ଦିଆଲ୍ ଓ ଚଉଲଧୁଆ ପର୍ବ: ପିତୃ ଉପାସନାର ଅନନ୍ୟ ଅବସର

ଆଲୋକର ପର୍ବ ଦୀପାବଳିକୁ ପଶ୍ଚିମାଞ୍ଚଳରେ ‘ଦିଆଲ୍’ ବା ‘ଦିବାଲୀ’ କୁହାଯାଇଥାଏ । ସର୍ବ ସାଧାରଣ ଏହି ପର୍ବକୁ ପାଳନ କରୁଥିଲେ ମଧ୍ୟ ହଜାର ହଜାର ବର୍ଷଧରି ଅନୁଶୃତ ହୋଇ ଆସୁଥିବା ପ୍ରାଚୀନ ଧାରା ବର୍ତମାନର ଦୀପାବଳି ପର୍ବ ଠାରୁ ଭିନ୍ନ ପ୍ରକାର ହୋଇଥାଏ । ପ୍ରାଚୀନ କାଳରେ ଆଟବିକ, ବିଦ୍ୟାଧର ରାଜ୍ୟ, କାରୁଣ୍ଡ, କାନ୍ତାର, ମହାକାନ୍ତାର ଓ ଇନ୍ଦ୍ରବନ ନାମରେ ଖ୍ୟାତ କଳାହାଣ୍ଡିରେ କେଉଁ ଏକ ସ୍ମରଣାତିତ କାଳରୁ ଆଦିବାସୀ କନ୍ଧ, ଗଣ୍ଡ, ଶବର ଓ ଜନଜାତି ଡମ୍ବଙ୍କ ସହ ବସବାସ କରି ଆସୁଥିବା ମଗଧା ଯାଦବ ବା ମଗଧା ଗଉଡ ମାନଙ୍କ ଏକ ସମୃଦ୍ଧ ସଂସ୍କୃତି ରହିଛି । ଏହି ଗୋଷ୍ଠୀର ପ୍ରାୟ ଅଧିକାଂଶ ପର୍ବ ପର୍ବାଣୀ ପିତୃ ଉପାସନା ଓ ପ୍ରକୃତି ପୂଜନ ଆଧାରରେ କୂଳାଚାର ନିତିରେ ସଂପାଦିତ ହୋଇଥାଏ । ୧୨୦ ବଂଶ ସମ୍ମିଳିତ ଏହି ବିଶାଳ ଗୋଷ୍ଠୀର ପର୍ବ ପର୍ବାଣୀ କେତେକ ନିର୍ଦ୍ଧିଷ୍ଠ ବଂଶ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଓ ଆନ୍ୟାନ୍ୟ ବଂଶର ବନ୍ଧୁ ବାନ୍ଧବ ମାନେ ସେମାନଙ୍କୁ ସହଯୋଗ କରିଥାନ୍ତି । ଦିବାଲୀ ପର୍ବ ମଗଧା ଯାଦବଙ୍କ ବିଭିନ୍ନ ବଂଶରେ ପାରଂପାରିକ ବିଧାନ ଅନୁସାରେ ପାଳନ କରୁଥିବା ବେଳେ ଏହି ଆଲେଖ୍ୟରେ ମଗଧା ଯାଦବଙ୍କ ‘କରୁଆଁ’ ବଂଶର ଦିଆଲ୍ ପରବ ବିଷୟରେ ଆଲୋକପାତ କରିବାକୁ ଚେଷ୍ଟା କରାଯାଇଛି ।

କରୁଆଁ ବଂଶୀ ଯାଦବଙ୍କ ଐତିହାସିକ ପୃଷ୍ଠଭୂମୀ ଓ ଦିଆଲ୍ ପର୍ବର ସ୍ବତନ୍ତ୍ରତା

