୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଥୁଆମୂଲ ରାମପୁର ସିଡିପିଓ

ଥୁଆମୂଳ ରାମପୁର, (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ସିଡିପିଓ ପୁଷ୍ପାଞ୍ଜଳି ରଥ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି। ଅଙ୍ଗନୱାଡ଼ି କର୍ମୀ ଚୟନ ନିମନ୍ତେ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ଭବାନୀପାଟଣା ବଡପଡା ସ୍ଥିତ ଭଡାରେ ରହୁଥିବା ବାସଭବନରେ ସିଡିପିଓ ପୁଷ୍ପାଞ୍ଜଳି ରଥ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ସମୟରେ ଟଙ୍କା ସହିତ ଧରାପଡ଼ିଛନ୍ତି। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ବାଳ ପ୍ରମୁଖ ଏହି ଚଢ଼ାଉ କରିଥିବା ଜଣାପଡିଛି।


ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ଲାଞ୍ଜିଗଡ଼ ସିଡିପିଓ ଭିଜିଲାନ୍ସ ହାତରେ ଧରା ପଡିଥିବାବେଳେ ବର୍ତ୍ତମାନ ଥୁଆମୂଳ ରାମପୁର ସିଡିପିଓ ମଧ୍ୟ ଧରା ପଡିଛନ୍ତି। ଏହାକୁ ନେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଭାବରେ ଜିଲ୍ଲାର ଅନେକ ସିଡିପିଓ ଦୁର୍ନୀତିଗ୍ରସ୍ତ ହୋଇଥିବା ଚର୍ଚ୍ଚା ଆଲୋଚନା ହେଉଛି। ଛତୁଆ ଦୁର୍ନୀତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ଅନିୟମିତତା, କାର୍ଯ୍ୟାଳୟରେ ଭଡା ବୋଲେରୋ ଓ ଅନ୍ୟାନ୍ୟ ଗାଡି ଲଗାଇବା ନାଁରେ ମିଥ୍ୟା ବିଲ୍ ପ୍ରଦାନ, ବିଭିନ୍ନ ଉପାୟରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଶୋଷଣ, ନୂତନ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତା ଆଦି ଅନେକ ଅଭିଯୋଗ ଜିଲ୍ଲାର ନିର୍ଦିଷ୍ଟ ସିଡିପିଓଙ୍କ ନାଁରେ ରହିଛି। ସେମାନଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନ ଅନ୍ୟ ସ୍ଥାନକୁ ବଦଳି ହୋଇ ଚାଲି ଯାଇଛନ୍ତି। ତେବେ ପଛରେ ଦୂର୍ନୀତିର ପେଡି ଛାଡି ଚାଲିଯାଇଥିବାରୁ ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନେକ ଗୁମର ଫିଟି ପାରିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.