ନର୍ଲା ଯୁକ୍ତଦୁଇ କଲେଜରେ ଅଧ୍ୟାପକ ମରୁଡି

● ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ

● ଭୋକେସନାଲ କଲେଜରେ ପ୍ରାକ୍ଟିକାଲ କ୍ଲାସର ନାଁ ଗନ୍ଧ ନାହିଁ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ରେ ରହିଥିବା ଯୁକ୍ତଦୁଇ କଲେଜ ବହୁ ପୁରାତନ । ୧୯୮୭ ମସିହାରେ ସ୍ଥାପିତ ହୋଇଥିବା ବ୍ଲକ୍ ର ପ୍ରଥମ କଲେଜ । ଏହା ପରେ ପରେ ତୁଳାପଡା ବିଜୟାନନ୍ଦ କଲେଜ, ମୁସ୍କୁଟି ମିଳିତ ପଞ୍ଚାୟତ ମହାବିଦ୍ୟାଳୟ ପ୍ରଭୃତି ସ୍ଥାପିତ ହୋଇଥିଲା । ବହୁ କଷ୍ଟରେ ପରିଚାଳନା ସମିତି ଦ୍ୱାରା ପରିଚାଳିତ ହୋଇ ଆସିଥିବା ଏହି କଲେଜ ଗତ ୨୦ ବର୍ଷ ଧରି ବେସ୍ ସୁନାମ ଅର୍ଜନ କରିଥିଲା । ଟିମ୍ ସ୍ପିରିଟ ନେଇ ଅଧ୍ୟାପନା କାର୍ଯ୍ୟ ସମ୍ପାଦନା କରି ଆସୁଥିଲେ ଅଧ୍ୟାପକ ବୃନ୍ଦ । ହେଲେ ଗତ ପାଞ୍ଚ ବର୍ଷ ମଧ୍ୟରେ ନର୍ଲା ଯୁକ୍ତଦୁଇ କଲେଜର ପାଠପଢା ତଥା ଅନ୍ୟାନ୍ୟ ପାରିପାଶ୍ୱିର୍କ କାର୍ଯ୍ୟ କଳାପରେ କଲେଜର ସ୍ଥିତି ଭୁଷୁଡି ପଡିଥିବା ଅଭିଭାବକ ମହଲରେ ଆଲୋଚନା ହେଉଛି । ନର୍ଲା ପଞ୍ଚାୟତ ସମିତି ପାଣ୍ଠି, ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ବିଧାୟକଙ୍କ ଅନୁଦାନ ପାଣ୍ଠିରେ ଦୁଇତାଲା ବିଶିଷ୍ଟ ଶ୍ରେଣୀ ଗୃହ ଓ ଅଫିସ୍ କୋଠରୀ ଗୁଡିକ ନିର୍ମାଣ ହୋଇ କଲେଜଟି ପୂର୍ବାପେକ୍ଷା ଚାକଚକ୍ୟ ଲାଗୁଥିଲେ ମଧ୍ୟ ଭିତରେ ଫମ୍ପା ହୋଇ ପଡିଛି । ପ୍ରଥମ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା ଗତ ୧୦ ବର୍ଷ ତଳେ କଲେଜର ଅଧ୍ୟାପିକା ସୁଶୀଳା ଆଚାର୍ଯ୍ୟ ବଦଳି ହୋଇ ଚାଲିଯିବା ପରେ ଆଉ ଓଡିଆ ବିଭାଗର ଅଧ୍ୟାପକ କେହି ଆସିନଥିଲେ । ସେହି ଦିନଠୁଁ ଖାଲି ହୋଇ ପଡିଛି ଓଡିଆ ବିଭାଗ । ଏହାପରେ କଲେଜର ଅଧ୍ୟକ୍ଷ ତଥା ଭୁଗୋଳ ଅଧ୍ୟାପକ ଭୁବନ ମୋହନ ଠାକୁର ଭବାନୀପାଟଣା ସାଂଧ୍ୟ ମହା ବିଦ୍ୟାଳୟକୁ ବଦଳୀ ହୋଇ ଚାଲିଯାଇଥିଲେ ଗତ ୨୦୨୦ ମସିହାରେ । ସେହି ଦିନଠୁଁ ଖାଲି ହୋଇ ପଡିଛି ଭୁଗୋଳ ବିଭାଗ । ଏବଂ କଲେଜର ସିନିୟର ଅଧ୍ୟାପିକା ପୁଷ୍ପଲତା କର ଅଧ୍ୟକ୍ଷ ଆସନରେ ରହି କଲେଜ ପରିଚାଳନା କରୁଥିବା