ହାଇଦ୍ରାବାଦରେ ଫସି ରହିଛନ୍ତି ଦାଦନ ଶ୍ରମିକ, ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ

କଳାହାଣ୍ଡି,(ସୁଶାନ୍ତ କୁମାର ଦଳେଇ): ଦାଦନ ଖଟିବାକୁ ଯାଇ ପୁଣି ଥରେ ନିର୍ଯ୍ୟାତୀତ ହୋଇଛନ୍ତି କଳାହାଣ୍ଡି ଓ ନୂଆପଡା ଜିଲା ଶ୍ରମିକମାନେ । ସୂଚନା ଅନୁଯାଇ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ର କାଲିପୁର ଗାଁର ବବଲୁ ତାଣ୍ଡି ,ବରୁଣ କରୁଆ ଓ ନୂଆପଡା ଜିଲା ସିନାପାଳି ବ୍ଲକର ଲିଆଡ ଗାଁର ଚୁଡାମଣି ତାଣ୍ଡି ସମେତ ନଦୀ ଗାଁର ୧୮ ଜଣ ଶ୍ରମିକ ଫସି ରହିଛନ୍ତି । କାମ କରିବା ପାଇଁ ନେଇଥିବା ଠିକାଦାର କାମ କରିଥିବା ଟଙ୍କା ଦେଉ ନ ଥିବା ବେଳେ ଖାଇବା ପାଇଁ ମଧ୍ୟ କିଛି ଦେଉ ନାହିଁ ଏବଂ ସ୍ଥାନୀୟ ପୁଳିସ୍ କୁ ଧରି ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଅତ୍ୟଧିକ ମଜୁରୀ ଲୋଭ ଦେଖାଇ ସେମାନଙ୍କୁ ସେଠାରୁ ନେଲାପରେ ଶାରୀରିକ ଓ ମାନସିକ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଏ ନେଇ ଶ୍ରମିକ ମାନେ ଭିଡିଓ ଯୋଗେ ସୋସିଆଲ୍ ମିଡିଆ ମାଧ୍ୟମରେ ସେଠାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।


କରୋନା ଯୋଗୁଁ କାମ ଧନ୍ଦା ନ ପାଇ ଏଠାକାର ଶ୍ରମିଜୀବି ମଣିଷମାନେ ହାତ ବାନ୍ଧି ବସିଛନ୍ତି । ଏହାର ସୁଯୋଗ ନେଇ ଦଲାଲ ମାନେ ଅଧିକ ମଜୁରୀ ଲୋଭ ଦେଖାଇ ସେମାନଙ୍କୁ ଚାଳାଣ କରୁଛନ୍ତି । ଶ୍ରମଜୀବି ମଣିଷ ବି ପେଟ ପାଇଁ ଭିଟା ମାଟିକୁ ଛାଡିବାକୁ ବାଧ୍ୟ ହୋଇଛି । ଗାଁ ମା ମାଟିର ମୋହ ତୁଟାଇ ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଗଲାବେଳେ ସେଠାରେ କିନ୍ତୁ ନିର୍ଯ୍ଯାତନା ର ଶିକାର ହେଉଥିବା ର ଦୃଶ୍ୟ ସାମନାକୁ ଆସିଛି । ସେମାନଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନ କଳାହାଣ୍ଡି ଶାଖା ଦାବି କରିଛି । ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏମାନଙ୍କୁ ଉଦ୍ଧାର କରି ଘରକୁ ସୁରକ୍ଷିତ ଭାବେ ଫେରେଇ ଆଣିବାକୁ ବରୁଣଙ୍କ ଭାଇ କୌସିକ କରୁଆ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.