମତାର ଉପଯୋଗ କରି ଯେକୌଣସି ଲକ୍ଷ୍ୟ ପ୍ରାପ୍ତ କରିପାରେ । ଏହି ସଂକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଚମତ୍କାର କରିପାରେ । ବୈଜ୍ଞାନିକ ଅନୁସନ୍ଧାନ, ସ୍ୱରୋଜଗାର ପାଇଁ ବ୍ୟବସାୟ ସଂଚାଳନ, ଦେଶରକ୍ଷା ପାଇଁ ସୈନ୍ୟବାହିନୀରେ ଯୋଗଦାନ, ସମାଜସେବା ଆଉ ଜନଜାଗରଣ – ପ୍ରତ୍ୟେକ କ୍ଷେତ୍ରରେ ସଂକଳ୍ପବଦ୍ଧ ଯୁବଶକ୍ତି ଅସମ୍ଭବକୁ ସମ୍ଭବ କରି ଦେଖାଇ ଦେଇପାରିବେ ।

ଯୁବଶକ୍ତିର ସୁବିନିଯୋଗ କରିବା ସମାଜ ଓ ସରକାରଙ୍କ ସାମୂହିକ ଦାୟିତ୍ୱ । ଏହାକୁ ନିଭାଇ ହିଁ ଯୁବସମାଜକୁ ସୃଜନାତ୍ମକ କାର୍ଯ୍ୟରେ ଲଗାଯାଇପାରେ । ଭାରତର ଅନ୍ୟଏକ ସକାରାତ୍ମକ ଗୁଣ ହେଲା ଏଠାକାର ଯୁବଗୋଷ୍ଠୀ ଅପେକ୍ଷାକୃତ ସଂସ୍କାରବାନ୍ । ପାଶ୍ଚାତ୍ୟ ଦେଶମାନଙ୍କ ଆପକ୍ଷା ଏଠାକାର ଯୁବକ ଯୁବତୀ ପଥଭ୍ରଷ୍ଟ ହେବାର ଆଶଙ୍କା କମ୍ । ଏହାସତ୍ତ୍ୱେ ବି ଯଦି ଭାରତୀୟ ଯୁବସମାଜରେ ନକାରାତ୍ମକତା ସୃଷ୍ଟି ହେଉଛି, ତେବେ ଏହାକୁ ଦୂର କରିବା ପାଇଁ ସମାଜର ପ୍ରତ୍ୟେକ ସ୍ତରରେ ପ୍ରୟାସ ହେବା ଜରୁରୀ । କାରଣ ଯୁବଶକ୍ତିର ସୁବିନିଯୋଗରେ ହିଁ ରାଷ୍ଟ୍ର ବିକାଶର ଚାବିକାଠି ରହିଛି । ଯୁବଗୋଷ୍ଠୀର ଗୁଣବତ୍ତା ଉପରେ ଦେଶର ଭବିଷ୍ୟତ ନିର୍ଭର କରେ । ତେଣୁ ଦେଶର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଯୁବସମାଜକୁ ସଶକ୍ତ କରିବାକୁ ହେବ ।

ଆଜିର ବିଶ୍ୱରେ ମାନବ ସଭ୍ୟତାର ବିକାଶରଥ ଜେଟ୍ ବିମାନ ଭଳି ଗତି କରୁଛି । ଆଉ ଯୁବଗୋଷ୍ଠୀ ଏତେ କ୍ଷମତାଶାଳୀ ଯେ ସେମାନେ ଏହି ତୀବ୍ର ପରିବର୍ତ୍ତନକୁ ବୁଝି ନୂଆ ଆବିଷ୍କାର, ନୂଆ ଉଦ୍ଭାବନ, ନୂଆ ଟେକ୍ନୋଲୋଜି ସହ ଖାପଖୁଆଇ ନିଜ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିପାରିବେ । ପ୍ରତିସ୍ପର୍ଦ୍ଧାର ଆହ୍ୱାନ ସ୍ୱୀକାର କରିବା ହିଁ ସଫଳତାର ମୂଳମନ୍ତ୍ର । ତେଣୁ ଯୁବଶକ୍ତିକୁ ଏଥିପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ବିଶ୍ୱସ୍ତରୀୟ ପ୍ରତିସ୍ପର୍ଦ୍ଧାରେ ସାମିଲ କରାଇବାକୁ ହେବ ।