ଜଣାପଡିଛି । ସେହିଭଳି ଗତସେପ୍ଟେମ୍ବର ମାସରେ ଅବସର ନେଇଛନ୍ତି ଶିକ୍ଷା ଅଧ୍ୟାପକ ଶ୍ରୀ ଦଳବେହେରା । ଏବେ ଏଜୁକେସନ ବିଭାଗର ଅଧ୍ୟାପକ ନଥିବାରୁ ଖାଲି ପଡିଛି ବିଭାଗ । ଏବେ ବାଧ୍ୟତା ମୂଳକ ଓ ମାତୃଭାଷା ବିଷୟ ଗୁଡିକ ସହିତ ରାଜନିତୀ ବିଜ୍ଞାନ, ଇତିହାସ, ଇକୋନୋମିକସ ଓ ସୋସିଓଲୋଜି ଏହି ଚାରିଗୋଟି ବିଷୟରେ ହିଁ ବାଧ୍ୟ ବାଧକତାରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ । ଅନ୍ୟ ବିଷୟ ଗୁଡିକ ପଢିବାର ଇଚ୍ଛା ରହିଥିଲେ ମଧ୍ୟ ଅଧ୍ୟାପକ ନଥିବାରୁ ସେମାନଙ୍କୁ ବୁଝାଇ ଦିଆଯାଉଛି କଲେଜରେ ଅନ୍ୟ ବିଷୟ ଗୁଡିକ ରଖିଲେ ପାଠ ପଢାର ସମସ୍ୟା କଥା । ଆମେ ବିଷୟ ଗୁଡିକ ଗ୍ରହଣ କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ବୁଝାଇ ଦେଉଛୁ କଲେଜରେ ଅଧ୍ୟାପକ ନଥିବା ପାଠ୍ୟ ବିଷୟର ସମସ୍ୟା ବୋଲି ମତବ୍ୟକ୍ତ କରିଛନ୍ତି ବର୍ତ୍ତମାନର ଅଧ୍ୟକ୍ଷା ଶ୍ରୀମତୀ କର । ମୁଁ ଆମ କଲେଜର ଅଧ୍ୟାପକ ସମସ୍ୟା ନେଇ ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛି । ହେଲେ ଆବଶ୍ୟକ ଅଧ୍ୟାପକ ନିଯୁକ୍ତି ଦିଆଯାଉନି ବୋଲି ମତବ୍ୟକ୍ତ କରିଛନ୍ତି ଅଧ୍ୟକ୍ଷା ପୁଷ୍ପାଲତା କର ।

କେବଳ କଳା ବିଭାଗକୁ ନେଇ ରହିଥିବା ନର୍ଲା ଯୁକ୍ତ ଦୁଇ କଲେଜରେ ପ୍ରଥମ ବର୍ଷରେ ୧୯୨ ଓ ଦ୍ୱିତୀୟ ବର୍ଷରେ ୧୨୮ ଏଭଳି ୩୨୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୨୧ ଜଣ ଷ୍ଟାଫ୍ ରହିବା ସ୍ଥାନରେ ରହିଛନ୍ତି ମାତ୍ର ୧୮ ଜଣ । ନର୍ଲା ଯୁକ୍ତଦୁଇ କଲେଜରେ ଷ୍ଟାଫ୍ ଅଭାବ । ପାଠପଢାରେ ବ୍ୟାଘାତ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ । ମୁଣ୍ଡରେ ହାତଦେଇ ବସିଛନ୍ତି ଅଭିଭାବକ । କିଛି ଅଭିଭାବକ ଓ ବୁଦ୍ଧିଜୀବୀ ନର୍ଲା ବିଧାୟକଙ୍କୁ ଏନେଇ ଅବଗତ କରିଥିଲେ କୌଣସୀ ସୁଫଳ ମିଳିପାରୁନି । ଯୁକ୍ତଦୁଇ କଲେଜର ପାଠପଢାରେ ଏଭଳି ଦୟନୀୟ ସ୍ଥିତି ରହିଥିବା ବେଳେ ଏଠାରେ ପୁଣି ଚାଲୁଛି ଭୋକେସନାଲ କଲେଜ । ଏଥିରେ ପ୍ରଥମ ବର୍ଷ ରେ ୨୪ ଓ ଦ୍ୱିତୀୟ ବର୍ଷରେ ୨୪ ଏଭଳି ମୋଟ ୪୮ ଜଣ ଛାତ୍ର