ଭୁବନେଶ୍ୱର: କୋଠଘର ଆମ ସାହିତ୍ୟ ପରିବାର ତରଫରୁ ନୂତନ ବର୍ଷର ପ୍ରଥମ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ।କୋଠଘରର ପ୍ରାଣପ୍ରତିଷ୍ଟାତା, ସମ୍ପାଦିକା ଅମ୍ବିକା ସ୍ବାଇଁଙ୍କ ସଂଯୋଜନା ଓ ବିଶିଷ୍ଟ ସାହିତ୍ୟିକା ଡଃ ସୁଷମା ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଶିଷ୍ଟ କବି, ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ ହୁସେନ ରବିଗାନ୍ଧୀ ଯୋଗଦେଇ ତାଙ୍କ ଅଭିଭାଷଣରେ ନୂତନ ପିଢିର କବି ସାହିତ୍ୟିକ ମାନଙ୍କୁ ଆହ୍ଵାନ ଦେଇ ଥିଲେ । ଲକ୍ଷ୍ୟହୀନ ଭାବରେ କବିତା ବା ଗଳ୍ପ ନ ଲେଖି ସମାଜର ମାର୍ଗଦର୍ଶକ ଭାବରେ, ସାମାଜିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଲେଖନୀ ଚଳାନ୍ତୁ । ସାମାଜିକ ବ୍ୟବସ୍ଥାରେ ନିଶ୍ଚିତ ସୁଧାର ଆସିବ ବୋଲି ସେ ଦିଗଦର୍ଶନ ଦେଇଥିଲେ । ଓଡ଼ିଶାର ପ୍ରଖ୍ୟାତ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ, ତାଙ୍କ ମାଧୁର୍ଯ୍ୟ ଭାଷାରେ ସମସ୍ତଙ୍କୁ ନବ ବର୍ଷର ଶୁଭେଛା ଜଣାଇ ଆମ ଭାଷା ସାହିତ୍ୟର ଉତ୍ତୋରତର ଉନ୍ନତି କାମନା କରିଥିଲେ । ଭାଷାବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର ସମସ୍ତଙ୍କୁ ଉତ୍ସାହିତ କରି ଏକ ବ୍ୟଙ୍ଗ କବିତା ପାଠ କରିଥିଲେ । ଡଃ ପ୍ରତିମା ମିଶ୍ର ଏବଂ କଣ୍ଠଶିଳ୍ପୀ ସୁକାନ୍ତି ତ୍ରିପାଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କବି ପ୍ରଦୀପ୍ତ କୁମାର ସାହୁ, ମମତା ବାରିକ, ଡଃ ଶଶୀଭୂଷଣ ମହାପାତ୍ର, ସାବିତ୍ରୀ ସାମନ୍ତରାୟ, ବାଉରିବନ୍ଧୁ ଲେଙ୍କା, ଗଗନ ବିହାରୀ ନାୟକ, ସୁଷମା ପରିଜା, ଡଃ ପ୍ରବୀଣା ପରିଡା, ଡଃ ରମେଶ ପ୍ରସାଦ ମହାନ୍ତି, ଡଃ ରଶ୍ମି ଦାସ, ସୌମ୍ୟ ରଞ୍ଜନ ଦାଶ, ଅଶାଳତା ପାଣ୍ଡବ, ସୁମିତା ସ୍ବାଇଁ, ମଞ୍ଜୁଲତା ସିଂ, ମୋନିକା ମହା ପାତ୍ର, ତ୍ରିୟମ୍ବିକା ହୋତା, ଭାରତୀ ପରିଡା, ଅଶାଳତା ଦୀକ୍ଷିତଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କବି ଯୋଗଦେଇ କବିତା ପାଠ କରି ଥିଲେ । ଶିକ୍ଷାପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।