ଯୁବ ଦେଶ ଭାରତରେ ପ୍ରଚୁର ଶ୍ରମଶକ୍ତି ଉପଲବ୍ଧ । ତାହାର ସୁବିନିଯୋଗ ପାଇଁ ଯୁବଗୋଷ୍ଠୀକୁ ସଠିକ ରାସ୍ତା ଦେଖାଇ ଦେଶର ଉନ୍ନତିରେ ଭାଗୀଦାର କରାଇବାର, ଉଚିତ୍ ଶିକ୍ଷା ଓ ସଂସ୍କାର ଦେବାର, ହିଂସା, ଜୁଆ, ନିଶା ଆଦିରୁ ଦୂରେଇ ଚରିତ୍ରବାନ୍ କରାଇବାର ଆବଶ୍ୟକତା ରହିଛି ।
ଦେଶ ନିର୍ମାଣ ପାଇଁ, ଦେଶର ଉନ୍ନତି ପାଇଁ, ଦେଶକୁ ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କ ପଙ୍‌କ୍ତିରେ ଛିଡ଼ା କରାଇବା ପାଇଁ ଯୁବଗୋଷ୍ଠୀକୁ ମେଧାବୀ, ଶ୍ରମଶୀଳ, ଦେଶଭକ୍ତ ଓ ସମାଜସେବା ଭାବନା ସହ ଜଡ଼ିତ କରାଇବାକୁ ପଡ଼ିବ ।

ଅର୍ଥନୀତିର ବିଶେଷଜ୍ଞମାନଙ୍କ ଅନୁଯାୟୀ ଭାରତର ବିଶାଳ ଯୁବସମାଜକୁ ପ୍ରଶିକ୍ଷିତ କରିବା, ପର୍ଯ୍ୟାପ୍ତ ରୋଜଗାର ଯୋଗାଇବା ତଥା ଉଦ୍ୟୋଗ, କୃଷି ଓ ସେବା କ୍ଷେତ୍ରରେ ସନ୍ତୁଳନ ସ୍ଥାପନ କରିବା ଏକ ଦୁଷ୍କର କାର୍ଯ୍ୟ । ଉଚ୍ଚଶିକ୍ଷାରେ ଅସନ୍ତୁଳିତ ବୃଦ୍ଧି ଯୋଗୁଁ ଗୋଟିଏ ପଟେ ଆମେ ବୃହତ୍ ସଂଖ୍ୟାରେ ପ୍ରସ୍ତୁତ ହେଉଥିବା ଉଦ୍ୟୋଗୀମାନଙ୍କୁ ଉଚିତ ରୋଜଗାର ଦେଇପାରୁନାହୁଁ ଓ ଅନ୍ୟପଟେ ଆବଶ୍ୟକ କାର୍ଯ୍ୟ ପାଇଁ ପ୍ରଶିକ୍ଷିତ ଲୋକ ମିଳୁନାହାନ୍ତି ।

ଏକ ଆକଳନ ଅନୁଯାୟୀ ସ୍ନାତକ ସ୍ତରରେ କଳା ବା ଆର୍ଟ୍ସ କ୍ଷେତ୍ରରେ ହ୍ରାସପାଉଥିବା ପ୍ରବେଶ ଯୋଗୁଁ ଆଗାମୀ ଦଶକମାନଙ୍କରେ ସାରାବିଶ୍ୱରେ ଭାଷା ଶିକ୍ଷକମାନଙ୍କ ଅଭାବ ହେବ । ଟେକ୍ନିକାଲ୍ କ୍ଷେତ୍ରରେ ବର୍ଦ୍ଧିଷ୍ଣୁ ପ୍ରଭାବ ଯୋଗୁଁ ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଭଳି କ୍ଷେତ୍ରରେ ଗବେଷଣା କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ବୈଜ୍ଞାନିକ ମିଳିପାରୁନାହାନ୍ତି । ଏହି ଅସନ୍ତୁଳିତ ସ୍ଥିତି ଆଗାମୀ ଦଶକମାନଙ୍କରେ ଆହୁରି ବିକଟ ହେବ । ଏଥିପାଇଁ ଭାରତୀୟ ଯୁବଶକ୍ତିକୁ ପ୍ରସ୍ତୁତ କରାଯାଇପାରେ ।

