ରାୟଗଡ ଜିଲ୍ଳାରେ ସଡକ ଦୁର୍ଘଟଣା: ୧ ବର୍ଷରେ ୧୦୧ ଜଣଙ୍କ ପ୍ରାଣହାନି

ଜନ ସଚେତନତା ରହିଯାଇଛି ପୋଷ୍ଟର, ବ୍ୟାନର ଓ ଲିଫଲେଟ୍‌ରେ

ରାୟଗଡ, (ଶିବ ନାରାୟଣ ଗୈାଡ): ଦେଶରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଅକାଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଅମାନିଆ ଚାଳକଙ୍କୁ ସାବାଡ୍ କରିବା ପାଇଁ କେନ୍ଦ୍ର ସରକାର ମୋଟର ଯାନ ଆଇନରେ ସଂଶୋଧନ କରି ଗତ ୨୦୧୯ ସେପ୍ଟେମ୍ବର ୧ତାରିଖ ଠାରୁ ନୂତନ ମୋଟର ଯାନ ଆଇନକୁ ଲାଗୁ କରିଥିବା ବେଳେ ଏହାକୁ ଖିଲାପ କଲେ ବହୁ ପରିମାଣର ଜୋରିମାନା ଭରିବା ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ମଧ୍ୟ ନିୟମ କଡାକଡି କରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସମଗ୍ର ରାଜ୍ୟରେ ଟ୍ରାଫିକ୍ ଚେକିଂ ଜୋରଦାର କରାଯାଇଛି ।


ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ମଧ୍ୟ ଜିଲ୍ଳା ପୋଲିସ ଓ ଆଂଚଳିକ ପରିବହନ ବିଭାଗର ମିଳିତରେ ଟ୍ରାଫିକ୍ ନିୟମକୁ ଖିଲାପ କରୁଥିବା ଅମାନିଆ ଚାଳକଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜୋରିମାନା ଆଦାୟ କରାଯାଉଥିଲେ ସୁଦ୍ଧା ଜିଲ୍ଳାରେ ସଡକ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନଗୁଡିକ ଅକାଳରେ ଚାଲିଯାଉଛି । ଏ ନେଇ ଜିଲ୍ଳା ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗତ ୨୦୨୦ ଜାନୁଆରୀ ମାସ ଠାରୁ ଡିସେମ୍ବର ମାସ ୧ବର୍ଷ ମଧ୍ୟରେ ଜିଲ୍ଳାର ବିଭିନ୍ନ ଥାନା ଅଂଚଳରେ ୨୭୨ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୦୧ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୫୧୩ଜଣ ବ୍ୟକ୍ତି ସଡକ ଦୁର୍ଘଟଣାର ଶୀକାର ହୋଇଥିବା ବେଳେ ୨୫୧ଜଣ ସାମାନ୍ୟ ଆହାତ ହୋଇଥିବା ବେଳେ ୧୬୧ଜଣ ଗୁରୁତର ଭାବେ ଆହାତ ଚିକିତ୍ସିତ ହୋଇଥିବା ନେଇ ସୂଚନା ମିଳିଛି ।

ଜିଲ୍ଳାରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଟ୍ରାଫିକ୍ ଯାଂଚ କରାଯାଉଥିଲେ ସୁଦ୍ଧା ମୋଟର ବାଇକ ଚାଳକମାନେ ବିନା ହେଲମେଟ ପିନ୍ଧି ଗାଡି ଚଳେଇବା ଦେଖିବାକୁ ମିଳୁଛି । ଟ୍ରାଫିକ୍ ଯାଂଚରେ ଧରାପଡି ବଡ ଅଙ୍କର ଜୋରିମାନା ଭରୁଥିଲେ ସୁଦ୍ଧା ତା ପରବର୍ତୀ ସମୟରେ ମଧ୍ୟ ହେଲମେଟ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ସଡକ ଦୁର୍ଘଟଣା ଘଟିଲେ ଅକାଳରେ ପ୍ରାଣହାନି ଘଟୁଛି । ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟି ଦେଲେ ସମପରିମାଣରେ ଦୁଇ ଚକିଆ ମୋଟର ଯାନ ଠାରୁ ଆରମ୍ଭ କରି ବସ, ଟ୍ରକ, ଅଟୋରିକ୍ସା, କାର ଭଳି ଯାନବାହନର ମଧ୍ୟ ସଂଖ୍ୟା ବୃଦ୍ଧି ପାଇଛି । ବିକଶିତ ରାୟଗଡ ଜିଲ୍ଳାରେ ଗମନାଗମର ସୁବିଧାକୁ ମଧ୍ୟ ଦୃଷ୍ଟି ଦେଲେ ୩୨୬ ନମ୍ବର ଜାତୀୟ ରାଜପଥ, ରାଜ୍ୟ ସଡକ ପଥ ଓ ରାଂଚି –ବିଜୟୱାଡା କରିଡର ଭଲି ମୁଖ୍ୟ ରାସ୍ତା ଯାଇଥିବାରୁ ପଡୋଶୀ ଆନ୍ଧ୍ର ଠାରୁ ଆରମ୍ଭ କରି ଛତିଶଗଡ, ମାଲକାନଗିରରୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ସଂଯୋଗ ରହିଥିବା ବେଳେ କେବଳ ସହରାଚଂଳକୁ ବାଦ ଦେଲେ ଗାଡି ଚାଳକମାନେ ଦ୍ରୁତ ବେଗରେ ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ସଡକ ଦୁର୍ଘଟଣାର ଶୀକାର ହେଉଛନ୍ତି ।


