ଶ୍ରଦ୍ଧାଞ୍ଜଳି : କଳାହାଣ୍ଡି ବଂଶୋଦ୍ଭବ ଅହମିୟା କବି ସନନ୍ତ୍ ତାନ୍ତି

● ସନନ୍ତ୍ ତାନ୍ତିଙ୍କ କବିତାର ଓଡ଼ିଆ ଅନୁବାଦ

କଳାହାଣ୍ଡି ଜିଲ୍ଲାର ବଂଶୋଦ୍ଭବ ବିଶିଷ୍ଟ ଅହମିୟା କବି ସନନ୍ତ୍ ତାନ୍ତି (୧୯୫୨)ଙ୍କର ଗୁରୁବାର (୨୫/୧୧) ନୂଆଦିଲ୍ଲୀ ଏମ୍ସଠାରେ ପରଲୋକ ହୋଇଯାଇଛି। ଅଶୀ ଦଶକର ଅଶାନ୍ତ ଆସାମର ଉଦୟମାନ କବି ସନନ୍ତ ୨୦୧୮ରେ ତାଙ୍କ ଅସମୀୟା କବିତା ସଙ୍କଳନ “ଆସନ୍ତାକାଲି ହେବ ଆମର” ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ। ତାଙ୍କର ଦଶଟି କବିତା ସଂକଳନ ରହିଛି। ସେ ଦୀର୍ଘଦିନ ଧରି ସେଠାରେ ଚିକିତ୍ସିତ ହେଉଥିଲେ।

Omkar Vasthu
Omkar Vasthu

ତାଙ୍କର କେତୋଟି କବିତାର ଅନୁବାଦ କରିଛନ୍ତି ବିଶିଷ୍ଟ କବି ତଥା ଅନୁବାଦକ କ୍ଷୀରୋଦ ପରିଡ଼ା

Pearl dental clinic
Near Ashish Medical Store, Bhawanipatna

ସ୍ପର୍ଶ

ମୁଁ ଛୁଇଁ ଦିଏ ତମରି ପ୍ରେମକୁ
ମୁଁ ପଶିଯାଏ ତମରି ପ୍ରେମର ଚୌହଦିରେ
ମୁଁ ଜଳିଜଳି ଯାଏ ମୋ ଭିତରେ
ମୋରି ଦିନ ଗୁଡ଼ିକ ହୋଇଯାଏ ତପ୍ତ
ରାତି ଗୁଡ଼ିକ ହୋଇଯାଏ ଆହୁରି ଉତ୍ତପ୍ତ

Udyog Nursery
Udyogi Nursery

ଜାଣିଛ, ପ୍ରଥମେ ଏଇ ପ୍ରେମ ଲୁଚିଥିଲା ବର୍ଣ୍ଣମାଳାରେ
ପରେ ଯାଇ ଛପିଗଲା ଶବ୍ଦଙ୍କ ମେଳରେ
ଆଙ୍ଗୁଳିର ସ୍ପର୍ଶ ବାଜି ସେମାନେ ହୋଇଉଠିଲେ ଜୀବନ୍ତ
ଫୁଲ ପରି ହୋଇଗଲେ ପ୍ରସ୍ଫୁଟିତ
ଚହଟି ସଂଚରି ଗଲେ ହୃଦୟରୁ ହୃଦୟ ଯାଏ…

ମୁଁ ଛୁଇଁ ଦିଏ ସେଇ ପ୍ରେମକୁ
ମୁଁ ପଶିଯାଏ ପ୍ରେମର ଚଉହଦିରେ
ଆଉ ମୁଁ ଜଳିଜଳି ଯାଏ ମୋରି ଭିତରେ

ଏବେ ଆଉ ମୋଟେ ସହଜ ନୁହେଁ
ମାରିଦେବା ସେହି ପ୍ରେମକୁ
ଯିଏ ବଞ୍ଚି ରହିଛି ମୋ ସ୍ନାୟୁର ରକ୍ତ ପ୍ରବାହରେ
ଗୁଳି ମାରିପାର, ହେଲେ କେବେ ମରିବ ନାହିଁ
କି ଟଳିବ ନାହିଁ ସେହି ପ୍ରେମ
ଆମ ମଣିଷମାନଙ୍କ ପରି
ଯାହା ପାଲଟି ଯାଇସାରିଛି ଗୋଟିଏ କବିତା