ସଂପ୍ରତି ଆମ ଯୁବଶକ୍ତି ଆଗକୁ ବଢ଼ୁଛି । କେବଳ ଦେଶରେ ନୁହେଁ, ବିଦେଶରେ ବି ଭାରତର ଟେକ ରଖୁଛି । କିନ୍ତୁ ସମାଜସେବା କ୍ଷେତ୍ରରେ ଆମ ଯୁବଶକ୍ତି କି ପ୍ରକାର ଅଂଶଗ୍ରହଣ କରିପାରିବ, ତାହା ଏକ ପ୍ରଶ୍ନବାଚୀ ।

ଅନେକ ସମସ୍ୟା ସହ ସଂଘର୍ଷରତ ଆମ ଦେଶର ଲୋକଙ୍କ ମଧ୍ୟରୁ ବହୁତ ବଡ଼ ଭାଗ ନିରକ୍ଷର । ଅନେକ ଗାଁ ସହରଠାରୁ ବିଚ୍ଛିନ୍ନ । ଆଜି ବି ଅନେକ ଅନ୍ଧବିଶ୍ୱାସ ଆମ ସମାଜରେ ରହିଛି । ଏଭଳି ସ୍ଥିତିରେ ଦେଶକୁ ଏକ ଏଭଳି ଶକ୍ତିର ଆବଶ୍ୟକତା ରହିଛି, ଯାହା ସେହି ସମାଜକୁ ସୁଧାରି ପାରିବ ଓ ନୂତନ ବିଚାରଧାରା ଜାଗ୍ରତ କରିପାରିବ । ଏହି କାମ କେବଳ ଯବଶକ୍ତି ଦ୍ୱାରା ହିଁ ସମ୍ଭବ ।

ଆମେ ଏବେ ଏଭଳି ଏକ ସମୟ ଦେଇ ଗତିକରୁଛୁ, ଯେଉଁଥିରେ ସବୁ ସମୟରେ କିଛି ନା କିଛି ନୂଆକଥା ଶିଖିବାର ଆବଶ୍ୟକତା ରହିଛି । ଭାରତର ଯୁବଗୋଷ୍ଠୀକୁ ଶିଖିବାର ଏହି ପ୍ରକ୍ରିୟାରେ ସାମିଲ କରାଇବାକୁ ହେବ । ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ପଡ଼ିବ, ଯାହାକି ସେମାନଙ୍କୁ ରୋଜଗାରର ସମ୍ଭାବନା ଦେବା ସହ ଦେଶର ବିକାଶରେ ସହାୟକ ହୋଇପାରିବ । ଯୁବଗୋଷ୍ଠୀ ଖାଲି ଚାକିରୀ ପଛରେ କାହିଁକି ଧାଇଁବେ, ନିଜେ ଉଦ୍ୟୋଗ କି ବ୍ୟବସାୟ କରି ଅନ୍ୟମାନଙ୍କୁ ଚାକିରୀ ଦେବାର ବିଚାର କାହିଁକି କରିପାରିବେନି!