ଯାହାକୁ ନେଇ ଜିଲ୍ଳା ପୋଲିସ ପକ୍ଷରୁ ଜିଲ୍ଳାର ୧୧ଗୋଟି ସ୍ଥାନକୁ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୩ଟି ସ୍ଥାନକୁ ବ୍ଳାକସ୍ପଟ୍ ଭାବେ ଚିହ୍ନଟ କରାଯାଇଛି । ରାୟଗଡ ଥାନା ଅନ୍ତର୍ଗତ ଗୁମ୍ମା ଘାଟି, ଫୁଲକଣା ଛକ, ୩୨୬ ନମ୍ବର ଜାତୀୟ ରାଜପଥର ଚାନ୍ଦିଲି ଥାନା ଅଧିନସ୍ଥ ଦେବଦଳା ଠାରୁ କୁମୁଟିପେଂଠ ଏବଂ ଘୋଡାନାଳ ବ୍ରିଜ ଠାରୁ ଭୁଜବଳ ମିଟ୍ସ କଲେଜ ଓ ତୁମ୍ବା ଛକଠାରୁ ଭାଗୁଡି ଗ୍ରାମ ପର୍ଯ୍ୟନ୍ତ ବ୍ଳାକସ୍ପଟ ଚିହ୍ନଟ କରାଯାଇଛି । ସେହିପରି ଶେଷଖାଲ ଥାନ ଅନ୍ତର୍ଗତ ରାମଚନ୍ଦ୍ରପୁର ଛକ ଏବଂ ୫ନମ୍ବର ରାଜ୍ୟ ରାଜପଥର ବିଷମକଟ ଥାନା ଅଧିନସ୍ଥ ଚାଟିକୋଣା ଛକ, ବୃନ୍ଦାବାଡି ଛକ, କୋର୍ଟ ଛକ, ଫାଟମୁଣ୍ଡା ଛକ ଓ ନାନରିଗୁଡା ଛକ ପ୍ରମୁଖ ଅଂଚଳରେ ବ୍ଳାକସ୍ପଟ୍ ଚିହ୍ନଟ କରାଯାଇଛି । ସେହିପରି ରାୟଗଡରୁ କେରଡା ପର୍ଯ୍ୟନ୍ତ ଏବଂ କାଶିପୁର-ଟିକିର ରାସ୍ତା ମଧ୍ୟରେ ଅନେକ ସ୍ଥାନ ବ୍ଳାକ ସ୍ପଟ୍ ଭାବେ ରହିଥିବା ବେଳେ ପରିତାପର ବିଷୟ ବ୍ଳାକସ୍ପଟ ଚିହ୍ନଟ ହୋଇଥିବା ସ୍ଥାନଗୁଡିକରେ ଜାତୀୟ ରାଜପଥ ବିଭାଗ କିମ୍ବା ପରିବହନ ତଥା ପ୍ରଶାସନ ପକ୍ଷରୁ ସର୍ତକତା ସୂଚନା ଫଳକଗୁଡିକ ଲଗାଯାଉ ନ ଥିବାରୁ ସଡକ ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ଏ ନେଇ ଆଂଚଳିକ ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇଙ୍କୁ ପଚାରିବାରୁ ସଡକ ସୁରକ୍ଷା ବୈଠକରେ ଜିଲ୍ଳାପାଳଙ୍କ ଦୃଷ୍ଟି ଆର୍କଷଣ କରାଯାଇ ବ୍ଳାକସ୍ପଟ୍ ସ୍ଥାନଗୁଡିକରେ ଯଥାଶୀଘ୍ର ସର୍ତକତା ଫଳକ ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଅପରପକ୍ଷେ ଜିଲ୍ଳା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ୍ ଯାଂଚ ବେଳେ ଚାଳକଙ୍କ ଠାରୁ କେବଳ ଜୋରିମାନା ଆଦାୟ କରାଯାଉଥିବା ବେଳେ ସେମାନଙ୍କୁ ତଥା ସମସ୍ତ ଗାଡି ଚାଳକମାନଙ୍କୁ ମଟର ଯାନ ନିୟମ ମାନି ଗାଡି ଚଳାଇବା ସକାଶେ ସଚେତନତା ସୃଷ୍ଟି କରାଯାଉ ନ ଥିବାରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ସଡକ ସୁରକ୍ଷା ସପ୍ତାହର ସଚେତନତା ବାର୍ତାଗୁଡିକ କେବଳ ପୋଷ୍ଟର, ବ୍ୟାନର ଓ ଲିଫଲେଟ୍‌ରେ ସୀମିତ ହୋଇ ରହିଯାଉଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.