ଜୟପାଟଣା, (ଧନେଶ୍ଵର ପୁଞ୍ଜି): କିଛିଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ଉଚ୍ଛଲା ପଞ୍ଚାୟତ ବେହେରେନସିଲ ଗାଁରେ । ଏହି ଗାଁର ପ୍ରଭାସ ମୁଣ୍ଡାଙ୍କ ପିତାଙ୍କ ଦେହାନ୍ତ କିଛି ବର୍ଷ ତଳେ ହୋଇଥିଲା । ତାଙ୍କର ଶୁଦ୍ଧିକ୍ରୀୟା ନ ସରୁଣୁ ପ୍ରବାସଙ୍କ ମା ପରଲୋକ ଗମନ କଲେ । ଏହାର ଗୋଟିଏ ମାସ ନପୂରୁଣୁ ପ୍ରବାସ ମୁଣ୍ଡାଙ୍କ ଦେହାନ୍ତ ହୋଇଥିଲା । ଫଳରେ ତାଙ୍କର ସ୍ତ୍ରୀ ବେଦମତୀ ମୁଣ୍ଡା ତିନିଜଣଙ୍କୁ ହରେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ଏହାର ଗୋଟିଏ ବର୍ଷ ପରେ ବେଦମତୀଙ୍କ ମଧ୍ୟ ଗତ କିଛିଦିନ ତଳେ ଦେହାନ୍ତ ହୋଇଥିଲା । ଫଳରେ ତାଙ୍କର ଦୁଇ ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ । ତାଙ୍କର ଯତ୍ନ ସହ ଦେଖାସୁଣା କରିବା ଲୋକ ମଧ୍ୟ କେହି ନଥିଲେ । ଫଳରେ ବେଦମତୀଙ୍କ ମା ସେମାନଙ୍କୁ ନେଇ ନିଜଘରେ ଆଶ୍ରୟ ଦେଇଥିଲେ । ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରି ଦୁଇ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରିବାପାଇଁ ନିବେଦନ କରିଥିଲେ । ଅଭିଯୋଗ ପାଇଲାପରେ ଡିସିପିଓଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ବେହେରେନସିଲ ଗାଁରେ ପହଞ୍ଚି ସମସ୍ୟା ବିଷୟରେ ବୁଝିଥିଲେ । ତାଙ୍କର ଜେଜେମା ଅନାଥ ଆଶ୍ରମରେ ରଖିବା ପାଇଁ ମନା କରିବାରୁ ଦୁଇ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୨୫ ଶହ ଟଙ୍କା ଦେବାକୁ ନିଷ୍ପତ୍ତି ନେଲେ । ସେହିପରି ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଜୟପାଟଣା ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନ୍ୟାନ୍ୟ ସରକାରୀ ସହାୟତା ମଧ୍ୟ ଯୋଗାଇଦେବେ ବୋଲି ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।