ଭାରତର ମୋଟ ଯୁବ ଜନସଂଖ୍ୟାର ୨୨ ପ୍ରତିଶତ ଯୁବକ ଯୁବତୀ ଶିକ୍ଷିତ ଅଟନ୍ତି, ଯେଉଁଥିରୁ ମାତ୍ର ୭ ପ୍ରତିଶତ ହିଁ ସ୍ନାତକ ବା ତତୁର୍ଦ୍ଧ୍ୱ ଶିକ୍ଷା ଗ୍ରହଣ କରିଛନ୍ତି । ଶିକ୍ଷିତ ଯୁବବର୍ଗରୁ ୫୩ ପ୍ରତିଶତ ଉଚ୍ଚ ମାଧ୍ୟମିକ ବା +୨ ପାସ୍ କରିଛନ୍ତି । ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଆମ ଦେଶର ଅନେକ ଯୁବକ ଯୁବତୀ ମେଟ୍ରିକ୍ ବା +୨ ପରେ ପାଠପଢ଼ା ଛାଡ଼ିଦିଅନ୍ତି । ଏହା ନା ଦେଶ ପାଇଁ ଶୁଭଙ୍କର ନା ଯୁବଗୋଷ୍ଠୀ ପାଇଁ । ବୈଶ୍ୱିକ ପ୍ରତିସ୍ପର୍ଦ୍ଧାର ମୁକାବିଲା କରିବା ପାଇଁ ଯୁବଗୋଷ୍ଠୀର ଉଚ୍ଚଶିକ୍ଷା ପାଇଁ ସମୁଚିତ ବ୍ୟବସ୍ଥା କରିବାକୁ ହେବ । ପୁଣି ଏବେ ବିଜ୍ଞାନ ଓ ଟେକ୍‌ନିକ୍‌ର ଯେଉଁଭଳି ବିକାଶ ହେଉଛି, ଯୁବଗୋଷ୍ଠୀ ପାଇଁ ଏହାର ପର୍ଯ୍ୟାପ୍ତ ଶିକ୍ଷା ଜରୁରୀ ।

ଭାରତୀୟ ଯୁବଶକ୍ତିର ସୁବିନିଯୋଗ ପାଇଁ ଶିଳ୍ପପତିମାନେ ମଧ୍ୟ ଚିନ୍ତା କରିବା ଆବଶ୍ୟକ । ସେମାନେ ତାଙ୍କ ଲାଭର ଏକ ଅଂଶ ଯୁବଗୋଷ୍ଠୀର ଉଚ୍ଚଶିକ୍ଷା ପାଇଁ ବ୍ୟୟ କରିପାରିବେ । ଦାତବ୍ୟ ଅନୁଷ୍ଠାନମାନେ ମଧ୍ୟ ଏ ଦିଗରେ ଧ୍ୟାନ ଦେବା ଉଚିତ, ଯେପରିକି ଭାରତୀୟ ଯୁବସମାଜ ଉଚ୍ଚଶିକ୍ଷା ପ୍ରତି ସଚେତନ ହୋଇପାରିବେ ।

ଭାରତ ପଡ଼ୋଶୀ ଚୀନ୍‌ଠାରୁ କିଛି ଶିଖିବା କଥା, ଯେଉଁଠି ସାକ୍ଷରତା ହାର ୯୦ ପ୍ରତିଶତ ଟପିଲାଣି । ଗ୍ରାମୀଣ ଓ ଅର୍ଦ୍ଧସହରୀ କ୍ଷେତ୍ରରେ ଉଚ୍ଚ ଶିକ୍ଷାର ସ୍ତର କମ୍ ହେବାର ସବୁଠୁ ବଡ଼ କାରଣ ଆର୍ଥିକ ସ୍ଥିତିରେ ଦୁର୍ବଳତା ଓ ଉଚ୍ଚଶିକ୍ଷା ପାଇଁ ଭିତ୍ତିଭୂମିର ଅଭାବ । ଏସବୁର ନିରାକରଣ କରିବା ସରକାରଙ୍କ ଦାୟିତ୍ୱ । ଆଜିର ବୈଶ୍ୱିକରଣ ଯୁଗରେ ଉଚ୍ଚଶିକ୍ଷାର ମହତ୍ତ୍ୱ ଖୁବ୍ ବଢ଼ିଯାଇଛି । କାରଣ କେବଳ ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ଉଚ୍ଚଶିକ୍ଷିତ ଲୋକଙ୍କ ଚାହିଦା ବଢ଼ିଛି । ଭାରତ ପାଇଁ ଏହା ଖୁସିର ବିଷୟ, କାହିଁକିନା ଏଠି ଯୁବକ ଯୁବତୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିକଶିତ ଦେଶମାନଙ୍କରେ ବୟସ୍କ ଲୋକମାନଙ୍କ ସଂଖ୍ୟା ବଢ଼ୁଛି । ଏହି ବିକଶିତ ଦେଶମାନଙ୍କୁ ପ୍ରଶିକ୍ଷିତ ଯୁବକ ଯୁବତୀଙ୍କ ଆବଶ୍ୟକତା ରହିଛି ଓ ଭାରତ ଏହାର ଲାଭ ଉଠାଇପାରିବ ।

