ରେଳମନ୍ତ୍ରୀଙ୍କୁ ଦାବୀ ଜଣାଇବା ପାଇଁ ୮୦କିମି ସାଇକେଲ ଯାତ୍ରା

ଗୁଣୁପୁର, ୧୯|୮ (ଦିଲୀପ କୁମାର ପଣ୍ଡା): ଗୁଣୁପୁର – ଥେରୁବାଲି ପ୍ରସ୍ତାବିତ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବୀ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ ଉଦେଶ୍ୟରେ ଆଜି ଗୁଣୁପୁର ରେଳ ବିକାଶ ମଞ୍ଚର ୧୫ ଜଣ ଯୁବକ ସାଇକେଲରେ ରାୟଗଡା ଅଭିମୁଖେ ୮୦କିମି ଯାତ୍ରା କରିଛନ୍ତି । ଗୁଣୁପୁର କୋର୍ଟ ଛକରୁ ଏହି ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।


ଚଳିତ ମାସ ୨୦ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡା ଗସ୍ତରେ ଆସୁଛନ୍ତି। ସେଠାରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ପାଞ୍ଚ ଦଫା ଦାବି ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯିବା ନେଇ ଜଣାପଡିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସହ ୫୦ ପ୍ରତିଶତ ଅର୍ଥ ଯୋଗାଇ ଦେବାକୁ ରେଳବାଇ ପକ୍ଷରୁ କୁହାଯାଇଥିଲା। ହେଲେ ରାଜ୍ୟ ସରକାର ଏଯାବତ ୫୦ପ୍ରତିଶତ ଅର୍ଥ ସମ୍ପର୍କରେ ନୀରବ ରହିଛନ୍ତି। ଫଳରେ ନାଲିଫିତା ତଳେ ପ୍ରକଳ୍ପର ଭାଗ୍ୟ ରହିଯାଇଛି।


ସେହିଭଳି ଗୁଣୁପୁରରୁ ଭୁବନେଶ୍ୱର ଟ୍ରେନ ଚଳାଚଳ, ଷ୍ଟେସନ ଗୁଡ଼ିକର ଉନ୍ନତିକରଣ, ରାଜ୍ୟରାଣୀ ଏକ୍ସପ୍ରେସକୁ ପ୍ରତିଦିନ ଚଳାଚଳ ପ୍ରଭୃତି ଦାବୀ ରହିଛି। ତେବେ ଓଡିଶାରୁ ମାନ୍ୟବର ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବାରୁ ପୁଣିଥରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବା ନେଇ ଆଶାବାଦୀ ଅଛନ୍ତି ଅଞ୍ଚଳବାସୀ। ଯୁବଗୋଷ୍ଠୀ ଙ୍କ ଏଭଳି ଅଭିନବ ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.