ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁ ଚରଣ ଧଙ୍ଗଡାମାଝୀଙ୍କ ପରଲୋକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁ ଚରଣ ଧଙ୍ଗଡାମାଝୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ବଡି ଭୋରରେ ବୁଢିପଦର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ଧଙ୍ଗଡାମାଝୀଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ୧୯୭୧ ମସିହାରୁ ୨୦୦୮ ପର୍ଯ୍ୟନ୍ତ ସେ ଦେବଗିରି ମଠର ଟ୍ରଷ୍ଟି ଥିଲେ । ବିଜେଡିର ଏହି ବରିଷ୍ଠ ନେତା ଜୀବନସାରା ସମାଜସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରି ଯାଇଛନ୍ତି । ଜୀବନର ଆଦ୍ୟ ଭାଗରୁ ସମାଜ ସଂସ୍କାର ସହ ଯାଦବ ମାନଙ୍କୁ ସୁସଂଗଠିତ କରି ସଶକ୍ତ କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି ।

ଜାତୀୟ ସ୍ତର ଓ ରାଜ୍ୟର ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା । ଶାସ୍ତ୍ରୀୟ ସଂଗୀତ ଓ ମୃଦଙ୍ଗ ବାଦନରେ ସିଦ୍ଧହସ୍ତ ସ୍ବର୍ଗତ ଧଙ୍ଗଡାମାଝୀ ଅଞ୍ଚଳର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବ୍ରତି ଥିଲେ । ଦେବଗିରି ଅଞ୍ଚଳର ୬୪ ଗାଁର ମୁରବୀ ଶ୍ରେଣୀୟ ବ୍ୟକ୍ତି ଭାବେ ସୁପରିଚିତ କାହ୍ନୁ ଧଙ୍ଗଡାମାଝୀଙ୍କ ଆବର୍ତ୍ତମାନରେ ଗୋଟିଏ ଯୁଗର ଅବସାନ ଘଟିଛି । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ, ନାତି ନାତୁଣୀ ବୋହୁ, ଅଣନାତୁଣୀ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ । ବଡପୁଅ ପ୍ରଦୀପ ଧଙ୍ଗଡାମାଝୀ ମୁଖାଗ୍ନୀ ଦେଇଥିଲେ ‌। ସ୍ବର୍ଗତ ଧଙ୍ଗଡାମାଝୀଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଶୁଶ୍ରୀ ରିନା ଭୋଇ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.