ନିର୍ବାଚନ ସମୟରେ ଭୋଟଗ୍ରହଣ କେନ୍ଦ୍ରମାନଙ୍କରେ ଯୁବଗୋଷ୍ଠୀର ଭିଡ଼ ଦେଖିବାକୁ ମିଳୁଛି । ତେବେ ଯୁବଗୋଷ୍ଠୀର ସମସ୍ୟାରେ ସମାନତା ଥିବା ସତ୍ତ୍ୱେ ସେମାନଙ୍କ ଭୋଟ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବିଛାଡ଼ି ହୋଇପଡ଼ିଛି । ଖାଲି ଏତିକି ନୁହେଁ, ସେମାନେ ଜାତି-ଧର୍ମ ଆଧାରରେ ବି ଭୋଟ ଦେବାକୁ ଲାଗିଛନ୍ତି । ଏକଜୁଟ୍ ହୋଇ ରାଜନୀତିରେ ନିଜ ଉପସ୍ଥିତି ଜାହିର୍ କଲେ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସରକାର ବାଧ୍ୟ ହେବେ ।

ଯୁବଶକ୍ତିର ଉତ୍‌ଥାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୫୨ରେ କୁହାଯାଛି ଯେ ଦେଶର ବିକାଶରେ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜାତିସଂଘ ଦ୍ୱାରା ୧୯୮୫କୁ ଯୁବବର୍ଷ ଘୋଷଣା କରାଯିବା ପରେ ଭାରତ ସରକାର ଜାତୀୟ ଯୁବନୀତି ପ୍ରଣୟନ କରିଥିଲେ, ଯାହାକୁ ୧୯୮୮ରେ ଲାଗୁ କରାଗଲା ଓ ୨୦୦୩ ରେ ଏହି ନୀତିରେ କେତେକ ସଂଶୋଧନ କରାଗଲା । ବର୍ତ୍ତମାନ ଏହାକୁ ଜାତୀୟ ଯୁବନୀତି-୨୦୧୪କୁ ରୂପାନ୍ତରିତ କରାଯାଇଛି । ଯୁବଗୋଷ୍ଠୀର ସଂପୂର୍ଣ୍ଣ କ୍ଷମତାର ବିକାଶ କରିବା ଓ ତାକୁ ଦେଶ ନିର୍ମାଣରେ ଲଗାଇବା ଏହାର ଉଦ୍ଦେଶ୍ୟ ଥିବା ବେଳେ ଏଥିରେ ଶିକ୍ଷା, ଦକ୍ଷତା, ନିଯୁକ୍ତି, ଉଦ୍ୟୋଗ, ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନଶୈଳୀ, ଖେଳ, ସାମାଜିକ ମୂଲ୍ୟବୋଧର ପ୍ରୋତ୍ସାହନ, ରାଜନୀତି ଓ ଶାସନରେ ସେମାନଙ୍କ ଭାଗିଦାରୀ ଏବଂ ସାମାଜିକ ନ୍ୟାୟ ଭଳି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏହାର ସଫଳ ରୂପାୟନ ହୋଇପାରିଲେ ଏକ ଏଭଳି ଶିକ୍ଷିତ ଓ ସୁସ୍ଥ ଯୁବସମାଜ ଗଠନ ହୋଇପାରିବ, ଯାହାକି କେବଳ ଆର୍ଥିକ ଭାବେ ଉତ୍ପାଦକ ନୁହେଁ ବରଂ ସାମାଜିକ ଭାବେ ମଧ୍ୟ ଦାୟିତ୍ୱବାନ୍ ହୋଇ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିପାରିବ ।

writersudhir@gmail.com
ମୋ: 7008568780

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.