କଳାହାଣ୍ଡି: ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ କରି ସାରା ରାଜ୍ୟର ଅମିନମାନେ ଶୁକ୍ରବାରରୁ କଳା ବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ଅମିନ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ଚତୁର୍ଥ ଶ୍ରେଣୀ ଭବନରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାର୍ଚ୍ଚ ୧ରୁ ୩ ତାରିଖ ଯାଏଁ ରାଜ୍ୟର ସମସ୍ତ ଅମିନ କଳା ବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିସହ ଆଗାମୀ ୬ ତାରିଖ ଦିନ ସମୂହ ଛୁଟିରେ ରହି ଲୋୟର୍ ପିଏମଜି ଛକରୁ ଏମ ବିଶାଳ ରେଲି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବୈଠକରେ ସଂଘର ସଭାପତି ଲୋହିତ କୁମାର ବଗର୍ତ୍ତି ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ରୂପକେଶରୀ ଦଳେଇ, ସଂପାଦକ ବୈବସୁତ ବାଗ, କାର୍ଯ୍ୟକାରୀ ସଦସ୍ୟ ଭବାନୀଶଙ୍କର ବିଶ୍ୱାଳ, ପ୍ରଦୀପ ଠାକୁର, ଗୁଣସାଗର ଭୋଇ, ଅଭିଷେକ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟରତ ଅମିନମାନଙ୍କର ପ୍ରମୁଖ ଦାବିଗୁଡ଼ିକ ହେଉଛି- ଗ୍ରେଡ୍ ପେ’ ୧୮୦୦ରୁ ୨୮୦୦ଟଙ୍କାକୁ ବୃଦ୍ଧି, ଜବ୍ ଚାର୍ଟ୍ ମୁତାବକ କାର୍ଯ୍ୟ ପ୍ରଦାନ, ଅମିନ ପରିବର୍ତ୍ତେ ଭୂ-ନିରୀକ୍ଷକ (ଲେଣ୍ଡ୍ ଇନ୍ସପେକ୍ଟର୍) କରିବା, ଯୋଗ୍ୟତା +୨ରୁ +୩କୁ ବୃଦ୍ଧି ଇତ୍ୟାଦି । ଏନେଇ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୬ ତାରିଖରେ ରାଜସ୍ୱ ମନ୍ତ୍ରୀଙ୍କ ସହ ରାଜ୍ୟ ଅମିନ ସଂଘର ବୈଠକ ପରେ କଳା ବ୍ୟାଜ୍ ପରିଧାନ, ରେଲି ତଥା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ତେବେ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯାଇ ଅର୍ଥ ବିଭାଗକୁ ପଠାଯାଇଥିଲେ ସୁଦ୍ଧା ଅର୍ଥ ବିଭାଗ ପକ୍ଷରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୁଣି ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କିମ୍ବା କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ । ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅମିନମାନଙ୍କ ଦୀର୍ଘ ବର୍ଷର ଦାବି ସବୁ ଶୀତଳଭଣ୍ଡାରରେ ପଡ଼ିରହିଛି ।