ଜବରଦଖଲକାରୀଙ୍କ କବ୍ଜାରେ ଗାଁ ପୋଖରୀ ହୁଡା: ହୋଇ ପାରୁନାହିଁ ଉନ୍ନତିକରଣ କାର୍ଯ୍ୟ

● ଦୃଢ଼ ବିରୋଧ କଲେ ଗ୍ରାମବାସୀ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକାମ୍ବା ପଞ୍ଚାୟତ ସଦର ଗ୍ରାମର ଗାଁ ପୋଖରୀ ହୁଡାକୁ ଜବରଦଖଲ କରିଥିବାରୁ ପୋଖରୀ କାମରେ ବାଧା ଉପୁଜିଛି। ନରେଗା ଯୋଜନାରେ ପୋଖରୀ କାମପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହି ଟଙ୍କାରେ ପୋଖରୀ ଚାରିପାଖରେ ପାଦଚଲା ରାସ୍ତା, ଆଲୋକୀକରଣ, ବେଞ୍ଚ ଓ ପାହାଚ ନିର୍ମାଣ ପାଇଁ ଯୋଜନା ଥିବାବେଳେ ହୁଡାର ଜବରଦଖଲ ହେତୁ କାମରେ ବାଧା ହେତୁ ଗ୍ରାମବାସୀ ଏକଜୁଟ ହୋଇ ଏହାର ଦୃଢ଼ ପ୍ରତିବାଦ କରି ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି। ଗ୍ରାମବାସୀ ବାରମ୍ବାର ଅନୁରୋଧ କଲେ ମଧ୍ୟ ଦଖଲକାରୀ ପାଡାଲା ଶେଖରମ କର୍ଣ୍ଣପାତ କରୁନାହାନ୍ତି।


ଗ୍ରାମବାସୀ କହିଛନ୍ତି ଯେ, ପାଡାଲା ଶେଖରମଙ୍କ ଝିଅ ରାଜସ୍ବ ବିଭାଗରେ କାମ କରୁଥିବାରୁ ଏପରି କାମ କରିପାରୁଛନ୍ତି। ଯଦି ଏହାର କୌଣସି ସମାଧାନ ନ ହୁଏ, ତେବେ ତହସିଲଦାରଙ୍କୁ ଡାକି ଜମି ଚିହ୍ନଟ କଲେ ସବୁ ସମାଧାନ ହେବ ବୋଲି ୱାର୍ଡ ସଭ୍ୟ ତ୍ରିନାଥ ବାଉରୀ କହିଛନ୍ତି। ଗାଁ ପୋଖରୀର ଉନ୍ନତି ହେଲେ ଗ୍ରାମବାସୀ ଉପକୃତ ହେବେ ବୋଲି ରାତାଲା ସୁରେଶ, ଭେଙ୍କଟଶ, ରାତାଲା ବାବୁରାଓ, ଜି. ଦେବା, ଟି. ନାଗଭୂଷଣ ଓ ରାଙ୍ଗାରାଓ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.