ଆମନ୍ତ୍ରଣ

ତମେ ମୋ ହୃଦୟର ଆଭ୍ୟନ୍ତରକୁ ଆସ
ଆସ ମୋ ଶବ୍ଦମାନଙ୍କ ଗଭୀର ଉତ୍ସକୁ
ଶୂନ୍ୟ କରିଦିଅ ତମରି ପ୍ରେମ
ଅକସ୍ମାତ ମୋରି ରକ୍ତ ଭିତରେ
ସମ୍ଭବତଃ ତମେ ହିଁ ମୋରି ଶେଷ ନିମନ୍ତ୍ରିତ ଅତିଥି
ସହଯାପନ କରିବାକୁ ମୋ ଶୋକଦଗ୍ଧ ଜୀବନରେ
ତମେ ମୋ ହୃଦୟର ଅଭ୍ୟନ୍ତର ଆସ
ଏକ ବିଜୟ ଉତ୍ସବ ପାଇଁ ମୋତେ ପ୍ରସ୍ତୁତ କରିଦିଅ

ବର୍ବରତା

ମରିଗଲେ ସତେଇଶ, ବାର ଥିଲେ ପୁରୁଷ
ଅବଶିଷ୍ଟ ମହିଳା ଓ ପିଲାମାନେ
ପ୍ରତ୍ୟକ୍ଷଦର୍ଶୀ କହନ୍ତି, ତାହାରି ଭିତରେ ଥିଲେ
କେତେକ କଅଁଳା ଶିଶୁ
ଯେଉଁମାନେ ଢୁଳାଉଥିଲେ ତାଙ୍କ ମାଆଙ୍କ କୋଳରେ

ପ୍ରଥମେ ସେଇ ଲୋକମାନେ ଘେରିଗଲେ ସାରା ଗାଁକୁ
ଭାଙ୍ଗିଦେଲେ ଦୁଆର କବାଟ
ପୁରୁଷମାନଙ୍କୁ ଘୋଷାଡ଼ି ନେଇଗଲେ ବିଛଣାରୁ
ନିଷ୍ପାପ ଶିଶୁଙ୍କ କଥା କିଛି ନଭାବି
ଗୁଳି ଚଳାଇଲେ ବେପରୁଆ ଢଙ୍ଗରେ,
ନିରୀହ ପିଲାଙ୍କ ଆଖି ଓ ଛାତି ଫୁଟି
ବାହାରିଗଲା ଗୁଳି ଆରପଟରେ

କଳା ପଡ଼ିଯାଇଥିବା ରକ୍ତଭିଜା ମାଟି ଉପରେ
ସାରା ରାତି ବିନିଦ୍ରରେ ଭଣଭଣ ହେଲେ ମାଛି
ଆକାଶରୁ ଅପସରି ଗଲା ଜହ୍ନ
ଏଇ ବର୍ବର କାଣ୍ଡରେ ଆକାଶ କାନ୍ଦିଲା କଇଁ କଇଁ
ମେଘ ଖଣ୍ଡମାନ ବଦଳିଗଲେ
ବର୍ଷାର ଅଶ୍ରୁଧାର ପରି

ଏଇ ହୃଦୟ ବିଦାରକ ଦୃଶ୍ୟରେ
ନିରବି ଗଲେ ପ୍ରତ୍ୟକ୍ଷଦର୍ଶୀ
କେବଳ ଘୋଡାଇ ପକାଇଲେ ମୁହଁ
ସେମାନଙ୍କ ରୁମାଲରେ

ତାପରେ ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା —
୧. ସମସ୍ତ ବାରଜଣ ପୁରୁଷ ଥିଲେ ଭୂମିହୀନ ଓ ନଥିଲା ତାଙ୍କର ସ୍ଵାଧୀନତା
୨. ସମସ୍ତ ମହିଳାମାନେ ଥିଲେ ମାଆ – ଭୋକିଲା ଛୁଆମାନଙ୍କର
୩. ଆଉ, ପିଲାମାନେ ଥିଲେ କେବଳ ପିଲାମାନେ ! ଯେମିତି ତ ଫୁଟିଆସୁଥିବା ଫୁଲ କେତୋଟି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.