ଛାତ୍ରି ବୃତ୍ତିଭିତ୍ତିକ ଶିକ୍ଷା ନେଇଉଥିବା ଜଣାପଡିଛି । ମୂଳ କଲେଜ ଯୁକ୍ତ ଦୁଇ ରେ ଅଧ୍ୟାପକ ମରୁଡି ରହିଥିବା ବେଳେ ଭୋକେସନାଲ କଲେଜ ବୋଝ ଉପରେ ନଳିତା ବିଡା ସାଜିଛି । ସର୍ବମୋଟ ଦଇୁଜଣ ଅଧ୍ୟାପକ ଭୋକେସନାଲ କଲେଜରେ ରହିଛନ୍ତି । କମ୍ପୁଟର ଏଜୁକେସନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଶିକ୍ଷାଦେବା ନିମନ୍ତେ ଭୋକେସନାଲ କଲେଜରେ ୧୨ ଗୋଟି କମ୍ପ୍ୟୁଟର ରହିଛି ହେଲେ ତାହା କେଉଁ ଯୁଗରୁ ଅକର୍ମଣ୍ୟ ହୋଇ ଖତ ଖାଉଛି । କମ୍ପୁଟର ସବୁ ବାରମ୍ବାର ମରାମତି ନାମରେ ମିଲି ଭଗତରେ ପ୍ରତିବର୍ଷ ଟଙ୍କା ଅତ୍ମସାତ ହେଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନର ଯୁକ୍ତଦୁଇ କଲେଜ ଅଧ୍ୟକ୍ଷା ଶ୍ରୀମତୀ କର ହିଁ ଭୋକେସନାଲ କଲେଜର ମଧ୍ୟ ଅଧ୍ୟକ୍ଷା ଦାଇତ୍ୱରେ ରହିଥିବା ଜଣାପଡିଛି । ଭୋକେସନାଲ କଲେଜ ନାମକୁ ମାତ୍ର ଚାଲୁଥିବା ବେଳେ ଏଥିରେ ପାଠ ପଢା ଶୂନ୍ୟ । ଏହା ସରକାରୀ ଟଙ୍କା ଲୁଟପାଟ୍ ର ପେଣ୍ଠସ୍ଥଳି ପାଲଟିଛି ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଥିବା ବେଳେ ଆମର ଅର୍ଦ୍ଧେକ କମ୍ପ୍ୟୁଟର ଠିକ୍ ଚାଲିଛି । ଆମେ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କୁ କମ୍ପୁଟର ପ୍ରାକ୍ଟିକାଲ କ୍ଲାସ କରୁଛୁ ବୋଲି କମ୍ପୁଟର ଅଧ୍ୟାପକ ରହିଥିବା ମୃତୁ୍ୟଞ୍ଜୟ ଦାସ ମତବ୍ୟକ୍ତ କରିଛନ୍ତି । ବାସ୍ତବରେ କିନ୍ତୁ ଦୀର୍ଘଦିନରୁ କମ୍ପୁଟର ପ୍ରାକ୍ଟିକାଲ କ୍ଲାସ୍ ବିଲକୁଲ ହେଉନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ । ବୃତ୍ତିଗତ ଉତ୍ତମ ଶିକ୍ଷା ମିଳିବ ବୋଲି ଆମେ ଯେଉଁ ଆଶା ଆକାଂକ୍ଷା ନେଇ ଆମ ପିଲାଙ୍କୁ ନର୍ଲା ଭୋକେସନାଲ କଲେଜରେ ଜଏନ କରିଥିଲୁ ଆମ ପିଲାଙ୍କ ସ୍ୱପ୍ନ ସ୍ୱପ୍ନ ହୋଇ ରହିଯିବ ବୋଲି ମତବ୍ୟକ୍ତ କରୁଛନ୍ତି ଅଭିଭାବକ ମାନେ । ଅନିୟମିତତା ଓ ଦୁର୍ନିତିର ପେଣ୍ଠସ୍ଥଳି ପାଲଟିଥିବା ନର୍ଲା ଭୋକେସନାଲ କଲେଜ ଉପରେ ଜିଲ୍ଲାପାଳ ମହୋଦୟ ତଦନ୍ତ କରି ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.