ମଗଧା ଯାଦବଙ୍କ ବିଭିନ୍ନ ବଂଶ ମଧ୍ୟରୁ କରୁଆଁ ମାନେ ଏକ ସୁସଂଗଠିତ ଗୋଷ୍ଠୀ । ପୂର୍ବରୁ ଏହି ଗୋଷ୍ଠୀ ଗୋଟିଏ ସ୍ଥାନରେ ଦଳବଦ୍ଧ ଭାବରେ ରହୁଥିଲେ ଓ ଅତି ଦୂର୍ଦ୍ଦଶ ଥିବା ଜଣାଯାଏ । ବିଭିନ୍ନ ପର୍ବ ପର୍ବାଣୀ ଓ ଘର ପୂଜା ଏମାନଙ୍କ ସଂଘବଦ୍ଧତାର ସୂଚନା ପ୍ରଦାନ କରେ । ଏମାନଙ୍କ ଘର ପୂଜା ହଜାର ହଜାର କରୁଆଁ ପରିବାରର ସମାଗମରେ ହୋଇଥାଏ, ତେଣୁ ଲୋକ କଥାରେ ‘ଲକ୍ଷେ କରୁଆଁ ଗୋଟେ ପୂଜା’ ବୋଲି କୁହାଯାଇଥାଏ । ଖ୍ରୀ: ପୂ: ୨୬୧ରେ ଏମାନେ ମଗଧରୁ କଳିଙ୍ଗ ଓ ସେଠାରୁ ଆଟବିକ ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି,କୋରାପୁଟ ଓ ବସ୍ତର ଅଞ୍ଚଳ)କୁ ଆସି ବସବାସ କରିବାକୁ ଲାଗିଲେ । ଜନଶୃତି ଅନୁସାରେ ବାଗ, ନାଗ, ବନ୍ଦିଛୋଡ, ଦୀପ, ଗହିର, ଭୋରା ସଗରିଆ ଆଦି ଅନେକ ବଂଶ ମାନେ ମଧ୍ୟ ଏମାନଙ୍କ ସହ ଆସିଥିଲେ । ସେହି ସମୟରେ ଯାଦବ ଗୋଷ୍ଠୀ ସାତ୍ବତ ଧର୍ମର ଅନୁସରଣକାରୀ ହୋଇଥିବାରୁ ପ୍ରକୃତି ଓ ପିତୃ ଉପାସକ ଥିଲେ । ଏମାନଙ୍କ ଧର୍ମଧାରାରେ ବହୁଦେବାଦେବୀ ଉପାସନା, ମୂର୍ତ୍ତିପୂଜା କିମ୍ବା କର୍ମକାଣ୍ଡର ଚିହ୍ନବର୍ଣ୍ଣ ନଥିଲା । ଋକବେଦ ପରି ପ୍ରାଚୀନ ଗ୍ରନ୍ଥରେ ଏମାନଙ୍କ ବିଷୟରେ ସୂଚନାମିଳେ । ଦୀପାବଳି ବା ଦିଆଲ୍ ପର୍ବ କରୁଆଁ ମାନଙ୍କ ଦ୍ବାରା ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ ।

କାର୍ତ୍ତିକ ଅମାବାସ୍ୟା ଦିନ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଘରର ଛୋଟ ଛୋଟ ଶିଶୁଙ୍କୁ ଛାଡି ସମସ୍ତେ ଉପବାସରେ ରହିଥାନ୍ତି । ପୂର୍ବରୁ ଘରଦ୍ବାର ଲିପାପୋଛା କରାଯାଇଥାଏ । ଦିଆଲ ଦିନ ଅପରାହ୍ନରେ ଘରର ମହିଳା ମାନେ ମସାନ୍ କୁନା/ପିଦର (ପିତୃ ଓ ଇଷ୍ଟ ଉପାସନା ସ୍ଥଳ) କୁ ଗୋମୟ ଦ୍ବାରା ଲିପାପୋଛା କରି ପିଠଉରେ ତିନୋଟି ଆଙ୍ଗୁଠି ଦ୍ବାରା ବନା ପକାଇଥାନ୍ତି । ଏହାସହ ଦ୍ବାର ବନ୍ଧ ପାଖରୁ ମସାନ କୁନା ଯାଏଁ ଦୁଇ ହାତକୁ ପିଠଉରେ ବୁଡାଇ କାନ୍ଥରେ ଚିହ୍ନ କରିଥାନ୍ତି । ଏପରି କରିବାର ତାତ୍ପର୍ଯ୍ୟ ହେଉଛି ପରଲୋକଗତ ପିତୃ ପୁରୁଷ ମାନେ ଏହି ଚିହ୍ନକୁ ଅନୁସରଣ କରି ଉପାସନା ସ୍ଥଳରେ ପହଞ୍ଚିବେ । କାର୍ତ୍ତିକ ମାସରେ ଅମଳ ହେଉଥିବା ସାନ ଧାନରୁ ଉତ୍ପନ୍ନ ଚାଉଳକୁ ଏହି ଦିନ ପ୍ରଥମ କରି ଧୁଆ ଯାଇଥାଏ । ଏହା ସାଧାରଣତଃ ଅରୁଆ ଚାଉଳ ହୋଇଥାଏ । ଧୁଆ ଯାଇଥିବା ନୂତନ ଚାଉଳରେ ଖିରି ପ୍ରସ୍ତୁତ ହୁଏ । ଆଉ କେତେକ ଚାଉଳକୁ ଢେଙ୍କିରେ କୁଟି ଚୁନା ପ୍ରସ୍ତୁତ କରାଯାଏ । ଏହି ଚୁନାରୁ ପୂଜା ପାଇଁ ଦିପ ଓ ପିଠା ପ୍ରସ୍ତୁତ କରାଯାଏ । ଏହି ସମୟରେ ଉତ୍ପନ୍ନ ହୋଇଥିବା ଝୁଡଙ୍ଗକୁ ଭାଜି ଡାଲି ପ୍ରସ୍ତୁତ କରାଯାଏ । ମସାନ କୁନାରେ ଏକ ଆଖୁ ଖଣ୍ଡକୁ ରଖା ଯାଇଥାଏ ଓ ଅନ୍ୟ ଏକ ଆଖୁକୁ ବାହାରେ ପିତୃଙ୍କୁ ଡାକିବା ପାଇଁ ରଖାଯାଏ । ଏହି ଆଖୁର ଶିର୍ଷ ସ୍ଥାନକୁ କଟୁରୀ ଦ୍ବାରା ଆଘାତ କରି ବଳିତା ଖଞ୍ଜା ଯାଇଥାଏ । ମସାନ କୁନାରେ ଚାଉଳ ପୁଞ୍ଜି ପକାଯାଇ ଦିପ ପ୍ରଜ୍ଜଳନ ପୂର୍ବକ ପୂର୍ବରୁ ପ୍ରସ୍ତୁତ ଖିରି, ପିଠା ଓ ଡାଲିରେ ଥୋଏତ୍ ବଢାଯାଏ । ଏହା ପରେ ଘରର ମୂରବୀ, ସମସ୍ତ ବିବାହିତ ମହିଳା, ପୁରୁଷ ଓ ଶିଶୁ ମାନେ ଚାଉଲ ପକାଇ ମୁଣ୍ଡିଆ ମାରି ଇଷ୍ଟ ଦେବାଦେବୀ ଓ ପିତୃ ପୁରୁଷଙ୍କୁ ଆବାହନ କରିଥାନ୍ତି । ପିଦରରେ କୌଣସି ଦେବାଦେବୀଙ୍କ ପ୍ରତିମା ରହିନଥାଏ । ଏହା ଶୂନ୍ୟ ଉପାସନାର ପ୍ରତିକ । ଏଥିରେ ଘରର ଇଷ୍ଟଦେବାଦେବୀ ସହ ପିତୃ ପୁରୁଷଙ୍କ ଆରଧନା କରାଯାଏ । ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ପିତୃ ପୁରୁଷ ଭାବରେ ପୂଜା ପାଆନ୍ତି । ତେବେ ସେମାନଙ୍କ ମୂର୍ତ୍ତି ପୂଜା ନହୋଇ ମାନସ ପୂଜା ହୋଇଥାଏ । ପରିବାରର ସମସ୍ତେ ଚାଉଳ ପକାଇ ସାରିବାପରେ ସମର୍ପିତ ଥୋଏତକୁ ପାଣିଛଡା ଯାଇଥାଏ । କୂଳାଚାର ରିତି ଅନୁସାରେ ପାଣି କଖାରୁ ବଳି ଦିଆଯାଇଥାଏ । ସନ୍ଧ୍ୟାରେ ପରିବାରର ସମସ୍ତ ପୁରୁଷ ଲୋକ ଆଖୁରେ ଖଞ୍ଜା ଯାଇଥିବା ସାତଟି ବଳିତାରେ ଅଗ୍ନି ସଂଯୋଗ କରି ଆକାଶକୁ ଦେଖାଇ ପିତୃଙ୍କ ଉଦ୍ଦେଷ୍ୟରେ ପାରଂପାରିକ ବୋଳି କହିଥାନ୍ତି । ଏହି ସମୟରେ ଘରର ମହିଳା ଓ ଝିଅ ମାନେ ଦୂରରୁ ପିତୃ ପୁରୁଷଙ୍କ ଉଦ୍ଦେଷ୍ୟରେ ପ୍ରଣାମ ନିବେଦନ କରିଥାନ୍ତି । ପୂଜା ପରେ କୁଲାରେ ଥୋଏଥ ସାମଗ୍ରୀ ସହ ଦୀପ ନେଇ ପରିବାରର ଜଣେ ମହିଳା ଗୁହାଳ ଘରେ ରଖିଦେଇ ଆସିଥାନ୍ତି । ପୂର୍ବରୁ କଞ୍ଚା ମାଟିରେ ପ୍ରସ୍ତୁତ ବଇଠାରେ ତୁଳାଦେଇ ଜଡାତେଲ ଢାଳି ଗୃହ ଚତୁଃପାର୍ଶ୍ବକୁ ଆଲୋକିତ କରାଯାଏ । ଏହି ଦିନ ଜାତି ବର୍ଣ୍ଣ ନିର୍ବଶେଷରେ ଗ୍ରାମର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରାଯାଏ । ସମସ୍ତେ ଏକାଠି ବସି ରନ୍ଧନ ହୋଇଥିବା ଭାତ, ଡାଲି, ଖିରି, ପିଠା, ତରକାରୀ ଆଦି ବିବିଧ ବ୍ୟଞ୍ଜନ ଭୋଜନ କରିଥାନ୍ତି । ମଗଧା ଯାଦବଙ୍କ ଅନ୍ୟ କେତେକ ବଂଶ ମଧ୍ୟ ଦିଆଲ୍ ପାଳନ କରିଥାନ୍ତି । କୂଳାଚାର ଭିତ୍ତିରେ ଏଥିରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଉଥିଲେ ମଧ୍ୟ ଏହି ପର୍ବ ପାଳନର ଲକ୍ଷ ଓ ଉଦ୍ଦେଷ୍ୟ ଏକା ପ୍ରକାରର ହୋଇଥାଏ । ପିତୃ ପୁରୁଷଙ୍କ ପ୍ରତି ସମର୍ପିତ ଭାବ ଓ ଗଭିର ଭଲ ପାଇବା ଏହି ପର୍ବର ଛତ୍ରେ ଛତ୍ରେ ଦେଖାଯାଇଥାଏ । ପିତୃ ପୁରୁଷଙ୍କ ପ୍ରତି କୃତଜ୍ଞ ଭାବ ସହ ପରିବାର ଓ ପଡୋଷୀଙ୍କ ସହ ଉତ୍ତମ ସଂପର୍କ ସୃଷ୍ଟି କରିବାରେ ଏହି ପର୍ବର ଭୂମିକା ଗୁରୁତ୍ବପୂର୍ଣ୍ଣ ।

✍️ସୁନୀଲ କୁମାର ଧଙ୍ଗଡ଼ାମାଝୀ
ସମ୍ପାଦକ, ‘ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.