କୋକସରା,୧୯|୮ (ହିରଣ୍ୟ ବେହେରା): ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ଏକାଡେମୀ ଭୁବନେଶ୍ୱର ଦ୍ୱାରା ଆୟୋଜିତ “ଦୀକ୍ଷାନ୍ତ” କାର୍ଯ୍ୟକ୍ରମରେ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ “ଘୁମୁରା”କଳାର ପୁନଃରୁଦ୍ଧାର କରିବା ପାଇଁ ପ୍ରୟାସ କରି ଆଜି ମୋଟେର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ସ୍ଥାନୀୟ ମୋଟେର ଚମ୍ପେଶ୍ୱର ଘୁମୁରା ଦଳ ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ଲୋକ କଳାକାରଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭଉଦଘାଟନ କରି ଲୋକ କଳା ଘୁମୁରା ର ପୁନଃରୁଦ୍ଧାର ସହ କଳାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର କଳାକାର ଭତା ବ୍ୟବସ୍ଥା କରିଥିବା କହିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼ଃ ପ୍ରବୋଧ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଘୁମୁରାର ସ୍ଥାୟୀତ୍ୱ ପାଇଁ ସଙ୍ଗୀତ ନାଟକ ଏକାଡେମୀ ସବୁବେଳେ ତତ୍ପରତା ଦେଖେଇବ, ଦାୟିତ୍ୱ ଗ୍ରହଣ କରିବ ଓ ଘୁମୁରାକଳାକୁ ବଞ୍ଚେଇ ରଖିବା ପାଇଁ ଅଧିକ କାର୍ଯ୍ୟକ୍ରମ କରାଯିବ। ୬ ମାସ ପର୍ଯ୍ୟନ୍ତ ଜଣେ ଘୁମୁରା ଗୁରୁ, ଶିଷ୍ୟ ମାନଙ୍କୁ ନେଇ ଘୁମୁରା ଶିକ୍ଷା ଦେବେ ବୋଲି ବକ୍ତବ୍ୟ ରଖିଥିଲେ। ଘୁମୁରା ଗୁରୁ ତୀର୍ଥରାଜ ଦଳପତି ମଞ୍ଚ ପରିଚାଳନା କରିଥିବାବେଳେ ଘୁମୁରା ଗୁରୁ ମହେଶ୍ୱର ସରାଫ, ସଂସ୍କୃତି ଗବେଷକ ଅଜୟ କୁମାର ମିଶ୍ର, ସଙ୍ଗୀତ ନାଟକ ଏକାଡେମୀ ସଭ୍ୟ ଧ୍ୟାନଚାନ୍ଦ ପଣ୍ଡା, ମଙ୍ଗଳୁ ଭାଟିଙ୍କ ସମେତ ଜୟପାଟଣା, ଧର୍ମଗଡ଼, କଲମପୁର, କୋକସରା ବ୍ଲ ର ଶତାଧିକ କଳାକାର ଯୋଗ ଦେଇଥିଲେ। ପରିଶେଷରେ ବରିଷ୍ଠ ଘୁମୁରା ଗୁରୁ ବିଶେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।