ଓଡିଶା ମାଟିରେ ଆନ୍ଧ୍ରର ବ୍ରିଜ୍ ନିର୍ମାଣ ପ୍ରସଙ୍ଗ: ରାୟଗଡ ବିଡିଓଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଆଲୋଚନା

● ଓଡିଶା ସରକାର ନିର୍ମାଣ କରିବେ ବ୍ରିଜ ଓ ରାସ୍ତା -ବିିଡିଓ

ରାୟଗଡ, (ଶିବ ନାରାୟଣ ଗୈାଡ): ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳା ସଦର ବ୍ଳକ ବୈରାଗୀ ହାଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ସାନଲୁକୁଟି ଗ୍ରାମ ଠାରେ ଆନ୍ଧ୍ର ସରକାର ନିର୍ମାଣ କରୁଥିବା ବ୍ରିଜ ପ୍ରସଙ୍ଗରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଲକ୍ଷ୍ମୀନାରାୟଣ ସାବତଙ୍କ ଉପସ୍ଥିତିରେ କାର୍ଯ୍ୟ ସ୍ଥଳରେ ଆନ୍ଧ୍ର ସରକାରଙ୍କ ଅଧିକାରୀ ଓ ଯନ୍ତ୍ରୀମାନେ ଆସି ବ୍ରିଜ୍ ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ଓଡିଶା ମାଟିରେ ଥିବା ସାନଲୁକୁଟି ଗ୍ରାମରେ ଓଡିଶା ସରକାର ହିଁ ଯାହା ଉନ୍ନୟନମୂଳକ କାର୍ଯ୍ୟ କରିବେ ବୋଲି ରୋକଠୋକ୍ ଭାବେ ଆନ୍ଧ୍ର ଅଧିକାରୀଙ୍କୁ ଜଣାଇଥିଲେ ।


ପ୍ରକାଶ ଥାଉ କି, ଆନ୍ଧ୍ର ସରକାର ତାଙ୍କ ଗୁମ୍ମାଲକ୍ଷ୍ମୀପୁରମ୍ ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଡ୍ଡା ଗ୍ରାମ ଦେଇ କୁରୁମ ପଂଚାୟତର ଏକ ଗ୍ରାମକୁ ରାସ୍ତା ସଂଯୋଗୀକରଣ ନିମନ୍ତେ ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସାନଲୁକୁଟି ଗ୍ରାମ ଯାଏଁ ରାସ୍ତା ଓ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଖବର ଜିଲ୍ଳା ପ୍ରଶାସନ ପାଖେ ପଂହଚିବା ପରେ ରାୟଗଡ ତହସିଲଦାର ସାନଲୁକୁଟି ଗ୍ରାମ ଠାରେ ଓଡିଶା ମାଟିରେ ଚାଲିଥିବା ନିର୍ମାଣଧୀନ ବ୍ରିଜ୍ କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ ।

ବର୍ତମାନ ପୂର୍ତ ବିଭାଗ ରାସ୍ତା ଠାରୁ ୨୪୦ ମିଟର ପର୍ଯ୍ୟନ୍ତ ସାନଲୁକୁଟି ଗ୍ରାମକୁ ଆବଶ୍ୟକ ପଡୁଥିବା ରାସ୍ତା ଓ ବ୍ରିଜ୍ ନିର୍ମାଣ ନିମନ୍ତେ ରାୟଗଡ ବ୍ଳକ ପ୍ରଶାସନ ପକ୍ଷରୁ ୧୪୦ ମିଟର ପର୍ଯ୍ୟନ୍ତ ସିସି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବଳକା ୧୦୦ମିଟର ସିସି ରାସ୍ତା ଏକ ଆଦିବାସୀ ଜାଗାକୁ ନେଇ କିଛି ସମସ୍ୟା ରହିଥିବା ଯୋଗୁଁ ତାହାକୁ ମଧ୍ୟ ଯଥାଶୀଘ୍ର ସମାଧାନ କରାଯାଇ ରାସ୍ତା ଓ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ସୀମାନ୍ତ ସାନଲୁକୁଟି ଗ୍ରାମବାସୀଙ୍କୁ ଉପକୃତ କରାଯିବ ବୋଲି ବିଡିଓ ଶ୍ର୍ରୀ ସାବତ ପ୍ରକାଶ କରିଛନ୍ତି ।


ଓଡିଶା ସରକାରଙ୍କ ଦ୍ୱାରା ଏହି ରାସ୍ତା ଓ ବ୍ରିଜ୍ ନିର୍ମାଣ ଶେଷ ହେଲେ ଓଡିଶା-ଆନ୍ଧ୍ର ସୀମାନ୍ତରେ ବସବାସ କରୁଥିବା ଉଭୟ ଗ୍ରାମବାସୀ ଉପକୃତ ହୋଇପାରିବେ । ଅପରପକ୍ଷେ ଓଡିଶା ମାଟିରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଅର୍ଦ୍ଧନିର୍ମାଣ ହୋଇ ପଡି ରହିଥିବା ବ୍ରିଜ ସମ୍ବନ୍ଧରେ ଆନ୍ଧ୍ର ଅଧିକାରୀ ଓ ଯନ୍ତ୍ରୀମାନେ ଓଡିଶା ସରକାରଙ୍କ ଅନୁମତି ନେଇ ବ୍ରିଜକୁ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରସ୍ତାବ ଦେଇଥିବା ବେଳେ ଓଡିଶା ମାଟିରେ ଓଡିଶା ସରକାର ହିଁ ବିକାଶମୂଳକ କାର୍ଯ୍ୟ କରିବେ ଏଥି ପାଇଁ କାହାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଶ୍ରୀ ସାବତ ଆନ୍ଧ୍ର ଅଧିକାରୀଙ୍କୁ ଅବଗତ କରାଇଥିବା ସୂଚନା ଦେଇଛନ୍ତି ।


ବିଡିଓ ଶ୍ରୀ ସାବତଙ୍କ ଏହି ଗସ୍ତ ବେଳେ ବ୍ଳକ ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ, ରାୟଗଡ ତହସିଲଦାର ଉମାଶଙ୍କର ବେହେରାଙ୍କ ସମେତ ଅନ୍ୟ ତହସିଲ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.